ପାକିସ୍ତାନରେ ମୌଳବାଦୀଙ୍କ ଫ୍ରାନ୍ସ ବିରୋଧୀ ହିଂସା ; ୧୩ ମୃତ

ଇସଲାମାବାଦ : ପାକିସ୍ତାନରେ ସୋମବାରଠାରୁ ଆରମ୍ଭ ହୋଇଥିବା ଫ୍ରାନ୍ସ ବିରୋଧୀ ହିଂସା ସାଂଘାତିକ ରୂପ ନେଇଛି। ହିଂସାକାଣ୍ଡ ଦେଶର ବିଭିନ୍ନ ସହରକୁ ବ୍ୟାପିଥିବାବେଳେ ଏଥିରେ ଅନ୍ୟୂନ ୧୩ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧରେ ୩୦୦ରୁ ଅଧିକ ଆହତ ହୋଇଥିବାବେଳେ ଦୁଇ ହଜାର ଗିରଫ ହୋଇଛନ୍ତି। ପୁଲିସ ଗୁଳିରେ ୧୨ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଜନତାଙ୍କ ଆକ୍ରମଣରେ ଦୁଇ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ଓ ୪୦ ପୁଲିସ ଆହତ ହୋଇଛନ୍ତି। ମୌଳବାଦୀ ଇସ୍ଲାମିକ୍‌ ସଙ୍ଗଠନ ତେହେରିକ-ଇ-ଲବକ୍‌ ପାକିସ୍ତାନ (ଟିଏଲପି) ନେତୃତ୍ୱରେ ଜନତା ଫ୍ରାନ୍ସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଫ୍ରାନ୍ସ ସରକାର ପାକିସ୍ତାନରେ ଥିବା ନିଜ ଦେଶର ନାଗରିକଙ୍କୁ ତୁରନ୍ତ ପାକିସ୍ତାନ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି। ବାଣିଜ୍ୟିକ ବିମାନରେ ଏହାର ନାଗରିକଙ୍କୁ ଫେରାଇ ନେବାର ବ୍ୟବସ୍ଥା କରିବାକୁ ଫ୍ରାନ୍ସ ସରକାର ପାକିସ୍ତାନରେ ଅବସ୍ଥାପିତ ନିଜ ରାଷ୍ଟଦୂତଙ୍କୁ ନିର୍ଦେଶ ଦେଇଛନ୍ତି। ଗତ ବର୍ଷ ସେପ୍ଟେମ୍ବରରେ ଫ୍ରାନ୍ସ ପତ୍ରିକା ‘ଚାର୍ଲି ହେବ୍‌ଡୋ’ରେ ପ୍ରକାଶିତ ମହମ୍ମଦଙ୍କ ସମ୍ପର୍କିତ ଏକ କାର୍ଟୁନ (ବ୍ୟଙ୍ଗ ଚିତ୍ର)କୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁ ଏହାକୁ ଗଣମାଧ୍ୟମର ସ୍ବାଧୀନତା ଦର୍ଶାଇ ସମର୍ଥନ କରିଥିଲେ। ଏହି କାର୍ଟୁନ୍‌ ଇସ୍‌ଲାମ ବିରୋଧୀ ଓ ମହମ୍ମଦଙ୍କ ପ୍ରତି ଅପମାନଜନକ ବୋଲି ସମଗ୍ର ଇସ୍‌ଲାମିକ ଦୁନିଆରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପାକିସ୍ତାନରେ ଟିଏଲପି ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହା କ୍ରମଶଃ ହିଂସାତ୍ମକ ରୂପ ନେଇଥିଲା। ଫ୍ରାନ୍ସକୁ ବାସନ୍ଦ କରିବା ପାଇଁ ଦାବି କରାଯାଇଥିଲା। ଟିଏଲ୍‌ପି ପକ୍ଷରୁ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେବା ସହ ତାଙ୍କୁ ବହିଷ୍କାର ପାଇଁ ଦାବି ହୋଇଥିଲା। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ସରକାର ଗତ ସୋମବାର ଟିଏଲ୍‌ପି ମୁଖ୍ୟ ସାଦ୍ ହୁସେନ ରିଜଭିଙ୍କୁ ଗିରଫ କରିଥିଲେ ଏବଂ ବୁଧବାର ଟିଏଲପିକୁ ନିଷିଦ୍ଧ ଘୋଷଣା କରିଥିଲେ। ଏହାକୁ ନେଇ ଜନଅସନ୍ତୋଷ ତୀବ୍ର ହୋଇଛି। ଏହି ନିଷେଧାଦେଶ ପ୍ରତ୍ୟାହାର ଦାବିରେ ପାକିସ୍ତାନର ମୌଳବାଦୀ ମୁସଲମାନମାନେ ଆନ୍ଦୋଳନ ଚଳାଇଛନ୍ତି।
ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ତୁରନ୍ତ ବହିଷ୍କାର ଓ ଫ୍ରାନ୍ସ ସହିତ ବାଣିଜ୍ୟ କାରବାର ବନ୍ଦ କରିବାକୁ ଟିଏଲପି ପକ୍ଷରୁ ଦାବି ହେଉଛି। ଏପ୍ରିଲ ୨୦ ସୁଦ୍ଧା ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କୁ କଣ୍ଟ ଦିଆଯାଇଛି। ଏହାକୁ ନେଇ ପାକିସ୍ତାନରେ ସରକାର ବିରୋଧୀ ଜନଅସନ୍ତୋଷ ପ୍ରବଳ ହୋଇଛି। ଟିଏଲ୍‌ପି ସମର୍ଥକମାନେ ପୁଲିସ ଉପରକୁ ​‌େ​‌ଢେଲାପଥର ମାଡ଼ କରୁଥିବାବେଳେ ସେମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ ସହ ପାଣିମାଡ଼ କରିଛି। ସେମାନଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ପୁଲିସ ଗୁଳି ଚଳାଇଛି। ଏଥିଯୋଗୁଁ ଏବେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିଛି। ସରକାର ସ୍ଥିତି ନିୟନ୍ତ୍ରଣ ପାଇଁ ସେନାର ସହାୟତା ନେଇଛନ୍ତି।

Comments are closed.