ବିଜୟ ହଜାରେ ଟ୍ରଫି : ହିମାଚଳକୁ ୩ ରନ୍‌ରେ ହରାଇଲା ଓଡ଼ିଶା

କଟକ : ଗୁଜରାଟର ବରୋଦାରେ ଚାଲିଥିବା ବିଜୟ ହଜାରେ ଟ୍ରଫି ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୧୦ ଦିନ ଅପେକ୍ଷା କରିବା ପରେ ଓଡ଼ିଶା ଦଳ ବୁଧବାର ପଡ଼ିଆକୁ ଓହ୍ଲାଇଛି। ଏକ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ହିମାଚଳ ପ୍ରଦେଶକୁ ମାତ୍ର ୩ ରନ୍‌ରେ ଓଡ଼ିଶା ପରାସ୍ତ କରିଛି। ବର୍ଷା ଯୋଗୁଁ ଖେଳସୂଚୀ ପୁନଃ ନିର୍ଦ୍ଧାରିତ ହେବା ପରେ ଓଡ଼ିଶାର ଏହା ୩ୟ ଲିଗ୍ ମ୍ୟାଚ୍ ଥିଲା। ପୂର୍ବରୁ ବର୍ଷା ଯୋଗୁଁ ପଞ୍ଜାବ ଓ ବରୋଦା ବିପକ୍ଷରେ ଓଡ଼ିଶାର ମ୍ୟାଚ୍ ବାତିଲ ହୋଇ ଯାଇଥିଲା। ଓଦା ପଡ଼ିଆ ଯୋଗୁଁ ବୁଧବାର ହିମାଚଳ ପ୍ରଦେଶ ବିପକ୍ଷ ମ୍ୟାଚ୍ ୪ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଫଳରେ ଏହି ମାଚ୍ ୨୧ ଓଭରର ହୋଇଥିଲା। ଓଡ଼ିଶା ପ୍ରଥମେ ବ୍ୟାଟିଂକରି ଶୁଭ୍ରାଂଶୁ ସେନାପତି, ଅଭିଷେକ ଯାଦବ ଓ ପ୍ରୟାସ ସିଂହଙ୍କ ଉପଯୋଗୀ ଇନିଂସ ବଳରେ ୨୧ ଓଭରରେ ୮ ୱିକେଟ ହରାଇ ୧୪୫ ରନ୍ କରି ପାରିଥିଲା। ପରେ ୧୪୬ ରନ୍‌ର ପିଛା କରିଥିବା ହିମାଚଳ ପ୍ରଦେଶ ପ୍ରଥମ ୧୦ ଓଭରର‌େ​‌ ମଜ୍‌ଭୁତ ସ୍ଥିତିରେ ଥିବା ବେଳେ ଗୋବିନ୍ଦ ପୋଦ୍ଦାରଙ୍କ ଉପଯୋଗୀ ବୋଲିଂ ଯୋଗୁଁ ମଧ୍ୟକ୍ରମ ବିଫଳ ହେବାରୁ ୨୧ ଓଭର ଶେଷରେ ୯ ୱିକେଟ ହରାଇ ୧୪୨ ରନ୍ କରି ପାରିଥିଲା। ୩ୟ ମ୍ୟାଚ୍‌ରେ ପ୍ରଥମ ବିଜୟ ପରେ ଓଡ଼ିଶା ୮ ପଏଣ୍ଟ ପାଇଛି। ଶୁକ୍ରବାର ହରିୟାଣା ବିପକ୍ଷରେ ଓଡ଼ିଶା ଦଳ ୪ର୍ଥ ଲିଗ୍ ମ୍ୟାଚ୍ ଖେଳିବ।
ଅପରାହ୍‌ଣରେ ୨୧ ଓଭରର ମ୍ୟାଚ ଆରମ୍ଭହେବା ପରେ ହିମାଚଳ ପ୍ରଦେଶ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଓଡ଼ିଶାର ଦୁଇ ଓପ୍‌ନର ସନ୍ଦୀପ ପଟ୍ଟନାୟକ ଓ ଗୋବିନ୍ଦ ପୋଦ୍ଦାର ୬ ରନ୍‌ ଲେଖାଏଁ କରି ଆଉଟ ହୋଇଥିଲେ। ଅଧିନାୟକ ଶୁଭ୍ରାଂଶୁ ସେନାପତି କ୍ରିଜ୍‌କୁ ଆସିବା ମାତ୍ରେ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ଅଭିଷେକ ଯାଦବଙ୍କ ସହ ୧୧ ଓଭରରେ ସ୍କୋର୍‌କୁ ୭୩ ରନ୍‌ରେ ପହଞ୍ଚାଇଥିଲେ। ଶୁଭ୍ରାଂଶୁ ୩୪ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୩୯ ରନ୍‌କରି