ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ଜଣେ ମୃତ, ୩ ଗୁରୁତର

*ଉତ୍ତେଜେନା ଆଶଙ୍କାରେ ଗାଁରେ ପୁଲିସ୍‍ ମୁତୟନ

ଭଂଜନଗର: ଭଂଜନଗର ଥାନା ଅନ୍ତର୍ଗତ ଦଦରାଲୁଣ୍ଡା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ବୋମା ମାଡ ହୋଇଛି। ଏଥିରେ କୃଷ୍ଣ ଗୌଡ ନାମକ ଜଣେ ଯୁବକଙ୍କ ମୃତ ଘଟିଛି। ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ୪/୫ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନେ ଭଂଜନଗର ସରକାରୀ ହାସପିଟାଲରେ ଚିକିତ୍ସିତ ହୋଇଥିବା ବେଳେ କୃଷ୍ଣଙ୍କର ବ୍ରହ୍ମପୁର ବଡ ମେଡିକାଲରେ ମୃତ ଘଟିଛି। ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ୭/୮ ଜଣକୁ ଧରି ନେଇ ପୁଲିସ୍‍ ଥାନାରେ ଅଟକ ରହିଛି। ପରିସ୍ଥିତି ଅନୁଧାନ ପାଇଁ ଗଂଜାମ ଏସ୍‍ପି ବ୍ରିଜେଶ ରାଏ ଦଦରାଲୁଣ୍ଡା ଗ୍ରାମରେ ପହଁଚି ଫେରି ଆସିଛନ୍ତି।

ଏହି ଘଟଣା ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଘଟିଥିଲା। ଶନିବାର ଅପରାହ୍ନ ୩ଟାରେ ବ୍ରହ୍ମପୁରରୁ ମୃତ ଯୁବକଙ୍କ ମୃତଦେହ ଆସି ଦଦରାଲୁଣ୍ଡାରେ ପହଁଚିଥିଲା। ଗ୍ରାମରେ ଶବ ପହଞ୍ଚିବା ପରେ ଏକ ପ୍ରକାର ଉତ୍ତେଜନାମୂଳକ ବାତାବରଣ ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଭଂଜନଗର ଏସ୍‍ଡିପିଓ ଶୁଭ୍ରାଂଶୁ ଶେଖର ଦାସଙ୍କ ନେତୃତ୍ୱରେ ଭଂଜନଗର ଥାନା ସମେତ ପ୍ରାୟ ୧ ପ୍ଳାଟୁନ୍‍ ଫୋର୍ସ ମୁତୟନ ଅଛନ୍ତି। ଏକ ଶୋକାକୂଳ ପରିବେଶ ମଧ୍ୟରେ ମୃତ କୃଷ୍ଣଙ୍କ ଗୋଷ୍ଠୀର ବହୁ ସମର୍ଥକ ମୃତଦେହକୁ ନେଇ ଗାଁ ଶ୍ମଶାନରେ ଅନ୍ତିମ ସତ୍କାର କରିଥିଲେ। ଗ୍ରାମରେ ଏକ ପ୍ରକାର ଅସ୍ୱଭାବିକ ବାତାବରଣ ଲାଗି ରହିଛି। ପୁଲିସ୍‍ର ଗିରଫଦାରୀ ଭୟରେ ବହୁ ସଂଖ୍ୟାରେ ଗଣ୍ଡଗୋଳକାରୀ ଗାଁ ଛାଡି ଚାଲିଯାଇଛନ୍ତି। ବହୁ ଦିନର ନୀରବତା ପରେ ପୁଣି ଭଂଜନଗର ଥାନା ଅଞ୍ଚଳରେ ବୋମାମାଡ ପରି ଘଟଣା ଗଂଜାମ ଜିଲ୍ଲାରେ ଚହଳ ସୃଷ୍ଟି କରିଛି। ତେବେ ଏହି ବୋମା କେଉଁଠାରୁ ଆସିଲା ପୁଲିସ୍‍ ଏହି ସଂକ୍ରାନ୍ତରେ ତଦନ୍ତକୁ ଜୋରଦାର ଚଳାଇଛି।

