ସୀମାନ୍ତ ଗାଁ ଶଙ୍ଖାମେଦୀ: ଗ୍ରାମବାସୀ ଉଭୟ ବଙ୍ଗ, ଓଡ଼ିଶାର ଭୋଟର

‘ଆମେ ଓଡ଼ିଶାର, ସରକାର ପଟ୍ଟା ଦେଇ ରାଜସ୍ୱ ନିଅନ୍ତୁ’

ଭୋଗରାଇ : ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସୀମା ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପଶ୍ଚିମବଙ୍ଗର ସୀମା ଓଡ଼ିଶାର ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାକୁ ଲାଗିଛି। ସୀମାକୁ ନେଇ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ବିବାଦ ଅଧିକ। ଏହି ବ୍ଲକର ୩୬ଟି ଗାଁ ସହ ପଶ୍ଚିମବଙ୍ଗ, ପୂର୍ବ ମେଦିନୀପୁର ଜିଲାର ୪୫ଟି ଗାଁ ଲାଗିକି ରହିଛି। ସୀମା ବିବାଦ ପାଇଁ ଭୋଗରାଇ ବ୍ଲକର ପୂର୍ବ ସୀମାନ୍ତରେ ଥିବା ଶଙ୍ଖାମେଦୀ ଗ୍ରାମରେ ବିଚିତ୍ର ପରିସ୍ଥିତି। ଗ୍ରାମର ସମସ୍ତ ଅଧିବାସୀ ଓଡ଼ିଆ। ସେମାନେ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗର ଭୋଟର। ସେମାନଙ୍କ ଜମିବାଡ଼ି ଓଡ଼ିଶା ବା ପଶ୍ଚିମବଙ୍ଗ, କୌଣସି ରାଜ୍ୟ ସରକାରଙ୍କ ରେକର୍ଡରେ ନାହିଁ। ତେଣୁ ସେମାନଙ୍କର ଆଦୌ ଜମି ପଟ୍ଟା ନ ଥିବାରୁ ସେମାନେ ସରକାରୀ ଘର ପାଇପାରୁ ନାହାନ୍ତି। ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇବାରେ ହଇରାଣ ହେଉଛନ୍ତି। ସେମାନେ ଓଡ଼ିଆ ଏବଂ ଓଡ଼ିଶାର, ଓଡ଼ିଶା ସରକାର ସେମାନଙ୍କୁ ଜମି ପଟ୍ଟା ଓ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପ୍ରଦାନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।
ଶଙ୍ଖାମେଦୀ ଗାଁର ଅଧିବାସୀମାନେ ଭୋଗରାଇ ବ୍ଲକ, ଅନଳିଆ ପଞ୍ଚାୟତର ଭୋଟର ଥାଇ ଆଧାର କାର୍ଡ ଓ ଫଟୋ ପରିଚୟ ପତ୍ର ପାଇଛନ୍ତି। ଗାଁର ଜନସଂଖ୍ୟା ୪ ଶହରୁ ଅଧିକ ଥିବାବେଳେ ଭୋଟର ୨୯୫। ଗାଁରେ ଅନଳିଆ ପଞ୍ଚାୟତର ୧୮ ନମ୍ବର ୱାର୍ଡ ଥିବାବେଳେ ସେଠାରୁ ଜଣେ ନିର୍ବାଚିତ ୱାର୍ଡ ସଦସ୍ୟ ଅଛନ୍ତି। ଏହି ଗାଁ ୧୯୨୭/୨୮ ମସିହା ବୃହତ ବନ୍ଦୋବସ୍ତରେ ଓଡ଼ିଶାର ଅନ୍ତର୍ଭୁକ୍ତ ଥିଲା। ୧୯୮୦ ମସିହା ଯାଏଁ ଏହି ଗ୍ରାମରୁ ଓଡ଼ିଶା ସରକାର ରାଜସ୍ୱ ଆଦାୟ କରୁଥିଲେ। ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗ ସରକାର ଏହି ଗାଁକୁ ନିଜର ବୋଲି ଦାବି କଲେ। ଓଡ଼ିଶା ପଟୁ ଏହି ଗାଁକୁ ଯିବା ପାଇଁ ପଶ୍ଚିମବଙ୍ଗ ଦେଇ ଓଡ଼ିଶା ସରକାରଙ୍କଦ୍ୱାରା ନିର୍ମିତ ଏକ ସଡ଼କ ଯାଇଥିବାରୁ ସେଠିକା ସରକାର ଏହାକୁ ନିଜର ବୋଲି ଦାବି କରିଆସୁଛନ୍ତି। ଏହାଛଡ଼ା ପଶ୍ଚିମବଙ୍ଗ ସରକାରଙ୍କ ଦାବିର ଅନ୍ୟ କିଛି ଆଧାର ନାହିଁ। ୧୯୯୨ ମସିହାରେ ଓଡ଼ିଶାର ତତ୍କାଳୀନ ରାଜସ୍ୱମନ୍ତ୍ରୀ ସୁରେନ୍ଦ୍ର ନାୟକ ଶଙ୍ଖାମେଦୀ ଗାଁ ବଙ୍ଗ ପ୍ରଦେଶରେ ରହିବା ଉଚିତ ବୋଲି କହିବା ସମସ୍ତଙ୍କୁ ଆଚମ୍ବିତ କରିଥିଲା। ଗାଁର ଅଧିବାସୀମାନେ ଓଡ଼ିଶାର ସମସ୍ତ ନିର୍ବାଚନରେ ଭାଗ ନେଇ ଆସୁଛନ୍ତି। ଓଡ଼ିଶା ସରକାରଙ୍କ ତରଫରୁ ସେଠାରେ ପ୍ରାଥମିକ ବିଦ୍ୟାଳୟ ରହିଥିବାବେଳେ ଏବେ ୪୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ। ଗ୍ରାମବାସୀ ଓଡ଼ିଆରେ କଥାବାର୍ତ୍ତା କରିବା ସହ ଆମ ପୂର୍ବପୁରୁଷ ଓଡ଼ିଆ, ଆମେ ଓଡ଼ିଆ କହି ଗର୍ବ ଅନୁଭବ କରୁଛନ୍ତି।
ପଶ୍ଚିମବଙ୍ଗ ସରକାର ମଧ୍ୟ ଏହି ଗାଁକୁ ନିଜର ବୋଲି କହି ଗ୍ରାମବାସୀଙ୍କୁ ଭୋଟର ପରିଚୟପତ୍ର ପ୍ରଦାନ କରିଥିବାରୁ ସେମାନେ ସେ ରାଜ୍ୟର ନିର୍ବାଚନରେ ବି ଭାଗ ନେଉଛନ୍ତି। ବଙ୍ଗ ସରକାର ଗାଁରେ ଶିଶୁ ଶିକ୍ଷାକେନ୍ଦ୍ର ନାମରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ଥିବା ଶିକ୍ଷାନୁଷ୍ଠାନ ଖୋଲିଛନ୍ତି। ଲୋକଙ୍କଠାରୁ ବଳପୂର୍ବକ ବିଭିନ୍ନ କର ଆଦାୟ କରୁଛନ୍ତି। ଏବେ ପଶ୍ଚିମବଙ୍ଗ ସରକାର ଗ୍ରାମବାସୀଙ୍କୁ ମାସରେ ମୁଣ୍ଡ ପିଛା ୧ କେଜି ଚାଉଳ ଓ ୧ କେଜି ଅଟା ଯୋଗାଉଛନ୍ତି। ଗ୍ରାମବାସୀଙ୍କର ଆଦୌ ଜମି ପଟ୍ଟା ନ ଥିବାରୁ କାହାକୁ ସରକାରୀ ଆବାସ ମିଳୁ ନାହିଁ। ଫଳରେ ଲୋକେ ଛୋଟ ଛୋଟ କୁଡିଆରେ ଅତ୍ୟନ୍ତ ଦୁର୍ବିସହ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ଏହାର ସ୍ଥାୟୀ ପ୍ରତିକାର ସହ ଓଡ଼ିଶା ସରକାର ଆମକୁ ଜମି ପଟ୍ଟା ଦେବା ସହ ଆମଠାରୁ ରାଜସ୍ୱ ନିଅନ୍ତୁ ଏବଂ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଦିଅନ୍ତୁ ବୋଲି ଏହି ଗାଁ ୧୮ ନଂ ୱାର୍ଡର ସଦସ୍ୟ ଅଜୟ ଜେନା, ବାସିନ୍ଦା ଉତ୍ତମ ଜେନା, କବିତା ଜେନା, ବିପିନ ଜେନା, ମୃତ୍ୟୁଞ୍ଜୟ ଜେନା, ଭାସ୍କର ଜେନା, ତାପସ ଜେନାଙ୍କ ସମେତ ବହୁ ଗ୍ରାମବାସୀ ନିବେଦନ କରିଛନ୍ତି। ୩୬ଟି ସୀମାନ୍ତ ଗ୍ରାମ ମଧ୍ୟରୁ କେତେକ ଗ୍ରାମରେ ସୀମା ପାଇଁ ସାମୟିକ ବିବାଦ ଉପୁଜୁଥିବା ବେଳେ ଉଦୟପୁର, ସାହାବାଜିପୁର, ଦକ୍ଷିଣସରିଷା, ବାଜିତପୁର, ଶଗଡାସାହି ଓ ବାଘଧଡା ଗ୍ରାମରେ ୧୦ ବର୍ଷ ଧରି ସୀମା ବିବାଦ ଲାଗି ରହିଛି। ଓଡ଼ିଶା ସୀମାନ୍ତ ଗ୍ରାମ ସାହାବାଜିପୁରରେ ନିର୍ମାଣାଧୀନ ବାତ୍ୟା ସୂଚନା କେନ୍ଦ୍ରକୁ ୧୯୮୨ ମସିହାରେ ପଶ୍ଚିମବଙ୍ଗର ଦୀଘା ଉନ୍ନୟନ ପରିଷଦ ଭାଙ୍ଗି ଦେଇଥିଲା।
ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର, ଅତ୍ୟନ୍ତ ରମଣୀୟ ବେଳାଭୂମି ଓ ଉତ୍ତାଳ ଢେଉର ସମୁଦ୍ର ଥିବା ଓଡ଼ିଶାର ଉଦୟପୁର ଗ୍ରାମକୁ ଜବରଦଖଲ କରିବାକୁ ବଙ୍ଗ ପ୍ରଶାସନ ବାରମ୍ବାର ଉଦ୍ୟମ ଚଳାଇଆସିଛି। ସୀମାନ୍ତ ଅଞ୍ଚଳର ଅଧିବାସୀମାନେ ସୀମା ବିବାଦରେ ଛନ୍ଦି ହୋଇ ନୟାନ୍ତ ହୋଇପଡିଥିବାବେଳେ ଓଡିଶା ସରକାରଙ୍କ ଉଦାସୀନତା କାରଣରୁ ପଶ୍ଚିମବଙ୍ଗର ଦାଦାଗିରି କ୍ରମେ ବଢି ଚାଲିଛି।
ଏ ସମ୍ପର୍କରେ ଭୋଗରାଇ ବିଧାୟକ ଅନନ୍ତ ଦାସ କହନ୍ତି, ଶଙ୍ଖାମେଦୀ ଗାଁକୁ ଆମ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି। ସେଠାରେ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ବିଦ୍ୟୁତ, ପକ୍କା ସଡକ ଇତ୍ୟାଦି ଯୋଗାଇ ଦିଆଯାଇଛି। ସୀମା ସମସ୍ୟା ସମ୍ପର୍କରେ ରାଜ୍ୟ ସରକାର ଓ ବିଧାନସଭାଗୃହକୁ ମୁଁ ଅବଗତ କରାଇଛି ବୋଲି କହିଛନ୍ତି।

Comments are closed.