ଆଉଟ ହୋଇ ଯାଇଥିଲେ। ଗତବର୍ଷ ରେଳବାଇ ପାଇଁ ଖେଳିବାକୁ ଚାଲି ଯାଇଥିବା ଅଭିଷେକ ଯାଦବ ଚଳିତ ସିଜିନ୍‌ରେ ଓଡ଼ିଶା ଫେରି ଭଲ ଇନିଂସ ଖେଳିଥିଲେ। ଅଭିଷେକ ୩୪ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୪ ରନ୍ କରିଥିଲେ। ମଧ୍ୟକ୍ରମରେ ଅଭିଷେକ ରାଉତ ୦ ଓ ସୁଜିତ ଲେଙ୍କା ୧ ରନ୍‌କରି ଆଉଟ ହୋଇଥିଲେ। ତେବେ ପ୍ରୟାସ ସିଂହ ଓ ଦୀପକ ବେହେରାଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁଁ ଓଡ଼ିଶା ୧୪୫ ରନ୍‌ରେ ପହଞ୍ଚି ପାରିଥିଲା। ଦୁହେଁ ୭ମ ୱିକେଟ ପାଇଁ ୨୧ ବଲ୍‌ରୁ ୩୫ ରନ୍ ଯୋଗ କରିଥିଲେ। ଦୀପକ ୧୨ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୭ ରନ୍ କରିଥିଲେ। ପ୍ରୟାସ ସିଂହ ୨୦ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୪ ରନ୍‌କରି ଅପରାଜିତ ଥିଲେ। ଅଙ୍କିତ ମାଇନି ୩ଟି ଓ ପଙ୍କଜ ଜୟସୱାଲ ୨ଟି ୱିକେଟ ପାଇଥିଲେ।
ହିମାଚଳ ୧୪୬ ରନ୍‌ ଲକ୍ଷ୍ୟର ପିଛା କରିଥିବା ବେଳେ ଅଧିନାୟକ ଅଙ୍କୁଶ ବେନ୍‌ସ ୧୦ ରନ୍‌କରି ଆଉଟ ହୋଇ ଯାଇଥିଲେ। ତେବେ ଜାତୀୟସ୍ତରର ଓପ୍‌ନର ପ୍ରଶାନ୍ତ ଚୋପ୍ରା ଓ ଅଙ୍କିତ କଲ୍‌ସି ୫୦ ରନ୍ ଯୋଡ଼ିଥିଲେ। କଲ୍‌ସି ୨୯ ବଲ୍‌ରୁ ୨ଟି ଚୌକା ସହ ୨୨ ରନ୍ କରିଥିଲେ। ପ୍ରଶାନ୍ତ ଚୋପ୍ରା ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ବେଳେ ଗୋବିନ୍ଦ ପୋଦ୍ଦାର ତାଙ୍କୁ ଆଉଟ କରିଥିଲେ। ଚୋପ୍ରା ୩୭ ବଲ୍‌ରୁ ୪ଟି ଛକା ଓ ୩ଟି ଚୌକା ସହ ୪୮ ରନ୍ କରିଥିଲେ। ପରେ ନିଖିଳ ଗାଙ୍ଗ୍‌ଟା ୬ ରନ୍‌କରି ବିଦାୟ ନେଇଥିଲେ। ହିମାଚଳ ୧୦ ଓଭରରେ ୧ ୱିକେଟରେ ୭୨ ରନ୍ କରିଥିବା ବେଳେ ପରବର୍ତ୍ତୀ ୧୧ ଓଭରରେ ଆଉ ୭୦ ରନ୍ ଯୋଡ଼ି ୮ଟି ୱିକେଟ ହରାଇଥିଲା। ଋଷି ଧାୱନ ୧୨, ଅମିତ କୁମାର ୧୮ ଓ ପଙ୍କଜ ଜୟସୱାଲ ୧୩ ରନ୍ କରିଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ବୋଲିଂ କରିଥିବା ଅନ୍ତିମ ଓଭରରେ ହିମାଚଳ ୧୨ ରନ୍ ଆବଶ୍ୟକ କରୁଥିବା ବେଳେ ଅମିତ କୁମାରଙ୍କ ଛକା ସତ୍ତ୍ବେ ଏହା ମାତ୍ର ୮ ରନ୍ କରି ପାରିଥିଲା। ଗୋବିନ୍ଦ ପୋଦ୍ଦାର ୪ଟି ଏବଂ ପପ୍ପୁ ରାୟ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.