ଏଇ ମୋର ଗାଆଁ ଟି…!

ସ୍ବାର୍ଥସର୍ବସ୍ବ ସମାଜରେ ହଜିଯାଉଛି ମଣିଷପଣିଆ

‘ଛୋଟ ମୋର ଗାଁ’ଟି, ଭୂଗୋଳ ପୋଥି ପତରେ ପଛେ ନଥାଉ ତା’ର ନାଁ’ଟି….।’… କବି ସଚ୍ଚି ରାଉତରାୟଙ୍କ ରଚିତ ଏହି ହୃଦୟସ୍ପର୍ଶୀ କବିତା ପଙକ୍ତିଟି ଗାଁ ମଣିଷଙ୍କ ସହିତ ଗାଁ ଛାଡ଼ି ସହରରେ ରହୁଥିବା ମଣିଷ ହୃଦୟରେ ଶିହରଣ ଖେଳାଇ ଦେଉଥିଲା। ସମସ୍ତେ ଗାଁ ପରିବେଶର ସ୍ୱପ୍ନ ରାଇଜରେ ନିମିଷକ ପାଇଁ ଘୂରି ବୁଲୁଥିଲେ। ଶସ୍ୟଶ୍ୟାମଳା ଗାଁ ମାଟି କୋଳରେ ଖୁସିରେ ସମୟ କାଟୁଥିଲେ। ଗାଁର ଶିକ୍ଷା ମଣିଷକୁ ସଂସ୍କାର, ସଂସ୍କୃତି ଓ ପରମ୍ପରାର ଶିକ୍ଷା ଦେଉଥିଲା। ନମ୍ର ସ୍ବଭାବ, ମାର୍ଜିତ କଥାବାର୍ତ୍ତାରୁ ଜଣେ ଶିକ୍ଷିତ ବୋଲି ଜଣାପଡୁଥିଲେ। ଚାରି ଖଣ୍ଡ ଗାଁରେ ସଭାସମିତି, ଯାନିଯାତ୍ରାରେ ତାଙ୍କୁ ପ୍ରଥମେ ଖୋଜା ପଡୁଥିଲା। ଏ’ଥିଲା ପୁରୁଣା ଓ ଅ-ପାଠୁଆଙ୍କ ସେବେକା ଗାଁ’ ପରମ୍ପରା।
ଚାଳଛପର ଘର, ସବୁଜ ଧାନକ୍ଷେତ ସହିତ ଗୁରୁଜନ-ଲଘୁଜନଙ୍କ ମଧ୍ୟରେ ସ୍ନେହଶ୍ରଦ୍ଧା, ଭଲ ପାଇବା ଥିଲା ଗାଁର ଆଉ ଏକ ନିଆରା ଆଦର୍ଶ। ଗାଁରେ କାହା ପୁଅ ବଡ଼ ଚାକିରିଟିଏ ପାଇଲେ ଚାରିଖଣ୍ଡ ଗାଁରେ ଚହଳ ପଡ଼ିଯାଉଥିଲା – ଅମୁକ ପୁଅ ହାକିମ ଚାକିରି ପାଇଛି! କେବଳ ପରିବାରରେ ଏହି ହସଖୁସି ସୀମିତ ରହୁନଥିଲା। ଗାଁ ସାରାଲୋକଙ୍କ ଗୋଡ଼ ବି ଖୁସିରେ ତଳେ ଲାଗୁନଥିଲା। ଗାଁରେ ଭୋଜିଭାତର ଆସର ଜମୁଥିଲା। ଏମିତି କେତେ କ’ଣ… । ଏଥିଲା ସେବେକାର ଗାଁ’ର ଚିତ୍ର?
