ଭୀମା କୋରେଗାଓଁ ହିଂସା ମାମଲା: ୨ ଗିରଫ

0

ନୂଆଦିଲ୍ଲୀ/ମୁମ୍ବଇ : ମହାରାଷ୍ଟ୍ର ଭୀମା କୋରେଗାଁଓ ହିଂସାକାଣ୍ଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ପାଇଁ ମାଓବାଦୀଙ୍କ ଷଡ଼ଯନ୍ତ୍ର ମାମଲାରେ ପୁଣେ ପୁଲିସ୍‍ ମଙ୍ଗଳବାର ୨ ଜଣ ସାମାଜିକ କର୍ମୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ହାଇଦରାବାଦର କବି ତଥା ବାମପନ୍ଥୀ କାର୍ଯ୍ୟକର୍ତ୍ତା ବାରବରା ରାଓ ଏବଂ ଛତିଶଗଡ଼ ଟ୍ରେଡ ୟୁନିଅନ ନେତା ସୁଧା ଭରଦ୍ୱାଜ। ଏହି ମାମଲାରେ ପୁଲିସ୍‍ ମଙ୍ଗଳବାର ସକାଳୁ ମୁମ୍ବଇ, ଦିଲ୍ଲୀ, ରାଞ୍ଚି, ଗୋଆ ଏବଂ ହାଇଦରାବାଦର ଭଳି ବିଭିନ୍ନ ସହରରେ ସାମାଜିକ କର୍ମୀଙ୍କ ଘରେ ଚଢାଉ କରିଥିଲା। ପୁଣେ ପୁଲିସ୍‍ ଦିଲ୍ଲୀରେ ମାନବାଧିକାରୀ କର୍ମୀ ତଥା ସାମ୍ବାଦିକ ଗୌତମ ନାଭଲାଖା, ଛତିଶଗଡ଼ ଶ୍ରମିକ ନେତା ସୁଧା ଭରଦ୍ୱାଜ, ହାଇଦରାବାଦରେ ଲେଖକତଥା ସାମାଜିକ କର୍ମୀ ପି. ବରବରା ରାଓ, ମୁମ୍ବଇରେ ସାମାଜିକ କର୍ମୀ ଭେରନାନ ଗୋନସାଲଭେସ୍‍, ସୁଜେନ ଆବ୍ରାହମ, ସାମ୍ବାଦିକ କ୍ରାନ୍ତି ଟେକୁଲା ଏବଂ ଅରୁଣ ଫରେରା, ରାଞ୍ଚିରୁ ସାମାଜିକ କର୍ମୀ କାଦର ଷ୍ଟେନ୍‍ ସ୍ୱାମୀ, ଗୋଆରେ ସାମାଜିକ କର୍ମୀ ତଥା ଲେଖନ ଆନନ୍ତ ତେଲତୁମ୍ବଡେଙ୍କ ଘର ଉପରେ ଚଢାଉ କରି ଛାନଭିନ୍‍ କରିଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଛି ଓ ୩ ଜଣଙ୍କୁ ପୁଲିସ୍‍ ହପାଜତକୁ ନେଇଛି। ଏମାନେ ସହରାଞ୍ଚଳରେ ସକ୍ରିୟ ଥିବା ମାଓବାଦୀ ସଂଗଠନର କର୍ମକର୍ତ୍ତା ବୋଲି ପୁଲିସ କହିଛି ଓ ସେମାନଙ୍କ ସହ ମାଓବାଦୀଙ୍କ ସମ୍ପର୍କ ନେଇ ତଦନ୍ତ ଚାଲିଛି।
ଏହା ପୂର୍ବରୁ ଚଳିତ ବର୍ଷ ଜୁନ୍‍ ୬ରେ ପୁଲିସ୍‍ ମାନବିକ ଅଧିକାର କର୍ମୀ ରୋନା ଜାକୋବ ୱିଲସନ୍‍, ଓକିଲ ତଥା ସିପିଆଇ (ମାଓବାଦୀ)ର କଥିତ ସଦସ୍ୟ ସୁରେନ୍ଦ୍ର ଗାଡଲିଂ, ସାମାଜିକ କର୍ମୀ ସୁଧିର ଧାୱାଲେ ଓ ମହେଶ ରାଉତ୍‍ ଏବଂ ପ୍ରାଧ୍ୟପାକ ଶୋମା ସେନ୍‍ଙ୍କୁ ଗିରଫ କରିଥିଲା।
ଉଲ୍ଲେଖ ଯେ ୨୦୧୮ ଜାନୁଆରୀରେ ଭୀମା କୋରେଗାଓଁ ଯୁଦ୍ଧର ୨୦୦ ବର୍ଷପୂର୍ତ୍ତି ଅବସରରେ ସୃଷ୍ଟ ହିଂସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାର ଯାଞ୍ଚ ବେଳେ ପୁଣେ ପୁଲିସ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ମାଓବାଦୀଙ୍କ ଷଡ଼ଯନ୍ତ୍ରୀ ସଂକ୍ରାନ୍ତ ଇ-ମେଲ ଓ ଚିଠି ଜବତ କରିଥିଲା। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା ଶୈଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ କୁହାଯାଇଥିଲା।

Leave A Reply