ମନରେଗା ଆଇନକୁ ଫୁ… : ମେସିନରେ ଚାଲିଛି କାର୍ଯ୍ୟ, ଭୋକ ଉପାସରେ ଶ୍ରମଜୀବୀ ପରିବାର

ଦୁର୍ନୀତିଖୋରଙ୍କୁ ସୁହାଉଛି ତାଲାବନ୍ଦ

ହରଭଙ୍ଗା : କରୋନା ଭଳି ମହାବିପତିରୁ ବି ମଣିଷ କିଛି ଶିକ୍ଷାଲାଭ କରିପାରିଲାନାହିଁ। ଗୋଟିଏ ପଟେ ମଣିଷ ଜୀବନ ବଞ୍ଚଇାବା ପାଇଁ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ କରୋନା ତାଲାବନ୍ଦ ଦୁର୍ନୀତିଖୋରଙ୍କ ହରିଲୁଟ୍‍ ପାଇଁ ଆଉ ଏକ ସୁଯୋଗ ସୃଷ୍ଟି କରିଛି। ମହାମାରୀ ଭଳି ମହା ବିପତି ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଶ୍ରମଜୀବୀ ପରିବାରଙ୍କ ପାଇଁ ଉଦ୍ଦିଷ୍ଟ ମନରେଗା ଯୋଜନାରେ ମେସିନ ସାହାଯ୍ୟରେ କାର୍ଯ୍ୟ କରାଯିବା ଭଳି ଆଉ ଏକ ସଙ୍ଗୀନ ଦୁର୍ନୀତି ପଦାକୁ ଆସିଛି। କିଛି ଅସାଧୁ ସରକାରୀ କର୍ମଚାରୀ, ଜନପ୍ରତିନିଧିଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା ଏଭଳି କାର୍ଯ୍ୟ ମହାମାରୀ ସମୟରେ ଶ୍ରମଜୀବୀ ପରିବାର ପାଇଁ ବାସ୍ତବରେ କଟା ଘାରେ ଚୂନ ଲଗାଇବା ସଦୃଶ ହୋଇଛି। ସୂଚନା ଅନୁସାରେ ବ୍ଲକର ୨୨ପଞ୍ଚାୟତର ବିଭିନ୍ନ ଗାଁରେ ମନରେଗା ଯୋଜନାରେ ବନ୍ଧ ଉନ୍ନତିକରଣ କାର୍ଯ୍ୟ ପାଇଁ ପାଖାପାଖି ୨ଶହରୁ ଅଧିକ ପ୍ରକଳ୍ପକୁ ମଞୁରୀ ମିଳିଛି। ପ୍ରତ୍ୟେକ ପଞ୍ଚାୟତରେ ପାଖାପାଖି ୧୦ରୁ ଅଧିକ ବନ୍ଧ ଉନ୍ନତିକରଣ କାର୍ଯ୍ୟ ଏହି ଯୋଜନାରେ କରାଯିବାକୁ ସ୍ଥିରିକୃତ ହୋଇଛି। ବର୍ତମାନ କରୋନା ତାଲାବନ୍ଦ ବଳବତର ଯୋଗୁଁ ଶ୍ରମିକ ପରିବାର ରୋଜଗାର ହରାଇ ହାତବାନ୍ଧି ବସିଛି। ଏଭଳି ମହାବିପତି ସମୟରେ ଶ୍ରମିକ ପରିବାରକୁ ଗୁଜୁରାଣ ମେଣ୍ଟାଇବା ପାଇଁ କାମ ଯୋଗାଇବା ପ୍ରଶାସନିକର ଦାୟିତ୍ୱ। ମାତ୍ର ସେମାନଙ୍କ ବୃହତ ସ୍ୱାର୍ଥକୁ ଜଳାଞଳି ଦେଇ କିଛି ଅସାଧୁ ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ମଧୁଚନ୍ଦ୍ରିକାରେ ପ୍ରତ୍ୟେକ ପଞ୍ଚାୟତରେ ମନରେଗା ଯୋଜନାରେ ମେସିନ ସାହାଯ୍ୟରେ ବନ୍ଧ ଉନ୍ନତିକରଣ କାର୍ଯ୍ୟ କରାଯିବା ବ୍ଲକ ପ୍ରଶାସନର ଶ୍ରମିକମାରଣାନୀତି ସାଙ୍ଗକୁ ମନରେଗାରେ ଚାଲିଥିବା ଅନିୟମିତତାକୁ ପଦାରେ ପକାଇଛି। ବନ୍ଧ ଉନ୍ନତିକରଣ ପାଇଁ ଗୋଟିଏ ଗୋଟିଏ ପ୍ରକଳ୍ପକୁ ୫ଲକ୍ଷ ଟଙ୍କା ଅନୁଦାନ ମିଳିଛି। କିନ୍ତୁ ଏହି ଅନୁଦାନ ଅର୍ଥକୁ ମେସିନ ସାହାଯ୍ୟରେ ଦୁଇ/ତିନିଦିନ ମଧ୍ୟରେ ସଂପାଦିତ କରାଯାଇ ମନରେଗା ଟଙ୍କା ହରିଲୁଟ୍‍ କରାଯିବା ବାସ୍ତବରେ ମନରେଗା ଆଇନର ଦୁରୁପାଯୋଗକୁ ପ୍ରମାଣିତ କରିଛି। ଶ୍ରମିକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଥିପ୍ରତି ପଞ୍ଚାୟତରାଜ କମିଶନର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଶ୍ରମିଜୀବୀ ପରିବାର ପକ୍ଷରୁ ଦାବୀ ଉଠୁଛି। ସୂଚନା ଅନୁସାରେ ବ୍ଲକରେ ୩୪ ହଜାର ୨୧୬ଜଣ ପରିବାର ପାଖରେ ଜବ୍‍ କାର୍ଡ ରହିଛି। ସେଥିରୁ ୭୧ହଜାର ୮୩୩ଜଣ ଜଣ ଶ୍ରମିକ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୮ହଜାର୫୬୬ଜଣ(ତଫସିଲ ଭୁକ୍ତ ଜାତି ବର୍ଗର), ୩ହଜାର ୭୪୯ଜଣ (ତଫସିଲ ଭୁକ୍ତ ଜନଜାତି ବର୍ଗର) ଏବଂ ୨୧ହଜାର ୯୦୧ଜଣ ଅନ୍ୟାନ୍ୟ ବର୍ଗର ଶ୍ରମିକ ରହିଛନ୍ତି।

Comments are closed.