ଯୌଥ ପରିବାର ଥିଲା ଗାଁର ଆଉ ଏକ ପରିଚୟ। ପରିବାରର ସମସ୍ତ ସଦସ୍ୟ ଏକାଠି ରହୁଥିଲେ, ଏକାଠି ଖାଉଥିଲେ। ସୁଖଦୁଃଖରେ ସହଭାଗୀ ହେଉଥିଲେ; ହେଲେ ଏବେ ଆଉ ସେ ଗାଁର ଚିତ୍ର ନାହିଁ। କାଁ ଭାଁ ପରିବାରକୁ ଛାଡ଼ି ଦେଲେ ସହର ପରି ଛୋଟଛୋଟ ପରିବାରରେ ବର୍ତ୍ତମାନ ୱାଇଫାଇର ଗାଁ ପୂରି ଉଠିଲାଣି। ଘର ଅଗଣାରେ ପାଚେରି। ପାଦ ଥୋଇବାକୁ ରାସ୍ତା ନାହିଁ; କିନ୍ତୁ ଘର ଭିତରେ ବାଉଁଶ ତାଟି ମୁଣ୍ଡଟେକି ଉଠୁଛି। ଛୋଟ ପରିବାରର ସଙ୍କେତ ଦେଉଛି। ଭାଇ-ଭାଇ, ବାପ-ପୁଅ ମଧ୍ୟରେ ଭାଗବଣ୍ଟା। ସ୍ନେହ, ମମତା ଉଭେଇ ଯାଇଛି। ଚାଖଣ୍ଡେ ଜମି ପାଇଁ ରକ୍ତପାତ! ଏବେ’ର ଶିକ୍ଷିତ ପିଲା ତ ଯୌଥ ପରିବାର କ’ଣ ଜାଣନ୍ତି ନାହିଁ!
ଖାଲି ଯୌଥ ପରିବାରର ପରମ୍ପରା ନୁହେଁ….ସେ ଅବସ୍ଥା ଏବେ ଆଉ ଗାଁରେ ନାହିଁ। ଗାଁ ଗାଁରେ ସହରର ଛାପ। ଘରେଘରେ ପାଠୁଆ। ପାଣି, ବିଜୁଳି, ରାସ୍ତା, ଡାକ୍ତରଖାନା, ସ୍କୁଲ କଲେଜ ସବୁକିଛି ଗାଁରେ ଉପଲବ୍ଧ। ଗାଁରେ ଶିକ୍ଷିତଙ୍କ ସଂଖ୍ୟା ବଢ଼ିଛି, ସାକ୍ଷରତା ହାର ବି ଢେର ଆଗରେ। କେଉଁକେଉଁ ଗାଁର ସାକ୍ଷରତା ହାର ତ ସହରଠୁଁ ବଳି ଗଲାଣି। ସାକ୍ଷରତା ସହିତ ଗାଁର ଶିକ୍ଷିତ ମଣିଷ ଦେହରେ ସହରୀ ସଭ୍ୟତା ବି ବୋଳି ହୋଇପଡ଼ିଛି। ସହର ପରି ଗାଁରେ ଆଉ କେହି କାହା ସାଙ୍ଗରେ ଦୁଃଖସୁଖ ହେଉନାହାନ୍ତି। ମଡ଼ା(ଶବ) ପଡ଼ିଲେ ବି ଜାଣୁନାହାନ୍ତି। ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ ଏବେ ଶିକ୍ଷିତ ଗାଁର ଅବସ୍ଥା। ଯିଏ ସଫଳତା ପାଇଲା; ପ୍ରଶଂସା ଅପେକ୍ଷା କୁତ୍ସାରଟନା ଅଧିକ ଶୁଣିଲା। ଅମୁକ ଅଧିକାରୀଙ୍କୁ, ନେତାଙ୍କୁ, ମନ୍ତ୍ରୀଙ୍କୁ ଟଙ୍କା ଦେଇ ଅମୁକ ଲୋକ ତା’ପୁଅର ସଫଳତା ସାଉଁଟିଛି, ଏମିତି ଅନେକ ଟାହିଟାପରା।
ବର୍ତ୍ତମାନ ଆଧୁନିକତାର ଛାପରେ ଶିକ୍ଷିତ ଓ ଅଶିକ୍ଷିତଙ୍କ ମଧ୍ୟରେ ଅର୍ଥ ଅନର୍ଥର ବିରାଟ ପାଚେରି ଗଢ଼ିଉଠିଛି। ଚାଲିଚଳଣ, ଆଚାର ବ୍ୟବହାର, ଖାଦ୍ୟପେୟ ସବୁଥିରେ ପାର୍ଥକ୍ୟ ଓ ପ୍ରଭେଦ। ଆଧୁନିକ ସମାଜରେ ଶିକ୍ଷିତ ବର୍ଗ ନିଜକୁ ଜ୍ଞାନୀ ଓ ଧନୀ ଭାବୁଛନ୍ତି! ଅଶିକ୍ଷିତ ବର୍ଗ ନିଜକୁ ଅସହାୟ ଓ ଅଦରକାରୀ ବୋଲି ମନେ କରୁଛନ୍ତି। ସବୁଥିରେ ଧନୀରୂପକ ଜ୍ଞାନୀଙ୍କ ସମ୍ପୃକ୍ତି ରହୁଥିବାବେଳେ ଅଶିକ୍ଷିତ ମଣିଷ ଅଲୋଡ଼ା ଓ ଅଖୋଜା ହୋଇପଡୁଛି। ଥିଲା ବାଲା ନଥିଲା ବାଲାଙ୍କ ପରି ଶିକ୍ଷିତ ଓ ଅଶିକ୍ଷିତବର୍ଗଙ୍କ ମଧ୍ୟରେ ଏହି ବ୍ୟବଧାନ ଦିନକୁ ଦିନ ବଢ଼ିଚାଲିଛି। ଅପାଠୁଆ ମଣିଷଠାରୁ ବର୍ତ୍ତମାନ ଶିକ୍ଷିତ ମଣିଷ ହୋଇପଡ଼ିଛି ଅଧିକ ସ୍ୱାର୍ଥପର ଓ ସ୍ୱାର୍ଥନ୍ୱେଷୀ! କେବଳ ‘ମୁଁ’, ‘ଆମେ’ ଓ ‘ମୋର’ରେ ଶିକ୍ଷା ଓ ଶିକ୍ଷିତ ପଣିଆଟା ସୀମିତ ରହିଗଲାଣି। ଅର୍ଥ ଉପାର୍ଜନ ଓ ଆଧୁନିକତା ହିଁ ଶିକ୍ଷିତ ମଣିଷର ପରିଭାଷା ପାଲଟିଛି। ଯାହାର ଯେତେ ଅର୍ଥ ଉପାର୍ଜନ, ସେ ସମାଜରେ ସେତେ ଶିକ୍ଷିତ ଭାବେ ବିବେଚିତ ହେଉଛି। ପବ୍‍, ବାର, ହୋଟେଲ, କ୍ଲବ ଓ ରଙ୍ଗଶାଳା ତଥାକଥିତ ସଂଭ୍ରାନ୍ତ, ଉଚ୍ଚଶିକ୍ଷିତ ବ୍ୟକ୍ତିର ପରିଚୟ ସାଜିଛି।
ସହରର ଶିକ୍ଷିତ ମଣିଷଙ୍କ ସହିତ ତାଳ ଦେଇ ବି ଗାଁର ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଓ ଅଶିକ୍ଷିତ ଯୁବଗୋଷ୍ଠୀ ଧାଇଁଛନ୍ତି। ସେମାନେ ସିନା ପବ୍‍ କି ବାର୍‍କୁ ଯାଉନାହାନ୍ତି; କିନ୍ତୁ ଗାଁରେ ବି କିଛି କମ୍‍ ସୁବିଧା ସୁଯୋଗ ନାହିଁ। ଆଗରୁ ଯିଏ ମଦ ଢୋକେ ପିଉଥିଲା ଗାଁରେ ତାକୁ ମଦୁଆ ବୋଲି ଗାଁ ଲୋକେ ସମ୍ବୋଧନ କରୁଥିଲେ। ତା’ ସହିତ ଗାଁର ଅପାଠୁଆ ମଣିଷମାନେ ମାପିଚୁପି କଥା ହେଉଥିଲେ। ଅନେକ ଗାଁରେ ତ ମଦୁଆଙ୍କୁ ନିଆଁ ପାଣି ବାସନ୍ଦ ପର୍ଯ୍ୟନ୍ତ କଥା ଯାଉଥିଲା। ଏବେ ଆଧୁନିକ ଗାଁର ଦୃଶ୍ୟପଟ ବଦଳି ଯାଇଛି। ବାପା-ପୁଅ, ଭାଇ-ଭାଇ ଏକାଠି ବସି ମଦ ପିଉଛନ୍ତି। ବିବାହ ଭୋଜି ହେଉ କିି ଶୁଦ୍ଧିକ୍ରିୟା ଅବା ଶ୍ରାଦ୍ଧଦିବସ। ଯାନିଯାତ୍ରା, ଉତ୍ସବ ମହୋତ୍ସବ କଥା ତ ନ କହିବା ଭଲ। ଅବସାଦ ଓ ବିଷାଦରେ ବି ଆଗ ମଦ ଖୋଜାପଡୁଛି। ବନ୍ଧୁବାନ୍ଧବଙ୍କୁ ଖବର ନଦେଇ ମଲା ବାପର ପୁଅ ମଦ ଦୋକାନ ଆଗରେ ଧାଡ଼ି ଲଗାଉଛି। ଗଙ୍ଗାଜଳ କି ମହାପ୍ରସାଦ ଦରକାର ପଡୁନି; କିନ୍ତୁ ମଦ ଖୋଜା ପଡୁଛି। ମଦ ପିଇଲେ ମଡ଼ା ଉଠୁଛି! ଯୁବବର୍ଗ ପାଇଁ ମଦ ହିଁ ମୋକ୍ଷପ୍ରାପ୍ତି ଓ ସ୍ୱାର୍ଗପ୍ରାପ୍ତିର ମାଧ୍ୟମ ହୋଇଛି! ଏ’ହେଉଛି ବର୍ତ୍ତମାନର ଶିକ୍ଷିତବର୍ଗଙ୍କ ଗାଁର କଥା। ବଡ଼-ସାନ, ଜ୍ଞାନ-ଅଜ୍ଞାନ ସବୁ ତା’ ପାଇଁ ତୁଚ୍ଛ ହୋଇପଡ଼ିଛି। ସବୁଠି ପାରିବା ପଣିଆ, ସବୁଠି ଦେଖାଇ ହେବାର ନିଶା!
