ଆଜି ବିଜୟା ଦଶମୀ : ଚାରିଆଡେ ଉତ୍ସବର ପରିବେଶ, ରାବଣ ପୋଡ଼ି ପାଇଁ ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର : ଶାରଦୀୟ ଦୁର୍ଗା ପୂଜା ଅବସରରେ  ଆଜି ଜଗତଜନନୀ ମା’ ଦୁର୍ଗାଙ୍କର ଦଶମୀ ପୂଜା ବା ଦଶହରା ପାଳନ କରାଯାଉଛି । ବିଭିନ୍ନ ପୂଜା ମଣ୍ଡପରେ ଆଜି ସକାଳୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା ଆରମ୍ଭ ହୋଇଛି। ଏହି ପୂଜା ଉପଲକ୍ଷେ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧା​ଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ରାବଣ ପୋଡି ପାଇଁ ବ୍ୟାପକ ଆୟୋଜନ ଚାଲିଛି । ଅନ୍ୟପକ୍ଷରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍‍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଭୁବନେଶ୍ୱରରେ ୧୭୨ଟି ପୂଜା ମଣ୍ଡପରେ ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ୍‍ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ କମିଶନରେଟ୍‍ ପୋଲିସ୍‍ ପକ୍ଷରୁ ୩୦ ପ୍ଲାଟୁନ୍‍ ପୋଲିସ୍‍ ଫୋର୍ସ ମୁତୟନ କରାଯାଇଛି। କଟକ ସହରରେ ମଧ୍ୟ ଯାତାୟତକୁ  ସୁଗମ କରିବା ପାଇଁ ଆଜି   ଅନେକ ରାସ୍ତାରେ ଏକତରଫା ବା ୱାନ ୱେ ବ୍ୟବସ୍ଥା କରାଯାଇଛି।

ସୁନା ଚାନ୍ଦିରେ ଚମକୁଛି କଟକ ଦଶହରା। ଚଳିତବର୍ଷ ସହରରେ ୨୭ଟି ମଣ୍ଡପରେ ଚାନ୍ଦିମେଢ଼ ନିର୍ମାଣ କରାଯାଇଛି। ଅନେକ ସ୍ଥାନରେ ମାଆ ଦୁର୍ଗା ଓ ଅନ୍ୟ ଦେବ ଦେବୀଙ୍କୁ  ସୁନା ଅଳଙ୍କାରରେ ସୁସଜ୍ଜିତ କରାଯାଇଛି। ଏହି ମେଢ ଗୁଡିକରେ ପୁଲିସ୍‍ ପକ୍ଷରୁ କଡ଼ା ନଜର ରଖାଯାଇଛି। ଏଥିପାଇଁ ୧୧୫ରୁ ଅଧିକ ସିସି କ୍ୟାମେରା ଖଞ୍ଜା ଯାଇଛି। ୩୦୦ ପୁଲିସ୍‍ ଅଫିସର, ୫୦ ପ୍ଲାଟୁନ୍‍ ଫୋର୍ସ ଓ ବିଭିନ୍ନ ପୂଜାକମିଟିର ସୁପାରିଶ ଆଧାରରେ ୮୦୦ ସ୍ୱେଚ୍ଛାସେବୀ ଶାନ୍ତିଶୃଙ୍ଖଳା ରକ୍ଷା କାର୍ଯ୍ୟରେ ନିୟୋଜିତ ଅଛନ୍ତି। କଟକ ସହରରେ ଚଳିତ ବର୍ଷ  ୧୬୨ଟି ପୂଜା ମଣ୍ଡପରେ ମାଆ ଦୁର୍ଗା ଓ ହରପାର୍ବତୀଙ୍କୁ ପୂଜା କରାଯାଉଛି।
ମାଆ କଟକ ଚଣ୍ଡୀଙ୍କୁ ଆଜି ମହିଷାମର୍ଦ୍ଦିନୀ ବେଶରେ ସଜ୍ଜିତ କରାଯାଉଛି ବୁଧବାର ମାଆଙ୍କୁ ସୁନା ବେଶ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ମାଆ ଗଡ଼ଚଣ୍ଡୀଙ୍କୁ ଆଜି ସୁନା ବେଶରେ ସୁସଜ୍ଜିତ କରାଯାଉଛି।

Comments are closed.