ବନ ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ପଡ଼ିଆବାହାଲ ବନ ବିଭାଗ ଅଧିକାରୀ(ରେଞ୍ଜର)ଙ୍କ ଘରେ ସମ୍ବଲପୁର ଭିଜିଲାନ୍ସ ଚଢ଼ାଉ କରିଛି। ରେଞ୍ଜର ସୁରେଶ ମିର୍ଧାଙ୍କ ପୁଟି ବନ୍ଧ ସ୍ଥିତ ଘର ସମେତ ୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ସୁରେଶ ମିର୍ଧା ପଡ଼ିଆବାହାଲ ବନ ଖଣ୍ତ ରେଞ୍ଜ ଅଫିସରେ ରେଞ୍ଜର ଭାବେ କାର୍ଯ୍ୟ କରୁଛନ୍ତି।

ସୂଚନା ଅନୁସାରେ, ଏହି ଅଞ୍ଚଳରୁ ବିଭିନ୍ନ ସମୟରେ ବ୍ୟାପକ ମାତ୍ରାରେ ମୂଲ୍ୟବାନ କାଠ ଓ କେନ୍ଦୁପତ୍ର ଚୋରା ଚାଲାଣ ହେବାର ଅଭିଯୋଗ ହୋଇଛି। ଏହି ରେଞ୍ଜ ଅଧିନରେ ହାତୀ ଦାନ୍ତ ସହ ପଶୁ ପକ୍ଷୀ ଚୋରା ଚାଲାଣ ମଧ୍ୟ ହୋଇଥାଏ। ଏହାକୁ ନେଇ ବିଭିନ୍ନ ସମୟରେ ସ୍ଥାନୀୟ ଲୋକେ ବନ ବିଭାଗର ଉଚ୍ଚ ପଦାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ କିଛି ବ୍ୟକ୍ତି ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଏହାର ଖୋଳତାଡ଼ ଆରମ୍ଭ କରିଥିଲା। ଶେଷରେ ଆଜି ସକାଳୁ ସୁରେଶଙ୍କ ଘରେ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ପହଞ୍ଚି ଚଢାଉ କରିଥିଲା। ତେଵେ ଵର୍ତ୍ତମାନ ବିଭିନ୍ନ ବ୍ୟାଙ୍କର ପାସ୍ ବୁକ, ଏଟିଏମ୍ କାର୍ଡ, ଗହଣା ଓ ଟଙ୍କା ମିଲିଥିବା ଜଣାପଡ଼ିଛି। ହେଲେ ଏହାର ପରିମାଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ।

Comments are closed.