ବ୍ରହ୍ମପୁରରେ ସ୍ବତନ୍ତ୍ର କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ସଚିବ ଆର୍‌.ଭିନିଲ କ୍ରୀଷ୍ଣା ଶନିବାର ବ୍ରହ୍ମପୁର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସେ ପ୍ରଥମେ ବ୍ରହ୍ମପୁର ଷ୍ଟାଡିୟମରେ ପହଞ୍ଚିଥିଲେ । ଷ୍ଟାଡିୟମର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ପରିସରରେ ନିର୍ମାଣାଧୀନ କ୍ରୀଡ଼ା ଛାତ୍ରାବାସ, ପଡ଼ିଆ, ସୁଇମିଂପୁଲ ଏବଂ ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତି ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ନିର୍ମାଣ କାର୍ଯ୍ୟରେ ବହୁ ବିଳମ୍ବ ହେଲାଣି । ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦେଶ ଦେଇଥିଲେ ।
ପ୍ରାୟ ୩୭ କୋଟି ଟଙ୍କା ବ୍ୟୟରେ ବ୍ରହ୍ମପୁର ଷ୍ଟାଡିୟମର ଉନ୍ନତିକରଣ ଚାଲିଛି । ସେହିଭଳି ବୈକୁଣ୍ଠନଗର ଠାରେ ନିର୍ମାଣାଧୀନ କ୍ରୀଡ଼ା କ୍ଷେତ୍ର(ସ୍ପୋର୍ଟ୍ସ ଏରିନା)ମଧ୍ୟ ପରିଦର୍ଶନରେ ଯାଇଥିଲେ । ବ୍ରହ୍ମପୁର ମହାନଗର ନିଗମ ତରଫରୁ ୧କୋଟି ୮୦ ଲକ୍ଷ ଟଙ୍କାରେ ଏହା ନିର୍ମାଣ ଚାଲିଛି । ଏଠାରେ ମୁକ୍ତାକାଶ ବ୍ୟାୟାମ, ଯୋଗ ମଣ୍ଡପ, ଭଲିବଲ ଏବଂ କବାଡ଼ି କୋର୍ଟ, ସ୍କେଟିଂ ଟ୍ରାକ୍‌ ଏବଂ ଇଣ୍ଡୋର୍‌ ହଲ୍‌ ଆଦି ରହିଛି । ଜୁଲାଇ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସ୍ବତନ୍ତ୍ର କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା ନିର୍ଦେଶ ଦେଇଥିଲେ । ପରିଦର୍ଶନ ସମୟରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଷ୍ଟାଡିୟମ ଇନଚାର୍ଜ କାଜଲ ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.