ଓଡ଼ିଶା ଭିଜିଲାନ୍ସ ଇତିହାସରେ ବିରଳ: ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୧.୩୬ କୋଟି ଟଙ୍କା, ୧.୨ କିଗ୍ରା ସୁନା ବି ଜବତ

ମାଲକାନଗିରି: ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରୁ ମିଳିଲାଣି ନଗଦ ୧ କୋଟି ୩୬ ଲକ୍ଷ ୭୫ ହଜାର ଟଙ୍କା। ଯାହାକି ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏକ ବିରଳ ଘଟଣା। ଏଥିସହ ତାଙ୍କ ଘରୁ ୧ କିଗ୍ରା ୨୦୦ ଗ୍ରାମ୍ ସୁନା। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢାଉ କରାଯାଇଥିଲା। ଆଜି ଚତୁର୍ଥ ଦିନରେ ପହଞ୍ଚିଛି ଭିଜିଲାନ୍ସର ଖୋଳତାଡ଼। ବିଭିନ୍ନ ସ୍ଥାନରେ ଚଢାଉ ପରେ ଯନ୍ତ୍ରୀଙ୍କର କୋଟି କୋଟି ଟଙ୍କା ବାହାରୁଛି। ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଥିବା ବେଳେ ଆଗକୁ ସମ୍ପତ୍ତି ପିରମାଣ ଆହୁରି ବୃଦ୍ଧି ପାଇବା ବୋଲି କୁହାଯାଉଛି।

ସୂଚନା ଅନୁସାରେ, ଚତୁର୍ଥ ଦିନରେ ନଗଦ କୋଟିଏ ୧୫ ଲକ୍ଷ ଟଙ୍କା ଓ ୬୩୦ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ। ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ହୋଇଥିବା ଖୋଳତାଡ଼ରେ ଏଫଡି ଏବଂ ଜୀବନ ବୀମା ବାବଦକୁ ୧ କୋଟି ୭୭ ଲକ୍ଷ ଟଙ୍କା ରହିଥିବା ଜଣାପଡିଥିଲା। ସେଥିମଧ୍ୟରୁ ଆକ୍ସିସ ବ୍ୟାଙ୍କରେ ୧୮ ଜଣଙ୍କ ନାମରେ ୭୮ ଲକ୍ଷ ଟଙ୍କାର ଏଫଡି ରହିଛି। ସେଥିରୁ ଆଶିଷ କୁମାର ଦାସଙ୍କ ନାମରେ ୧୮ ଲକ୍ଷ ଟଙ୍କା, ପତ୍ନୀଙ୍କ ନାମରେ ୨୦ ଲକ୍ଷ ଟଙ୍କା, ପୁଅ ନାମରେ ୧୫ ଲକ୍ଷ ଟଙ୍କା ଏବଂ ଅନ୍ୟ ସମ୍ପର୍କୀୟ ଏବଂ ଅଜଣା ବ୍ୟକ୍ତିଙ୍କ ନାମରେ ୨୫ ଲକ୍ଷ ଟଙ୍କା ରହିଛି। ସେହିପରି ୪୪ ଲକ୍ଷ ଟଙ୍କା ଜୀବନ ବୀମା ଏବଂ ମ୍ୟାକ୍ସ ଲାଇଫ ଇନସୁରାନ୍ସରେ ରହିଛି। ୟୁଟିଆଇରେ ୨୫ ଲକ୍ଷ ଟଙ୍କା ରହିଛି। କେନ୍ଦୁଝର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ୧୬ ଲକ୍ଷ ଟଙ୍କା ରହିଛି। ୧୪ ଲକ୍ଷ ଟଙ୍କାର କିଷାନ ବିକାଶ ପତ୍ର କିଣାଯାଇଛି। ୨୧ ଲକ୍ଷ ୭୫ ହଜାର ୪୭୦ ଟଙ୍କା ନଗଦ ରହିଥିବା ବେଳେ ୬୦୨ ଗ୍ରାମର ସୁନା ମଧ୍ୟ ଜବତ ହୋଇଥିଲା। ଭିଜିଲାନ୍ସ ପକ୍ଷରୁ ଲଗାତାର ଚଢାଉ ଜାରି ରହିଛି।

Comments are closed.