ବିଜୟ ହଜାରେ ଟ୍ରଫି: ବରୋଦାଠାରୁ ଓଡ଼ିଶା ପରାସ୍ତ

କଟକ : ଗୁଜରାଟର ବରୋଦାରେ ଚାଲିଥିବା ବିଜୟ ହଜାରେ ଟ୍ରଫି ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୭ମ ମ୍ୟାଚ୍‌ରେ ଓଡ଼ିଶା ଦୟନୀୟ ବ୍ୟାଟିଂ କରିଛି। ଫଳରେ ରବିବାର ଏହି ମ୍ୟାଚ୍‌ରେ ଓଡ଼ିଶାକୁ ସହଜରେ ୯ ୱିକେଟରେ ଆୟୋଜକ ବରୋଦା ପରାସ୍ତ କରିଛି। ଓଡ଼ିଶାର ବ୍ୟାଟ୍‌ସମ୍ୟାନ୍ ଦୟନୀୟ ବ୍ୟାଟିଂ କରିବାରୁ ୨୫ ଓଭରରେ ମାତ୍ର ୭୩ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ପରେ ୭୪ ରନ୍‌ର ସହଜ ଲକ୍ଷ୍ୟକୁ ବରୋଦା ୧୫ ଓଭରରେ ୧ ୱିକେଟ ହରାଇ ହାସଲ କରି ନେଇଥିଲା। ଏଲିଟ୍ ଗ୍ରୁପ୍ ‘ବି’ର ୭ମ ମ୍ୟାଚ୍‌ରେ ଏହା ଓଡ଼ିଶାର ୩ୟ ପରାଜୟ। ଫଳରେ ୩ଟି ଲେଖାଏଁ ବିଜୟ ଓ ପରାଜୟ ଏବଂ ଗୋଟିଏ ବାତିଲ ମ୍ୟାଚ୍‌ରୁ ଓଡ଼ିଶା ୧୨ ପଏଣ୍ଟ ପାଇଛି। ଆସନ୍ତା ବୁଧବାର ଉତ୍ତର ପ୍ରଦେଶ ଦଳ ବିପକ୍ଷରେ ଓଡ଼ିଶା ୮ମ ତଥା ଅନ୍ତିମ ଲିଗ୍ ମ୍ୟାଚ୍ ଖେଳିବ। ଏହି ପରାଜୟ ଫଳରେ ଓଡ଼ିଶାର ନକ୍‌ଆଉଟ ଖେଳିବାର ଆଶା ପାୟ ଉଭେଇ ଯାଇଛି।
ରବିବାରର ମ୍ୟାଚ୍‌ରେ ଓଡ଼ିଶା ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଓଡ଼ିଶା ନିୟମିତ ୱିକେଟ ହରାଇ ମାତ୍ର ୩୪ ରନ୍‌ରେ ୫ଟି ୱିକେଟ ହରାଇଥିଳା। ସନ୍ଦୀପ ପଟ୍ଟନାୟକ ୫, ଦେବାଶିଷ ସାମନ୍ତରାୟ ୬, ଅଧିନାୟକ ଶୁଭ୍ରାଂଶୁ ସେନାପତି ୫, ଶାନ୍ତନୁ ମିଶ୍ର ୧ ଓ ଗୋବିନ୍ଦ ପୋଦ୍ଦାର ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ତେ​ବେ ଅଭିଷେକ ରାଉତ ଲଢ଼ୁଆ ବ୍ୟାଟିଂ କରିଥିଲେ ଏବଂ ତଳଅର୍ଡର ବ୍ୟାଟ୍‌ସମ୍ୟାନଙ୍କ ସହ ମିଶି ଶେଷ ୫ ୱିକେଟରେ ଆଉ ୩୯ ରନ୍ ଯୋଡ଼ିଥିଲେ। ଅଭିଷେକ ୪୭ ବଲ୍‌ରୁ ୩ଟି ଚୌକା ସହ ୩୨ ରନ୍‌କରି ଅପରାଜିତ ଥିଲେ। ବରୋଦାର ବାମହାତି ସ୍ପିନର ସ୍ବପ୍ନିଳ ସିଂହ ୪ଟି, ସୋୟେବ୍ ସୋପାରିୟା ୩ଟି ଓ ଭାର୍ଗବ ଭଟ୍ଟ ୨ଟି ୱିକେଟ ପାଇଥିଲେ। ୭୪ ରନ୍ ବିଜୟଲକ୍ଷ୍ୟକୁ ବରୋଦା ସହଜରେ ପିଛା କରିଥିଲା। କେଦାର ଦେବଧର ୪ ରନ୍‌କରି ଏକମାତ୍ର ବ୍ୟାଟ୍‌ସମ୍ୟାନ୍ ଭାବେ ଦେବବ୍ରତ ପ୍ରଧାନଙ୍କ ବଲ୍‌ରେ ଆଉଟ ହୋଇ ଯାଇଥିଲେ। ଆଦିତ୍ୟ ୱାଘମୋଡ଼େ ୭ଟି ଚୌକା ସହ ୪୭ ଏବଂ ବିଷ୍ଣୁ ସୋଲାଙ୍କି ୩ଟି ଚୌକା ସହ ୧୬ ରନ୍‌କରି ଅପରାଜିତ ରହିଥିଲେ।

Comments are closed.