ଦିନକ ତଳେ ଜିଏସଟି ଚଢ଼ଉ କରୁଥିଲେ, ଏବେ ଭିଜିଲାନ୍ସ କଲା ଘରେ ଚଢ଼ଉ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ରାଉରକେଲା: ଗତକାଲି ଜିଏସଟି ଠକେଇ ନେଇ ଚଢ଼ଉରେ ସାମିଲ ଥିବା ଜଣେ ଅଧିକାରୀଙ୍କ ଘରେ ଆଜି ଚଢ଼ଉ କରିଛି ଭିଜିଲାନ୍ସ । ସଂପୃକ୍ତ ଅଧିକାରୀଙ୍କ ଛେଣ୍ଡ କଲୋନୀସ୍ଥିତ ବାସଗୃହ, ସୁନ୍ଦରଗଡ଼ସ୍ଥିତ ପୈତୃକ ଘର, ଶଶୁର ଘର ଓ ଉଦିତନଗରସ୍ଥିତ କାର୍ଯ୍ୟାଳୟ ଖାନତଲାସ କରାଯାଇଛି। ରିପୋର୍ଟ ଲେଖା ହେଲା ବେଳକୁ ୧ କୋଟି ୨୮ ଲକ୍ଷ ଟଙ୍କାର ସମ୍ପତ୍ତି ମିଳିଥିବା ସୂଚନା ମିଳିଛି।
ବାଣିଜ୍ୟ କରି ଓ ଜିଏସ୍ଟି ଅଧିକାରୀ ଅଲେଖ ମହାନନ୍ଦ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ କୌଣସି ସୂତ୍ରରୁ ଖବର ପାଇଥିଲା। ତେଣୁ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରୁ ସର୍ଚ୍ଚ ୱାରେଣ୍ଟ ବାହାର କରି ଶ୍ରୀ ମହାନନ୍ଦଙ୍କ ସମ୍ପତ୍ତି ଆକଳନ କରିବାକୁ ଯୋଜନା କରିଥିଲା। କୋର୍ଟରୁ ସର୍ଚ୍ଚ ୱାରେଣ୍ଟ ମିଳିଲା ପରେ ଭିଜିଲାନ୍ସ ଏସ୍ପି ସୁଭାଷ ଚନ୍ଦ୍ର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସର ପୃଥକ୍ ପୃଥକ୍ ଟିମ୍ ଏକକାଳୀନ ଚଢ଼ଉ କରିଥିଲେ। ଭିଜିଲାନ୍ସର ଏକ ଟିମ୍ ଛେଣ୍ଡ କଲୋନୀସ୍ଥିତ ତାଙ୍କ ବାସଭବନ ପ୍ଲଟ ଲ/୧୧୧୯ରେ ଚଢ଼ଉ କରିଥିଲେ। ସେହିପରି ଆଉ ଏକ ଟିମ୍ ସୁନ୍ଦରଗଡ଼ ଭଷ୍ମା ଥାନା ଅନ୍ତର୍ଗତ ମଙ୍ଗସପୁରସ୍ଥିତ ପୈତୃକ ଘର, ସେହି ସୁନ୍ଦରଗଡ଼ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ଚକରପୁର ଗାଁରେ ସମ୍ପର୍କିୟଙ୍କ ଘରେ ଚଢ଼ଉ କରିଥିଲେ।
ସେହିପରି ଉଦିତନଗରସ୍ଥିତ ସିଟି ଏଣ୍ଡ ଜିଏସ୍ଟି କାର୍ଯ୍ୟାଳୟରେ ଖାନତଲାସୀ କରାଯାଇଥିଲା। ଏସବୁ ସ୍ଥାନରେ ଖାନତଲାସୀ ପରେ ଶ୍ରୀ ମହାନନ୍ଦଙ୍କ ସମ୍ପତ୍ତିର ବିବରଣୀ ଭିଜିଲାନ୍ସର ହସ୍ତଗତ ହୋଇଛି। ଭିଜିଲାନ୍ସ ଏସ୍ପି ଶ୍ରୀ ସ୍ୱାଇଁଙ୍କ ସୂଚନା ଅନୁସାରେ ଛେଣ୍ଡ କଲୋନୀ ତିନି ମହଲା ଘର ଦାମ ପ୍ରାୟ ୬୮ ଲକ୍ଷ ୭୧ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ପୈତୃକ ଗାଁରେ ୧୯ ଲକ୍ଷ ୫୭ ହଜାର ଟଙ୍କାର ଏକ କୋଠା ଘର ରହିଛି। ଶଶୁର ଘର ଗାଁରେ ୬ ଲକ୍ଷ ୭୭ ହଜାର ଟଙ୍କାର ଏକ ପ୍ଲଟ, ସୁନ୍ଦରଗଡ଼ରେ ୧ ଲକ୍ଷ ୫୦ ହଜାର ଟଙ୍କାର ଏକ ପ୍ଲଟ ଥିବା ସନ୍ଧାନ ମିଳିଛି। ସେହିପରି ତାଙ୍କ ଘର ଖାନତଲାସୀ ବେଳେ ନଗଦ ୧ ଲକ୍ଷ ୨୨ ହଜାର ଟଙ୍କା ଭିଜିଲାନ୍ସ ଅଧିକାରୀଙ୍କ ହାତରେ ପଡ଼ିଛି। ବ୍ୟାଙ୍କରେ ୮ ଲକ୍ଷ ୫୬ ହଜାର ଟଙ୍କା, ବିଭିନ୍ନ ଇନ୍ସୁରାନ୍ସ କମ୍ପାନୀରେ ୬ ଲକ୍ଷ ୩୫ ହଜାର ଟଙ୍କା ଜମା ରହିଛି। ୯ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଥିବା ସୂଚନା ମିଳିଥିବା ବେଳେ ଗୋଟିଏ କାର୍, ଗୋଟିଏ ବାଇକ୍ ଓ ଗୋଟିଏ ସ୍କୁଟି ଥିବା ସନ୍ଧାନ ମିଳିଛି। ଏସବୁ ମିଶାଇ ତାଙ୍କର ସମ୍ପତ୍ତି ୧ କୋଟି ୨୮ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ଏସ୍ପି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି।
ଶ୍ରୀ ମହାନନ୍ଦ ୧୯୯୨ରେ ବାଣିଜ୍ୟକର ବିଭାଗରେ ଚାକିରୀ କରିଥିଲେ। ସମ୍ବଲପୁର, ଝାରସୁଗୁଡ଼ା ସମେତ ବିଭିନ୍ନ ସ୍ଥାନରେ ଚାକିରୀ କରିଥିଲେ। ବାଣିଜ୍ୟକର ଅଧିକାରୀ ପଦବୀକୁ ପଦୋନ୍ନତି ପରେ ସେ ୨୦୧୬ରୁ ରାଉରକେଲାରେ ଅବସ୍ଥାପିତ ଅଛନ୍ତି। ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।
ଅନ୍ୟପକ୍ଷରେ ଶ୍ରୀ ମହାନନ୍ଦ ୨୮ ବର୍ଷ ହେଲା ସରକାରୀ ଚାକିରିରେ ଅଛନ୍ତି, ତାଙ୍କ ପତ୍ନୀ ମଧ୍ୟ ସରକାରୀ ଚାକିରି କରିଛନ୍ତି । ସେ କୌଣସି ଅନିୟମିତତା କରି ନାହାନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ।