ବିକାଶ ଦୁବେ ଏନ୍କାଉଣ୍ଟର ମାମଲା : ବିଭାଗୀୟ କମିଶନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : କୁଖ୍ୟାତ ଅପରାଧୀ ବିକାଶ ଦୁବେ ଏନ୍କାଉଣ୍ଟର ମାମଲାର ତଦନ୍ତ ପାଇଁ ଗଠିତ ବିଚାର ବିଭାଗୀୟ କମିଶନକୁ ନେଇ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବି.ଏସ୍. ଚୌହାନଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ବିଚାର ବିଭାଗୀୟ କମିଶନକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନବିଚାରପତି ଏସ୍.ଏ. ବୋବ୍ଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି କାନପୁରରେ ଘଟିଥିବା ସେହି ଏନକାଉଣ୍ଟର ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗଠିତ ଏହି କମିଶନ ତାଙ୍କର କାର୍ଯ୍ୟ ସୂଚାରୁ ରୂପେ ସଂପନ୍ନ କରିପାରିବେ। ଗତ ଅଗଷ୍ଟ ୧୧ ତାରିଖରେ ଜଷ୍ଟିସ୍ ଏସ୍. ବୋପନ୍ନା ଓ ଭି.ରାମସୁବ୍ରମଣ୍ୟମ୍ଙ୍କ ଖଣ୍ଡପୀଠ କହିଥିଲେ, ଗଣମାଧ୍ୟମରେ ପ୍ରସାରିତ ଖବରକୁ ନେଇ କେହି ତଦନ୍ତ କମିଶନ୍ଙ୍କ ଉପରେ ପ୍ରଶ୍ନ ଉଠାଇବାକୁ ହକ୍ଦାର ନୁହନ୍ତି। ତଦନ୍ତ କମିଶନ୍ର ପୁନର୍ଗଠନ ବିଷୟ ନେଇ ଜଣେ ଓକିଲ କରିଥିବା ଆବେଦନ ଉପରେ କୋର୍ଟ ଏହି ରାୟ ଦେଇଛନ୍ତି।
ସୂଚନା ଯୋଗ୍ୟ, ଜୁଲାଇ ୩ ତାରିଖ ମଧ୍ୟ ରାତ୍ରୀରେ କାନପୁରର ଚୌବେପୁର ନିକଟସ୍ଥ ବିକ୍ରୁ ଗ୍ରାମଠାରେ ଡିଏସ୍ପି ଦେବେନ୍ଦ୍ର ମିଶ୍ରଙ୍କ ସମେତ ୮ ଜଣ ପୋଲିସ୍ କର୍ମଚାରୀ ଦୁବେକୁ ଗିରଫ କରିବାକୁ ଯାଇଥିବା ବେଳେ ବିକାଶ ଦୁବେ ଓ ତା’ର ସାଥୀମାନେ ସେମାନଙ୍କ ଉପରକୁ ଗୁଳିଚଳାଇ ହତ୍ୟା କରିଥିଲେ। ଏହା ପରେ ଜୁଲାଇ ୧୦ ତାରିଖ ସକାଳେ ଦୁବେକୁ ପୁଲିସ୍ ଉଜ୍ଜୟିନୀରୁ କାନପୁର ନେଉଥିବା ସମୟରେ ସେହି ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁବେ ଖସି ପଳାଇବାକୁ ଉଦ୍ୟମ କରିବାରୁ ପୁଲିସ୍ ଗୁଳିରେ ତା’ର ମୃତ୍ୟୁ ଘଟିଥିବା ସଂପର୍କରେ ପୁଲିସ୍ କହିଥିଲା।