୨୦୯ ପଞ୍ଚାୟତ ପାଇଁ ୧୬୫୦ ପ୍ରକଳ୍ପ ମଞ୍ଜୁର

0

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୯ଟି ଜିଲାର ୧୦ଟି ବ୍ଲକ ଅନ୍ତର୍ଗତ ୨୦୯ଟି ପଞ୍ଚାୟତ ପାଇଁ ୧୬୫୦ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏଥିରେ ୪୯.୬୯ କୋଟି ଟଙ୍କା ବ୍ୟୟ ହେବ। ଆଜିର କାର୍ଯ୍ୟକ୍ରମକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟର ୧୬୫ଟି ବ୍ଲକ ଅନ୍ତର୍ଗତ ୩୭୧୭ଟି ପଞ୍ଚାୟତର ଜନସାଧାରଣଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ୭୯୩.୯୬ କୋଟି ଟଙ୍କାର ୩୪, ୧୧୨ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲା ଆସ୍କା ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୬.୫୦ କୋଟି ଟଙ୍କାର ୧୨୯ଟି ପ୍ରକଳ୍ପ, ପୁରୀ ଜିଲା ପିପିଲି ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୬.୫୭ କୋଟି ଟଙ୍କାର ୨୮୬ଟି, ନୂଆପଡ଼ା ଜିଲା ନୂଆପଡ଼ା ବ୍ଲକର ୩୧ଟି ପଞ୍ଚାୟତ ପାଇଁ ୫.୮୨କୋଟି ଟଙ୍କାର ୨୭୮ଟି, ଭଦ୍ରକ ଜିଲା ଭଦ୍ରକ ବ୍ଲକର ୩୬ଟି ପଞ୍ଚାୟତ ପାଇଁ ୯କୋଟି ଟଙ୍କାର ୨୯୩ଟି, କେନ୍ଦୁଝର ଜିଲାର ସଦର ବ୍ଲକ ଅନ୍ତର୍ଗତ ୨୪ଟି ପଞ୍ଚାୟତ ପାଇଁ ୬କୋଟି ଟଙ୍କାର ୧୭୬ଟି, ଖୋର୍ଦ୍ଧା ଜିଲା ଭୁବନେଶ୍ବର ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୫ କୋଟି ଟଙ୍କାର ୧୦୯ଟି, ଜଟଣୀ ବ୍ଲକର ୧୫ଟି ପଞ୍ଚାୟତ ପାଇଁ ୩.୭୫ କୋଟି ଟଙ୍କାର ୧୦୭ଟି, ସମ୍ବଲପୁର ଜିଲା ଧନକଉଡ଼ା ବ୍ଲକର ୮ଟି ପଞ୍ଚାୟତ ପାଇଁ ୨.୨୫କୋଟି ଟଙ୍କାର ୧୦୮ଟି, ବରଗଡ଼ ଜିଲା ଝାରବନ୍ଧ ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୨.୮୦କୋଟି ଟଙ୍କାର ୭୧ଟି ଏବଂ କନ୍ଧମାଳ ଜିଲା ଫୁଲବାଣୀ ବ୍ଲକର ୧୦ଟି ପଞ୍ଚାୟତ ପାଇଁ ୨କୋଟି ଟଙ୍କାର ୯୩ଟି ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି।
ଆମ ଗାଁ ଅାମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୂହିକ କାର୍ଯ୍ୟାନ୍ବୟନ ଓ ସ୍ବଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି। ଆଜିର କାର୍ଯ୍ୟକ୍ରମରେ ପ୍ରାୟ ଦେଢ଼ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ମନ୍ତ୍ରିପରିଷଦ ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ସଂପୃକ୍ତ ଜିଲାର ଜିଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave A Reply