କାହା ପୁଅ ପରୀକ୍ଷାରେ ଭଲ କରିଛି କି କିଏ ଭଲ ଚାକିରିଟିଏ କଲେ ଆଉ ଗାଁରେ ଭୋଜିଭାତର ଆସର ହେଉନି। ଭୋଜିର ସ୍ଥାନ ନେଇଛି ମଦର ଆସର। ଏବେ ଯିଏ ମଦ ପିଇଲାନି, ସିଏ ପୁରୁଷରେ ଗଣା ହେଉନି। ସେ ଏକ ପ୍ରକାର ସେ ନିଃସଙ୍ଗ, ଅସହାୟ। ତା’ର ପ୍ରତିବାଦର ସ୍ୱର ବି ନିଷ୍ପ୍ରଭ। ଏ ହେଉଛି ଏବେ’ର ଶିକ୍ଷିତବର୍ଗଙ୍କ ଗାଁର ଦୃଶ୍ୟ।
ଅହିଂସା ଆନ୍ଦୋଳନର ଉଦ୍‌ଘୋଷକ ଜାତିରଜନକ ମହାତ୍ମା ଗାନ୍ଧୀ ଦିନେ ମଦ ବିରୋଧରେ ‘ହରିଜନ ପତ୍ରିକା’ ମାଧ୍ୟମରେ ସ୍ୱର ଉଠାଇଥିଲେ; କିନ୍ତୁ ସେହି ମହାପୁରୁଷଙ୍କର ଉତ୍ତର ଦାୟାଦ ଯୁବପିଢ଼ି ଆଜି ପଥଚ୍ୟୁତ। ପରିବର୍ତ୍ତିତ ପରିସ୍ଥିତିରେ ଗାନ୍ଧୀଙ୍କ ନୀତି, ନୈତିକତା ଓ ମୂଲ୍ୟବୋଧ ତାଙ୍କ ପାଇଁ ତୁଚ୍ଛ ହୋଇପଡ଼ିଛି। ସୁରା, ମଦିରା, ନାରୀର ସାନ୍ନିଧ୍ୟ ପାଇଁ ସେମାନଙ୍କ ମଧ୍ୟରୁ ଅଧିକାଂଶ ପାଗଳ! କିଏ ପ୍ରେୟସୀର ସାନ୍ନିଧ୍ୟ ନ ପାଇ ଆତ୍ମହତ୍ୟା କରୁଛି, ତ କିଏ ପ୍ରେମିକାର ଜୀବନସାଥୀ ହେବା ସକାଶେ ବାପାମା’ଙ୍କୁ ମାରିଦେବାକୁ ପଛାଉ ନାହିଁ। ଗାନ୍ଧିଜୀଙ୍କର ଅହିଂସା ମନ୍ତ୍ର ସେମାନଙ୍କ ପାଇଁ ମୂଲ୍ୟହୀନ। ହିଂସା, ଦ୍ୱେଷ ଓ ଆତ୍ମଗ୍ଳାନିରେ ଯୁବପିଢ଼ି ଆଜି ଅଣନିଃଶ୍ୱାସୀ ହେଉଛି। ଶିକ୍ଷିତ ଯୁବବର୍ଗ ଜାଗ୍ରତ ନ ହେବା ପର୍ଯ୍ୟନ୍ତ ଆଧୁନିକ ଗାଁର ଅସଲ ଚିତ୍ର ବଦଳି ପାରିବ କି?

ସୁରେନ୍ଦ୍ର ପଲାଇ
ପିପଳ, ଭୂତମୁଣ୍ଡାଇ, ଜଗତସିଂହପୁର

Comments are closed.