କିଛି ସ୍ମୃତି-କିଛି ଅନୁଭୂତି: ବିଜୟ ମହାନ୍ତି ଜଣେ ଦରଦୀ ମଣିଷ, ଦକ୍ଷ କଳାକାର

ଭୁବନେଶ୍ୱର: ଜୀବନ ରଙ୍ଗମଞ୍ଚରୁ ବାହୁଡ଼ିଯାଇଛନ୍ତି ଅଭିନୟ ଜଗତର ବାଦ୍‌ଶାହା ବିଜୟ ମହାନ୍ତି। ହେଲେ ଛାଡ଼ିଯାଇଛନ୍ତି ଛାପ। ଦୀର୍ଘ ୪ ଦଶନ୍ଧି ଧରି ଅଗଣିତ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସେ ବସା ବାନ୍ଧିଛନ୍ତି। ରୁପେଲି ପରଦାରେ ତାଙ୍କ ସୁନେଲି ଅଭିନୟ ଚିର ସ୍ମରଣୀୟ ହୋଇ ରହିବ କାଳକାଳକୁ….

ବରଯାତ୍ରୀଙ୍କୁ ରିସିଭ୍‌ କରିବାରେ ଅସୁବିଧା ହୋଇଥିଲା

ସବ୍ୟସାଚୀ ମହାପାତ୍ର, ଚଳଚ୍ଚିତ୍ର ନିର୍ଦେଶକ

ବିଜୟ ମହାନ୍ତିଙ୍କ ସହିତ ମୋର ଅତି ଘନିଷ୍ଠ ସମ୍ପର୍କ ଥିଲା। ତାଙ୍କ ସ୍ତ୍ରୀ ମୋର ଭଉଣୀ ଥିଲେ। ସମ୍ପର୍କରେ ଶଳାଭିଣୋଇ। ଚଳଚ୍ଚିତ୍ର ବା କଳା ଜଗତରେ ଆମର ଏକ ଚେନ୍‍ ଥିଲା। ମୋର ଏକ ଚଳଚ୍ଚିତ୍ର ଥିଲା ‘ବୋଉ’ ଯାହା ଅତି ଆନନ୍ଦ ଦେଇଥିଲା। ଆମ ଘର ସମ୍ବଲପୁର ଏବଂ ମୋ ଭଉଣୀ ବାହାଘର ଥାଏ। ମୁଁ ତାଙ୍କୁ ନିମନ୍ତ୍ରଣ କରିଥାଏ ଏବଂ ସେ ମଧ୍ୟ ଆସିଥାନ୍ତି। ତେବେ ବିଜୟ ମହାନ୍ତି ଆସିଥିବା ଜାଣି ଏତେମାତ୍ରାରେ ଲୋକ ସେଠାରେ ଜମା ହେଲେ ଯେ ତାହା ଆମ ଆକଳନ ବାହାରେ। ଏମିତିକି ବରଯାତ୍ରୀଙ୍କୁ କେମିତି ରିସିଭ କରିବୁ ତାହା ଏକ ବଡ଼ ଆହ୍ୱାନ ପାଲଟିଥିଲା। ଅବଶ୍ୟ ପରେ ସବୁ ଠିକଠାକ ହେଲା। ଏହାକୁ କେବେ ମୁଁ ଭୁଲିନାହିଁ।

