ଜିଆରଏସଙ୍କ ଘର ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର: ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉମରକୋଟ ବ୍ଳକ ଅନ୍ତର୍ଗତ ଶିଂସାରି ଓ ଭଣ୍ଡାରିଗୁଡା ଗ୍ରାମପଞ୍ଚାୟତର ଗ୍ରାମରୋଜଗାର ସେବକ(ଜିଆରଏସ୍‍)ଙ୍କର ଘର ସମେତ ୩ଟି ସ୍ଥାନରେ ଚଢାଉ କରାଯାଇଛି। ଏକକାଳୀନ ତାଙ୍କର ଘର ଓ ଦୁଇଟି ପଞ୍ଚାୟତ ଅଫିସରେ ଚଢାଉ କରାଯାଇଛି। ଉମରକୋଟ ସହରର ଭଗବତୀ ନଗରରେ ଥିବା ଘରୁ ୧୭ଲକ୍ଷ ୮୩ହଜାର ନଗଦ ଟଙ୍କା ମିଳିଥିବାବେଳେ ଏକ ମାରୁତି ଡିଜାଏର କାର, ତିନୋଟି ବାଇକ ଓ ବଡଘର ରହିଛି।

ତାଙ୍କର ବୀମା ୨ଲକ୍ଷ ଟଙ୍କା ଜମା ଥିବାବେଳେ ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟରେ ୨ଲକ୍ଷ ୨୯ ହଜାର ଟଙ୍କା ରହିଛି। ତେବେ ସମସ୍ତ ସମ୍ପତ୍ତିର ଯାଞ୍ଚ କରାଯାଇ ଅନୁଧ୍ୟାନ କରାଯାଉଛି। ଏହି ଚଢାଉରେ ଭିଜିଲାନ୍ସ ଜୟପୁର ଡିଭିଜନର ଜୟପୁର, କଳାହାଣ୍ଡି, ମାଲକାନଗିରି ଓ ନବରଙ୍ଗପୁରର ୨୪ ଜଣିଆ ଟିମ ଭାଗ ନେଇଛନ୍ତି। ମାଲକାନଗିରି ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ, ଜୟପୁର ଡିଏସପି କିଶୋର କୁମାର ପାତ୍ର, ନୂଆପଡା ଡିଏସପି ଦିନବନ୍ଧୁ ବେହେରା, ଇନ୍ସପେକ୍ଟର ଭୀମସେନ ପୂଜାରୀ, କଳାବତୀ ବାଘ, ପ୍ରମିଳା ସୁନା ଓ ସୂର୍ଯ୍ୟକାନ୍ତି ଟାକ୍ରି ସୂଚନା ଦେଇଛନ୍ତି। ତେବେ ସମସ୍ତ ଆକଳନ କରିବା ପରେ ସମ୍ପତ୍ତି କେତେ ତାହା ଜଣାପଡିବ ଓ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି।

Comments are closed.