ଭିଜିଲାନ୍ସ ଜାଲରେ ରେଢ଼ାଖୋଲ ଏସଡିଏମ୍‌ଓ

ରେଢ଼ାଖୋଲ: ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନା ଅଧୀକ୍ଷକ ଡା. ବିପିନ ବିହାରୀ ସାହୁ ସୋମବାର ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନାମତେ ଅନୁଗୋଳ ଜିଲା କିଶୋରନଗର ଥାନା ବ୍ରାହ୍ମଣୀପାଲି ଗ୍ରାମର ବସନ୍ତ ପ୍ରଧାନ(୬୦) ନାମକ ଜଣେ ରୋଗୀ ଗତ ଫେବୃଆରୀ ୨୪ ତାରିଖ ହାଇଡ୍ରୋସିଲ୍‌ ଅପରେସନ୍‌ ପାଇଁ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅପରେସନ ସକାଶେ ସେ ଡାକ୍ତରଖାନା ଅଧୀକ୍ଷକ ତଥା ଶଲ୍ୟ ବିଶେଷଜ୍ଞ ଡା. ସାହୁଙ୍କୁ ଯୋଗାଯୋଗ କରିଥିଲେ। ତେବେ ଡ. ସାହୁ ଅପରେସନ ପରେ ୭ ହଜାର ଟଙ୍କା ଦାବି କରିଥିଲେ।

 

ଏନେଇ ରୋଗୀଙ୍କ ଭଣଜା ରେଢ଼ାଖୋଲ ଏଲଏଆଇସି କଲୋନୀର ସୋମ୍ୟ ରଂଜନ ପ୍ରଧାନ ୫୫୦୦ ଟଙ୍କା ଦେବୁ ବୋଲି କହିଥିଲେ। ତେବେ, ସୋମ୍ୟ ଏନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗ ସହିତ ଯୋଗାଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ସୋମବାର ଡା. ସାହୁଙ୍କୁ ଲାଞ୍ଚ ନେବାବେଳେ ପ୍ରଲେପ ଦିଆ ୧୧ ଖଣ୍ଡ ୫ଶହ ଟଙ୍କିଆ ନୋଟ ତାଙ୍କଠାରୁ ଭିଜିଲାନ୍ସ ଟିମ ଜବତ କରିଥିଲା ଏବଂ ତାଙ୍କୁ ଗିରଫ କରିଥିଲା। ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନା କେସ ନଂ ୧୦/୨୦୨୧ରେ ମାମଲା ରୁଜୁ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଡିଏସପି ପରମେଶ୍ୱର କିସାନଙ୍କ ନେତୃତ୍ବରେ ଡିଏସପି ଦାଶରଥି ସେଠି, ଇନ୍ସପେକ୍ଟର ମନସ୍ୱୀନି ଜେନା ଓ ତପସ୍ୱିନୀ ସେଠ୍‌ ଚଢ଼ଉରେ ସାମିଲ ଥିଲେ।

Comments are closed.