ତାଙ୍କ ଆଖିରେ ଲୁହ ଆସିଗଲା

ଗୁରୁ ଲକ୍ଷ୍ମୀକାନ୍ତ ପାଲିତ, ସଙ୍ଗୀତ ନିର୍ଦେଶକ

ଓଡ଼ିଶା ଅପେରାର ନାଟକ ‘ଛ ଖଣ୍ଡ କାଠର ସବାରୀ’​‌େ​‌ର ମୁଁ ସଙ୍ଗୀତ ଭାର ନେଇଥିବାବେେଳ ସେ ନିର୍ଦେଶନା ଦେଉଥାନ୍ତି। ଏହାର ସଙ୍ଗୀତ ଶୁଣିବାକୁ ରିହର୍ସାଲ ଛାଡ଼ି ସେ ସଙ୍ଗୀତ ଆଖଡ଼ାକୁ ଆସିଲେ ଆଉ କହିଲେ ‘ହଇଓ ତୁମ ସଙ୍ଗୀତ ଟିକେ ଶୁଣାଅ।’ ଏହାପରେ ମୁଁ ସଙ୍ଗୀତ ଶୁଣାଇବା ପରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ସେଇଠି ଆଖଡ଼ାରେ ସବୁ ଲୋକଙ୍କ ଆଗରେ ଆଣ୍ଠେଇପଡ଼ି ମୋ କାନରେ କହିଲେ- ଜାଣିଲି, ତୁମେ କାହିଁକି ଅଧିକ ଟଙ୍କା ନିଅ। ଏହି ସ୍ମରଣୀୟ ମୁହୂର୍ତ୍ତକୁ କେବେ ଭୁଲି ପାରିବି ନାହିଁ।

 

‘ସମାଜ’ରେ ବିଜ୍ଞାପନ ଦେଇଥିଲେ

ବସନ୍ତ ସାହୁ, ଚଳଚ୍ଚିତ୍ର ନିର୍ଦେଶକ

୧୯୭୪-୭୫ ମସିହାର କଥା। ବିଜୟ ମହାନ୍ତି ରାଜଭବନ ପାଖରେ ଏକ ଭଡ଼ା ଘରେ ରହୁଥିଲେ। ନିକଟରେ ସେ ଏନ୍‍ଏସ୍‍ଡି ପାସ୍‌ କରି ଆସିଥାନ୍ତି। ସେତେବେଳେ କେବଳ ମୁଁ ‘ସମାଜ’ ମଗାଇ ପଢ଼େ। ହଠାତ ଏକ ବିଜ୍ଞାପନ ନଜର ଆସିଲା। ‘ନିଆଁ’ ଚଳଚ୍ଚିତ୍ର ପାଇଁ କଳାକାର ଆବଶ୍ୟକ। ଠିକଣା ଖୋଜି ଖୋଜି ପହଞ୍ଚିଲି। ବେଲ୍‍ ମାରିଲି। ବାସ୍‌ ତା’ପରେ ବିଜୟ ମହାନ୍ତିଙ୍କୁ ଦେଖିଲି। ପୂରା ଆଧୁନିକ ଷ୍ଟାଇଲ। ଲମ୍ବା ବାଳ, କଲି, ପୋଷାକ ସେଇଭଳି। ମୁଁ କହିଲି, ଅଭିନୟ କରିବାର ଅଛି। ମୋର କୌଣସି ଅଭିଜ୍ଞତା ନାହିଁ। କେବଳ ରେଡିଓ କିଛି କାମ କରିଛି। କହିଲେ ଅଭିନୟ ଏତେ ସହଜ ନୁହେଁ। ଠିକଣା ରଖିଲେ ଏବଂ କହିଲେ ମୁଁ ଯୋଗାଯୋଗ କରିବି। ତା’ପରେ ତାଙ୍କ ସହ ଦେଖାହେଲା ୧୯୭୮ରେ ‘ଆରତୀ’ ଚଳଚ୍ଚିତ୍ର ସୁଟିଂ ସେଟ୍‌ରେ। ମୁଁ ମୁଖ୍ୟ ସହକାରୀ ନିର୍ଦେଶକ ଥାଏ। ଆଉ ତା’ ପରଠାରୁ ସମ୍ପର୍କ ବଢ଼ିଲା।

ଅଧୁରା ରହିଗଲା ‘ଜଗନ୍ନାଥ’