ସୂଚନାଯୋଗ୍ୟ, ଏଠାରୁ ପ୍ରାୟ ୨୦ କି.ମି ଦୂର ଫୁଲବାଣୀ ରାସ୍ତା ତଥା ଭଂଜନଗର ବ୍ଳକର ଉପାନ୍ତ ଅଞ୍ଚଳ ଦଦରାଲୁଣ୍ଡା ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରସଂଗକୁ ନେଇ ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିଲା। ଗତକାଲି ସକାଳେ ଏକ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ବୃଦ୍ଧି ପାଇଥିଲା। ଗୋଟିଏ ଗୋଷ୍ଠୀର ଦୁଇ ଯୁବକ ବାଇକ ଧରି ରାସ୍ତା ଉପରେ ଠିଆ ହୋଇ ରହିଥିବା ବେଳେ ବିରୋଧି ଗୋଷ୍ଠୀର ଦୁଇ ଯୁବକ ଏହାର ପ୍ରତିବାଦ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ, ହାତାହାତି ଓ ଠେଲା ପେଲା ହୋଇ କ୍ରମଶ ଏହା ଗୋଷ୍ଠୀ ବିବାଦରେ ପରିଣତ ହୋଇଥିଲା। ଠିକ୍‍ ଗ୍ରାମର ଦୁଇ ପ୍ରମୁଖ ବସ୍ତି ମଧ୍ୟରେ ମହାଁମୁହିଁ ହୋଇ ଉତ୍ତେଜେନା ଉଗ୍ର ରୂପ ନେଇଥିଲା। ଏଥିରେ ନିକଟସ୍ଥ ପଇତା ଗ୍ରାମର କିଛି ଯୁବକ ଗୋଟିଏ ଗୋଷ୍ଠୀକୁ ସମର୍ଥନ କରି ବିବାଦ ମଧ୍ୟରେ ଛନ୍ଦି ହୋଇ ରହିଥିଲେ। ସନ୍ଧ୍ୟା ସମୟରେ ଦଦରାଲୁଣ୍ଡା ଗ୍ରାମର ମୁସୁଲ୍‍ ଗୌଡ, ପ୍ରଦୀପ ଗୌଡ ଓ ନୃପକୁମାର ସାହୁ ପଇତା ଗ୍ରାମକୁ ସୁପ୍‍ ପିଇବାକୁ ଯାଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗ୍ରାମର କିଛି ଯୁବକ ସଂପୃକ୍ତ ୩ ଯୁବକଙ୍କୁ ତୀବ୍ର ବିରୋଧ କରିଥିଲେ। ଫଳରେ ଗଣ୍ଡୋଗଳର ସୁତ୍ରପାତ ଘଟିଥିଲା। ସେଠାରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ଓ ହାତାହାତି ହେବା ବେଳେ ପଇତା ଗ୍ରାମର ଗଣ୍ଡୋଗଳକାରୀ ଯୁବକମାନେ ଦଦରାଲୁଣ୍ଡାର ସପକ୍ଷବାଦୀ ଗୋଷ୍ଠୀକୁ ଫୋନ୍‍ ଯୋଗେ ଜଣାଇଥିଲେ। ଯଦ୍ୱାରା ମୁସୁଲ ଗୌଡର ବିରୋଧି ଗୋଷ୍ଠୀ ସକ୍ରିୟ ହୋଇ ଉଠିଥିଲେ। ଏହି ସମୟରେ ପଇତା ଗାଁରେ ଥିବା ମୁସୁଲ ଓ ତାର ଦୁଇ ସହଯୋଗୀ ଗ୍ରାମରେ ପହଁଚିବା ପୂର୍ବରୁ ରାସ୍ତାରେ ତାଙ୍କର ବିରୋଧି ଗୋଷ୍ଠି କୁଆଡେ ଆକ୍ରମଣ କରିବାର ଆଶଙ୍କା କରି ନିଜ ନିଜ ଘରକୁ ଫୋନ ଯୋଗେ ଜଣାଇଥିଲେ। ଫୋନ୍‍ କଲ ପାଇ ସେମାନଙ୍କର ଭାଇବନ୍ଧୁ ସହ କିଛି ସମର୍ଥକ ଉଦ୍ଧାର ତଥା ସହଯୋଗ କରିବା ନିମନ୍ତେ କିଛି ବାଟ ଆଗେଇ ଆସିବା କ୍ଷଣି ବିରେଧି ଗୋଷ୍ଠୀ ସହ ମୁହାଁମୁହିଁ ହୋଇ ଗଣ୍ଡୋଗଳ ଆରମ୍ଭ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ମାରପିଟ୍‍ ହୋଇ ପରିସ୍ଥିତି ଉଗ୍ର ରୂପ ଧାରଣ କରିଥିଲା। ଏହି ସମୟରେ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ମୁସୁଲର ଭାଇ କୃଷ୍ଣ ଗୌଡ(୨୦) ସମତେ ଦିଗାମ୍ବର ନାଇକ, ଉଜ୍ଜଳା ନାଇକ ଓ ରିତୁ ନାଇକ ସମେତ ଅନ୍ୟ ୪/୫ ଜଣ ସମାନ୍ୟ ଆହାତ ହୋଇଥିଲେ। ବୋମା ମାଡ ଘଟିବା କ୍ଷଣି ଗଣ୍ଡୋଗଳକାରୀମାନେ ଛତ୍ରଭଂଗ ଦେଇଥିଲେ। ଏହି ସମୟରେ ମସୁଲ, ନୃପ ଓ ପ୍ରଦୀପ ସେଠାରେ ପହଁଚି ଗୁରୁତର ଅବସ୍ଥାରେ କୃଷ୍ଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ଭଂଜନଗର ସରକାରୀ ହାସପିଟାଲ ନେଇ ଆସିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡମେଡିକାଲ ସ୍ଥାନାନ୍ତାରିତ କରାଯାଇଥିଲା ଏବଂ ଚିକିତ୍ସାଧିନ ଅବସ୍ଥାରେ ବିଳମ୍ବିତ ରାତିରେ କୃଷ୍ଣଙ୍କର ମୃତ ଘଟିଥିଲା। ଦିଗମ୍ବର, ଉଜ୍ଜଳ ଓ ରିତୁ ଭଂଜନଗର ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.