ଭିଜିଲାନ୍ସ ଜାଲରେ କୋଟିପତି ଅବକାରୀ ଅଧିକାରୀ

୧ କୋଟି ୫୫ ଲକ୍ଷ ୩୪ ହଜାର ୯୭୦ ଟଙ୍କାର ସମ୍ପତ୍ତି ଠାବ

ସମ୍ବଲପୁର/ବରଗଡ଼: ବରଗଡ଼ ଜିଲା ଅବକାରୀ ଅଧିକ୍ଷକ ମକରଧ୍ୱଜ ବର୍ଗେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗୁରୁବାର ସକାଳେ ଭିଜିଲାନ୍ସ ଟିମ ୮ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛନ୍ତି। ସମ୍ବଲପୁର ଶାନ୍ତିନଗରସ୍ଥିତ ଶ୍ରୀ ବର୍ଗେଙ୍କ ବାସଭବନ ସହିତ ବରଗଡ଼ ଅବକାରୀ କାର୍ଯ୍ୟାଳୟ, ସୁବର୍ଣ୍ଣପୁର ଜିଲା ରାମପୁରସ୍ଥିତ ପୈତୃକ ଘର ଆଦି ସ୍ଥାନରେ ଚଢ଼ଉ କରି ଦିନତମାମ ଖାନତଲାସ କରାଯାଇଥିଲା। ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୧ କୋଟି ୫୫ ଲକ୍ଷ ୩୪ ହଜାର ୯୭୦ ଟଙ୍କାର ଠାବ କରିବା ସହ ଜରୁରୀ କାଗଜାତ ଜବତ କରାଯାଇଥିବା ଜଣାପଡ଼ିଛି।
ସମ୍ବଲପୁର ଡିଭିଜନ ଭିଜିଲାନ୍ସ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ, ବରଗଡ଼ ଅବକାରୀ ଅଧୀକ୍ଷକ ଶ୍ରୀ ବର୍ଗେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସରେ ଅଭିଯୋଗ ହେବା ପରେ ଗୁରୁବାର ଏକକାଳୀନ ଚଢ଼ଉ କରାଯାଇଥିଲା। ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟକୁ ନେଇ ତାଙ୍କ ସମ୍ବଲପୁର ବୁଢ଼ାରଜା ଶାନ୍ତିନଗରସ୍ଥିତ ବାସଭବନ, ବୁର୍ଲାରେ ଥିବା ଦୁଇତାଲା ଆବାସିକ କୋଠା, ବଲାଙ୍ଗୀରରେ ଥିବା ଆବାସିକ କୋଠା, ସୁବର୍ଣ୍ଣପୁର ଜିଲା ରାମପୁର ଥାନା ଭାଗିଟିକ୍ରାର ପୈତୃକ ଘର, ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲିରେ ସମ୍ପର୍କୀୟଙ୍କ ନାମରେ ଥିବା ଗ୍ୟାସ ଗୋଦାମ, ବରଗଡ଼ ଜିଲା ବରପାଲିରେ ଥିବା ଭଡ଼ା ଘର, ବରଗଡ଼ ଗଣପତି ହୋଟେଲ ନିକଟସ୍ଥ ରାଧା ଏନ୍‌କ୍ଲେଭ୍‌ର ରୁମ୍‌ ନମ୍ବର-୪ ଏବଂ ବରଗଡ଼ର ଅବକାରୀ କାର୍ଯ୍ୟାଳୟରେ ଆଦି ୮ଟି ସ୍ଥାନରେ ଖାନତଲାସୀ ହୋଇଥିଲା।
ଏହି ସମୟରେ ସେ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ସୁବର୍ଣ୍ଣପୁର ଓ ବୁର୍ଲାରେ ୨ଟି ଦୁଇତାଲା କୋଠା, ବଲାଙ୍ଗୀର ଓ ସମ୍ବଲପୁରରେ ୨ଟି ଏକମହଲା କୋଠା ଏବଂ ସମ୍ବଲପୁର ଓ ବଲାଙ୍ଗୀରରେ ଥିବା ୨ଟି ପ୍ଲଟ ଆଦି ସ୍ଥାବର ସମ୍ପତ୍ତିର ମୂଲ୍ୟ ୯୫ ଲକ୍ଷ ୮୧ ହଜାର ୮୫୧ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସେହିପରି ଦାମିକା ଘରୋଇ ଉପକରଣ, ଫର୍ଣ୍ଣିଚର, ଇଲେକ୍ଟିକାଲ/ଇଲେ​‌େ​‌କ୍ଟ୍ରାନିକ୍ସ ଗେଜେଟ, ସୁନା ଓ ରୂପା ଗହଣା, ମାରୁତି ଭିତାରା ବ୍ରିଜ କାର ଏବଂ ମୋଟର ସାଇକଲ ଆଦି ଅସ୍ଥାବର ସମ୍ପତ୍ତି ଯାହାର ଆନୁମାନିକ ମୂଲ୍ୟ ୨୩ ଲକ୍ଷ ୮୦ ହଜାର ୧୮୮ ଟଙ୍କା, ବିଭିନ୍ନ ବ୍ୟାଙ୍କ​ରେ ଜମା ୩୩ ହଜାର ୧୬ ହଜାର ୧୩୧ ଟଙ୍କା ଏବଂ ନଗଦ ରାଶି ୨ ଲକ୍ଷ ୫୬ ହଜାର ୮ ଶହ ଟଙ୍କା ଚିହ୍ନଟ ହୋଇଛି। ସର୍ବମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୫୫ ଲକ୍ଷ ୩୪ ହଜାର ୯୭୦ ଟଙ୍କା ହେବ ବୋଲି ସମ୍ବଲପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ କୁହାଯାଇଛି।

Comments are closed.