ମଦ ବନ୍ଦ ପାଇଁ ତେଜିଲେ ଗ୍ରାମବାସୀ: ବିକିଲେ ତଣ୍ଡ, ଜଣାଇଲେ ପୁରସ୍କାର

ଖଲ୍ଲିକୋଟ: ବେଆଇନ ମଦ କାରବାର ଗଞ୍ଜାମ ଜିଲାର କୋଣ ଅନୁକୋଣରେ ବୃଦ୍ଧି ପାଇ ଚାଲିଛି। ଅବକାରୀ ଓ ପୁଲିସର ନିଷ୍କ୍ରୟତା ଏହି ବେଆଇନ କାରବାରର ପ୍ରମୁଖ କାରଣ। ଏଥିପାଇଁ ଗାଁ ଗାଁରେ ଓ ଘରେ ଘରେ ସୃଷ୍ଟି ହେଉଛି ସାମାଜିକ ଏବଂ ପାରିବାରିକ ବିଶୃଙ୍ଖଳା। ଏଥିରୁ ମୁକ୍ତି ପାଇବାକୁ କେତେକ ଗ୍ରାମବାସୀ କଠୋର ନିଷ୍ପତ୍ତି ନେଉଛନ୍ତି। ଆଉ କେତେକ ସ୍ଥାନରେ ମହିଳା ଗୋଷ୍ଠୀ ଠେଙ୍ଗାବାଡି ଧରି ମଦୁଆ ଓ ମଦ ବିକ୍ରେତାଙ୍କୁ ସାବାଡ କରୁଛନ୍ତି। ଏହାର ନିଚ୍ଛକ ନିଦର୍ଶନ ଦେଖବାକୁ ମିଳିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ତାଳପଡା ଗ୍ରାମରେ। ଗାଁକୁ ମଦମୁକ୍ତ କରିବାକୁ ଗ୍ରାମବାସୀ କଠୋର ନିଷ୍ପତ୍ତି ନେଇଛନ୍ତି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ଫାସୁଳା, ପଥରା ସମେତ ବିଭିନ୍ନ ଗ୍ରାମରେ ମହିଳାମାନେ ମଦ ବିକ୍ରିକୁ ରୋକିବା ପାଇଁ ଉଦ୍ୟମ କରିଛନ୍ତି।

ଗତ ଅକ୍ଟୋବର ୨୪ ତାରିଖ ତାଳପଡାର ପ୍ରାୟ ଏକ ହଜାର ମହିଳା ଏକତ୍ରିତ ହୋଇ ଗ୍ରାମରେ ଥିବା ସରକାରୀ ଭାଟିରେ ତାଲା ପକାଇଥିଲେ। ଜିଲା ପ୍ରଶାସନ ସେଠାରୁ ଭାଟି ଉଠାଇବା ପରିବର୍ତ୍ତେ ଗ୍ରାମରେ ଆନ୍ଦୋଳନରତ ମହିଳା ଓ ପୁରୁଷଙ୍କ ବିରୋଧରେ ମକଦ୍ଦମା କଲେ। ସେହିଦିନଠାରୁ ଗ୍ରାମର ମହିଳାମାନେ ତାଳପଡା ଗ୍ରାମକୁ ସମ୍ପୂର୍ଣ ନିଶାମୁକ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଗ୍ରାମରେ ନିଶା ବେପାରୀମାନେ ବାହାରୁ ଓ ବିଭିନ୍ନ ଆଦିବାସୀ ଅଞ୍ଚଳରୁ ବେଆଇନ ଦେଶୀ ମଦ ଆଣି ତାଳପଡାରେ ଖୋଲାଖୋଲି ବିକ୍ରି କରୁଛନ୍ତି। ଏହାକୁ ସବୁଦିନ ପାଇଁ ବନ୍ଦ କରିବାକୁ ଆଜି ଗ୍ରାମବାସୀ ବୈଠକରେ ସ୍ଥିର କରିଛନ୍ତି। ଗଁାରେ ଯେକେହି ମଦ ବିକିଲେ ନଗଦ ଦଶହଜାର ଟଙ୍କା ଜୋରିମାନା ଓ ମଦ ବିକ୍ରି ସମ୍ପର୍କରେ ଗ୍ରାମବାସୀଙ୍କୁ ସୂଚନା ଦେଲେ ୫୦୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। କେବଳ ସେତିକି ନୁହେଁ ଏ ସଂକ୍ରାନ୍ତରେ ଗ୍ରାମର ସ୍ଥାନେ ସ୍ଥାନେ ସୂଚନାଫଳକ ଲଗାଇ ଦିଆଯାଇଛି। ଏ କ୍ଷେତ୍ରରେ ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗ ଗ୍ରାମବାସୀଙ୍କୁ କେତେଦୂର ସହଯୋଗ କରିବେ ତାହା ସମୟ କହିବ।

Comments
Loading...