ମିହିରି ଦାସ, ବରିଷ୍ଠ ଅଭିନେତା

ସେ ଥିଲେ ମୋ ଭରସା ଆଉ ବିଶ୍ୱାସ। ମୁଁ ନୂଆ କରି ଆସିଥାଏ। ସେ ମୋର ବିଶ୍ୱାସକୁ ଆହୁରି ଦୃଢ଼ କରିଥିଲେ। ନିଅ, ତାକୁ ନିଅ ଭଲ କରିବ। ଏମିତି ପ୍ରଯୋଜକ, ନିର୍ଦେଶକଙ୍କୁ କହୁଥିଲେ। ଏକ ଚଳଚ୍ଚିତ୍ର ‘ଜଗନ୍ନାଥ’ କରିବାର ଥାଏ। ସେଥିରେ ସେ ନିର୍ଦେଶନା ଦେବାର ଥିଲା। ମୁଁ ଅଭିନୟ କରିବାର ଥାଏ। ଏଥିପାଇଁ ସେ ମୋତେ ଏକ ସ୍କେଟିଂ ଦେଇଥିଲେ। ଏହି ସ୍କେଟିଂ ଏବେବି ମୁଁ ସାଇତି ରଖିଛି। ହେଲେ ସେ ଛାଡ଼ି ଚାଲିଗଲେ।

ଥଟ୍ଟାରେ କହନ୍ତି, ‘ମଇତ୍ରେ ମୋ ଯାତ୍ରାଗୁରୁ’

ବିଜୟ କୁମାର ଦାସ, ଯାତ୍ରା ନିର୍ଦେଶକ

୧୯୭୭ରୁ ତାଙ୍କୁ ଜାଣିଛି। ଏକଦା ଓଡ଼ିଶା ଅପେରାରେ ସେ ‘ଶକୁନ୍ତଳା’ ନାଟକରେ ନିର୍ଦେଶନା ଦେଉଥାନ୍ତି। ମୁଁ ମଧ୍ୟ ପାର୍ଟିର ଅନ୍ୟ ଏକ ନାଟକରେ ନିର୍ଦେଶନା ଦେଉଥାଏ। ତାଙ୍କ ରିହରସାଲ ପେଣ୍ଡାଲ ପାରି ହେଲେ ମୋ ପେଣ୍ଡାଲ। ଯିବାବେଳେ ଡାକି କୁହନ୍ତି, ହୋ ମଇତ୍ରେ ଏଠିକି ଆସ। ଯାତ୍ରା କାଇଦା ମତେ ଟିକେ କହିଦିଅ। ଆମେ ତ ସିନେମାବାଲା। ମୁଁ ଏଣୁ ତେଣୁ କ’ଣ କହିଦିଏ। ଟିକିଏ ସିନ୍‌ଟା ପଢ଼ିଦିଏ। ପରେ ଯେତେବେଳେ ଦେଖାହୁଅନ୍ତି, ଥଟ୍ଟାରେ କହନ୍ତି, ମଇତ୍ରେ ମୋ ଯାତ୍ରାଗୁରୁ।

ସତସତିକା କାନ୍ଦିଥିଲି

ରାଇମୋହନ ପରିଡ଼ା, ଅଭିନେତା

ମୁଁ ତାଙ୍କ ପାଇଁ ଲକି କି ନାହିଁ ମୁଁ ଜାଣିନାହିଁ। ମୋ ପାଇଁ ସାର୍‍ କିନ୍ତୁ ଲକି ଥିଲେ ଏବଂ ରହିବେ। ‘ଜନ୍ମଦାତା’ରେ ସାର୍‌ ମୋ ବାପା ଏବଂ ମୁଁ ତାଙ୍କ ପୁଅ ଭୂମିକାରେ ଥାଏ। ମୁଁ ବାପାଙ୍କୁ (ସାର୍‍) ହତାଦର କରି ନପଚାରି ଅନ୍ୟତ୍ର ଘରୁ ପଳାଇଛି। ଏହାପରେ ମୋ ପୁଅ ହେଲା। ସେ ମଧ୍ୟ ମୋ ସହିତ ସମାନ ଢଙ୍ଗରେ ବ୍ୟବହାର କରିଥିଲା। ଏହାପରେ ମୁଁ ପୁଣି ତାଙ୍କ ପାଖକୁ ଆସି କରିଥିବା ଭୁଲ୍‌ ପାଇଁ ତାଙ୍କ ଗୋଡ଼ ଧରି ଭୋ ଭୋ ହୋଇ କାନ୍ଦି କ୍ଷମା ମାଗିଥିଲିି। ଯେହେତୁ ସେ ମୋର ସାର୍‌ ଥିଲେ ଏବଂ ବାପ ପୁଅ ଭୂମିକା ଥିଲା ମୁଁ ସତରେ କାନ୍ଦିଥିଲି

Comments are closed.