ଭୁଟାନ ସୀମାରେ ପୁଣି ଗାଁ ବସାଇଲାଣି ଚୀନ୍

ନୂଆଦିଲ୍ଲୀ: ଲଦାଖ ଓ ଅରୁଣାଚଳ ପ୍ରଦେଶ ପରେ ଏବେ ଭୁଟାନ ସୀମାନ୍ତରେ ଭାରତକୁ ଧମକାଇବା ଭଳି ଗ୍ରାମ ପ୍ରତିଷ୍ଠା କରିଛି ଚୀନ୍। ପୂର୍ବରୁ ମଧ୍ୟ ଏଭଳି ଗ୍ରାମ ପ୍ରତିଷ୍ଠା ସମ୍ପର୍କରେ ସୂଚନା ମିଳିଥିଲା; ତେବେ ସଦସ୍ୟ ହସ୍ତଗତ ଖବର ଅନୁଯାୟୀ, ଭାରତ ଓ ଭୁଟାନ ସଂଲଗ୍ନ ସାଇବୁରୁ ଅଞ୍ଚଳରେ ଚୀନ୍ ୩୯ଟି ଦୁଇ ମହଲା ବିଶିଷ୍ଟ ଘର ତିଆରି କରିଛି। ସେଥିମଧ୍ୟରୁ ୨୭ଟିର କାମ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ ୧୯ଟି ଅଧାରେ ଅଛି ଓ ଅନ୍ୟଗୁଡ଼ିକ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ନଭେମ୍ବର ୧୯ରେ କାପେଲା ସ୍ପେସ୍ ଦ୍ବାରା ଉତ୍ତୋଳିତ ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ଲକ୍ଷ୍ୟ କରାଯାଇଛି ଯେ ଚଳିତ ବର୍ଷ ପ୍ରାରମ୍ଭରେ ଭୁଟାନ ସୀମାରେ ଯେଉଁ ଗ୍ରାମ ପ୍ରତିଷ୍ଠା କରାଯାଇଥିଲା ତା’ଠାରୁ ଏହା ଅଲଗା। ଏସବୁ ବିଶେଷତଃ ପାଙ୍ଗଡ଼ା ଓ କ୍ୟୁଲେଠାରେ ନିର୍ମିତ ହୋଇଛି। ଆମେରିକୀୟ ବିଶେଷଜ୍ଞ କ୍ରିସ୍ ବିଗର୍ସ ଏହି ଚିତ୍ରଗୁଡ଼ିକର ଅନୁଶୀଳନ କରି କହିଛନ୍ତି ଯେ ବାସ୍ତବରେ ସମ୍ପୃକ୍ତ ଅଞ୍ଚଳରେ ୮୪ଟି ନିର୍ମାଣ ଦୃଶ୍ୟମାନ ହେଉଛି। ସେଥିମଧ୍ୟରୁ ୩୯ଟିର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ୪୫ଟି ଶେଷ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ଉତ୍ତୋଳିତ ଚିତ୍ରରେ ୮୦ରୁ ଅଧିକ ନିର୍ମାଣ ଲକ୍ଷ୍ୟ କରାଯାଇଛି। ମୋଟ ୪ଟି କ୍ଷେତ୍ରରେ ଏଗୁଡ଼ିକ ନିର୍ମିତ ହୋଇଥିବା ବେଳେ ଗୋଟିଏ ଚିତ୍ରରେ ୫୮ଟିର ନିର୍ମାଣ ଶେଷ ହୋଇଥିବା ଦେଖାଯାଉଛି। ଅଲଗା ସ୍ଥାନରେ ୧୫ଟିର ମୂଳଦୁଆ ପକାଯାଇଛି।

ଭାରତ ସହିତ ୨୦୨୦ରେ ବିବାଦ ସୃଷ୍ଟିହେବା ପରେ ଚୀନ୍ ଭୁଟାନ ସୀମା ସଂଲଗ୍ନ ବିବାଦୀୟ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ନଭେମ୍ବର ୨୦୨୦ରୁ ନଭେମ୍ବର ୨୦୨୧ ମଧ୍ୟରେ ଏଗୁଡ଼ିକର ନିର୍ମାଣ କରାଯାଇଛି। ପାଙ୍ଗଡ଼ା ଅଞ୍ଚଳରେ ସର୍ବାଧିକ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଠାରେ ବାସଗୃହ ସହିତ ବଙ୍କର ଓ ସାମରିକ ସରଞ୍ଜାମ ମହଜୁଦ ରଖିବା ପାଇଁ ଭଣ୍ଡାର ଘର ନିର୍ମାଣ କରୁଛି। ପାଙ୍ଗଡ଼ାର ଚାରି ଦିଗରେ ଏଭଳି ବହୁମୁଖୀ ନିର୍ମାଣ କାର୍ଯ୍ୟ ଚାଲିଛି। ପାଙ୍ଗଡ଼ାର ଉତ୍ତର-ପଶ୍ଚିମ ପଟେ ବଙ୍କର ଠାବ କରାଯାଇଛି। ଏହି ଅଞ୍ଚଳରେ ସର୍ବଦା ସାମରିକ ଯାନ ଚଳପ୍ରଚଳ ସହ ଯନ୍ତ୍ରପାତି ବୁହା ହେଉଥିବା ଦେଖାଯାଉଛି। ଚଳିତ ବର୍ଷ ଚୀନ୍ ଓ ଭୁଟାନ ମଧ୍ୟରେ ସୀମା ବିବାଦ ସମାଧାନ ପାଇଁ ତ୍ରିସ୍ତରୀୟ ଯୋଜନାର ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ପୂର୍ବରୁ ୧୯୮୪ରେ ମଧ୍ୟ ଏଭଳି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଅପରପକ୍ଷରେ ଭାରତ ଓ ଚୀନ୍ ମଧ୍ୟରେ ସମାନ ବୁଝାମଣା ଚାଲିଥିବା ପ୍ରକାଶ।

Comments are closed.