ବିକାଶର ସୋପାନ ଚଢ଼ିପାରୁନି ଲାକୁବାଡି

ଫଳକରେ ସୀମିତ ବାହ୍ୟ ମଳମୁକ୍ତ ଗାଁ,-ଚୁଲି ଧୂଆରୁ ମହିଳାଙ୍କୁ ମିଳୁନି ମୁକ୍ତି

ରାୟଗଡା : ମୌଳିକ ସୁବିଧା ସ୍ୱପ୍ନ ପାଲଟିଛି। ଗାଁକୁ ଭଲ ରାସ୍ତା ନାହିଁ। ଭଙ୍ଗା ଘରେ ଲୋକେ ଜୀବନ ବିତାଉଛନ୍ତି। ସଦର ମହକୁମାଠାରୁ ମାତ୍ର ୧୫ କିମି ଦୂରରେ ଥିବା ଗାଁର ଭାଗ୍ୟ ବଦଳି ପାରୁନି। ବିକାଶ ଅପହଞ୍ଚ ହୋଇଛି। ଗାଁଠାରୁ ୧ କି.ମି. ଦୂରରେ ଚକାଚକ ୩୨୬ ନମ୍ବର ଜାତୀୟ ରାଜପଥ ଯାଇଛି। ତଥାପି କୌଣସି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ନ ପଡିବା ପରିତାପର ବିଷୟ। ଏପରି ଦୀପତଳ ଅନ୍ଧାର ଗାଁ ହେଉଛି ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲା ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ଲାକୁବାଡି। ଏହି ଗାଁରେ ଘର ମୋଟ ୩୭ ଘର ରହିଛି। ଲୋକସଂଖ୍ୟା ପ୍ରାୟ ୨୦୦। ମାଟି ରାସ୍ତାରେ ଲୋକେ ଯାତାୟାତ କରୁଛନ୍ତି। ବର୍ଷାଦିନେ ଗାଁ ଅବସ୍ଥା ଶୋଚନୀୟ ହୋଇପଡୁଛି। କୁଲି କାମ କରି ଲୋକେ ଚଳୁଛନ୍ତି। ଗ୍ରାମବାସୀ ଡଙ୍ଗର ଉପରକୁ ଯାଇ ଖଲି ତିଆରି ପାଇଁ ପତ୍ର, ଜାଳେଣି, ଦଉଡି ଆଦି ସଂଗ୍ରହ କରନ୍ତି। ତାକୁ ଆଣି ପାଖ ବଜାରରେ ବିକ୍ରି କରୁଛନ୍ତି। କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନା ଲୋକଙ୍କ ପାଇଁ ସପନ ହୋଇଛି। ଚୁଲି ଧୂଆଁରୁ ମହିଳାଙ୍କୁ ଆଜି ବି ମୁକ୍ତି ମିଳି ନ ଥିବା ଏହି ଗାଁରେ ଦେଖିବାକୁ ମିଳିଛି। ମାଟି ବୋଳା ଚୁଲି ସାହାଯ୍ୟରେ ରୋଷେଇ ହେଉଛି। ସରକାରଙ୍କ ଲେବର କାର୍ଡରୁ ଗ୍ରାମର ଅଧିକାଂଶ ଲୋକ ବଞ୍ଚିତ ହୋଇଛନ୍ତି। ଖାଲି ମିଛ ପ୍ରତିଶ୍ରୁତି ମିଳୁଛି। ଧୋବ ଫର ଫର କପଡା ପିନ୍ଧି ନେତା ଗାଡି ଘୋଡା ଚଢି ଆସନ୍ତି। ଭୋଟ ଭିକ୍ଷା କରନ୍ତି। ଭୋଟ ସରିଗଲେ ଧରା ଛୁଆଁ ଦିଅନ୍ତିନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଜୁ ପକ୍କାଘର ହେଉ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗାଁ ବାରଣ୍ଡା ମାଡି ପାରିନି। ପୂର୍ବ ପୁରୁଷରୁ ରହିଆସୁଥିବା ସେହି ଭଙ୍ଗାଦଦରା ଘରେ ଜୀବନ ବିତାଇବାକୁ ପଡୁଛି। କେବଳ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ଆଉ ଫରେଷ୍ଟ ଅଫିସ୍‍କୁ ଛାଡିଦେଲେ ବାକି ସବୁ କଚ୍ଚା ଘର। ଗ୍ରାମର ସମସ୍ତଙ୍କର ପଟ୍ଟା ଅଛି। ଅନେକ ଥର ଘର ଖଣ୍ଡେ ପାଇଁ ଆବେଦନ କରାଯାଇଛି। ଅଦ୍ୟାବଧି ସରକାରୀବାବୁ ଘରଟିଏ ଦେଇ ନାହାନ୍ତି ବୋଲି ଗ୍ରାମର ଜଣେ ମହିଳା ମାୟା ଖରା କହିଛନ୍ତି। ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ମିଳିଥିଲେ ମଧ୍ୟ ତାହାର ଅବସ୍ଥା ନ କହିଲେ ଭଲ। ୪ ବର୍ଷ ତଳେ ପାଇଖାନା ତିଆରି ହୋଇଥିଲା। ଏହାକୁ ପୁନଃ ମରାମତି କରାଯାଇଥିଲେ ମଧ୍ୟ ପାଇଖାନାଗୁଡିକର ଅବସ୍ଥା ଶୋଚନୀୟ ହୋଇଛି। କେତେକ ପାଇଖାନାରେ କେବଳ ବାଉଁଶ ବତା ସାହାଯ୍ୟରେ ଟିଣକୁ ରଖାଯାଇଛି। ଆଉ କେତେକ ପାଇଖାନା କାନ୍ଥ ଫାଟି ଆଁ କଲାଣି। ପାଇଖାନା କାମ ଅତ୍ୟନ୍ତ ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଗ୍ରାମ୍ୟ ଜଳ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀ ଦୀପ୍ତିମୟୀ ବତ୍‍ଲାଭଦ୍ରାଙ୍କୁ ପଚାରିବାରୁ ମୁଁ ନୂଆ କରି ଏଠାକୁ ଆସିଛି। ସମସ୍ୟା ସମ୍ପର୍କରେ ଅବଗତ ନାହିଁ। ଆଗାମୀଦିନରେ ଗ୍ରାମବାସୀଙ୍କୁ ବୁଝାଯାଇ ପାଇଖାନାଗୁଡିକ ମରାମତି କରାଯିବ ବୋଲି ସେ କହିଛନ୍ତି। ନାମକୁ ସ୍ୱଚ୍ଛସାଥିଙ୍କୁ ନିଯୁକ୍ତି ଦିଆଯାଇଛି। କେତେକ ପାଇଖାନା ଘରେ କୁକୁଡା ଏବଂ ଲାଉ ରଖାଯାଉଛି। ମୁକ୍ତାକାଶ ଶୌଚାଳୟ ହିଁ ଗ୍ରାମବାସୀଙ୍କୁ ଭରସା ହୋଇଛି। ଖାଲି ହୋର୍ଡିଂରେ ଶୋଭା ପାଉଛି ବାହ୍ୟ ମଳମୁକ୍ତ ଗାଁ। ଗାଁରେ ଡ୍ରେନେଜ୍‍ ସୁବିଧା ନଥିବାରୁୂ ମଶା ମାଛି ମଧ୍ୟ ବୃଦ୍ଧି ପାଉଛି। ଉଚ୍ଚଶିକ୍ଷିତ ହୋଇଥିବା ପିଲାଙ୍କୁ କୌଣସି ସରକାରୀ କିମ୍ବା ଘରୋଇ ସଂସ୍ଥାରେ ଚାକିରି ମିଳିନି। ଯଦି ସରକାର ଆମର ସମସ୍ୟା ଉପରେ ଦୃଷ୍ଟି ନ ଦିଅନ୍ତି ଆମେ ଗ୍ରାମବାସୀ ବାଧ୍ୟ ହୋଇ ଆଗାମୀ ନିର୍ବାଚନରେ ଭୋଟବର୍ଜନ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ସମସ୍ୟା ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝିଙ୍କୁ ପଚାରିବାରୁ ୨୦୧୧ ଜନଗଣନା ସାମାଜିକ ଓ ଅର୍ଥନୈତିକ ଅନୁଯାୟୀ ହିତାଧିକାରୀଙ୍କ ପ୍ରାଥମିକତା ତାଲିକାରେ ସେମାନଙ୍କ ନାମ ନାହିଁ। ଯଦି ସେମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିବ ଆସନ୍ତା ଜନଗଣନା ପରେ ସେମାନଙ୍କୁ ଆବାସ ଯୋଜନାରେ ଘର ଯୋଗାଇଦିଆଯିବ ବୋଲି ସେ କହିଛନ୍ତି।

Comments
Loading...