ମହଙ୍ଗା ପଡ଼ିଲା ୬ହଜାର ଟଙ୍କା ଲାଞ୍ଚ ; ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଡଗୋଗୁଆ ନିର୍ବାହୀ ଅଧିକାରୀ

ବଣାଇ : ମଙ୍ଗଳବାର ବଣାଇଗଡ ବ୍ଲକ ବଡଗୋଗୁଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗାୟତ୍ରୀ ଜୟପୁରିଆ ଜଣେ ଅବସରପ୍ରାପ୍ତ ନିର୍ବାହୀ ଅଧିକାରୀଙ୍କ ପେନସନ କାଗଜତ୍ରର ଏନଓସି କରିଦେବା ପାଇଁ ତାଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ଯେ,ବଡଗୋଗୁଆ ପଞ୍ଚାୟତର ଅବସରପ୍ରାପ୍ତ ନିର୍ବାହୀ ଅଧିକାରୀ ଜିତେନ ମିଶ୍ରଙ୍କ ପେନସନ କାଗଜପତ୍ରର ଏନଓସି କରିବା ନିମନ୍ତେ ଏକ ମାସ ହେବ ୬ ହଜାର ଟଙ୍କା ମାଗି ଆସୁଥିଲେ। ତେବେ ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ରଙ୍କ ପୁତ୍ର ନୀତିଶ ମିଶ୍ର ଏ ସମ୍ବନ୍ଧରେ ରାଉରକେଲା ଭିଜିଲାନ୍ସ ଡିଏସପି ବୀରେନ୍ଦ୍ର କୁମାର ନାଏକଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଆଜି ବଣାଇଗଡରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ଏଟିଏମ ସମ୍ମୁଖରେ ନୀତିଶ ମିଶ୍ରଙ୍କ ନିକଟରୁ ନିର୍ବାହୀ ଅଧିକାରୀ ଗାୟତ୍ରୀ ଜୟପୁରିଆ ରଙ୍ଗବୋଳା ୬ ହଜାର ଟଙ୍କା ନେଉଥିବା ସମୟରେ ପୂର୍ବରୁ ସେଠାରେ ଛକି ରହିଥିବା ରାଉରକେଲା ଓ ସୁନ୍ଦରଗଡ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଶ୍ରୀମତୀ ଜୟପୁରିଆଙ୍କୁ କାବୁ କରିନେଇଥିଲେ।ପରେ ଭିଜିଲାନ୍ସ ବିଭାଗୀୟ ଅଧିକାରୀମାନେ ସ୍ଥାନୀୟ ପୂର୍ତବିଭାଗ ଡାକବଙ୍ଗଳାକୁ ନେଇ ତାଙ୍କୁ ପଚରା ଉଚୁରା କରିଥିଲେ। ଏହା ପରେ ତାଙ୍କୁ ଗିରଫ କରି ସୁନ୍ଦରଗଡ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡ଼ିଛି।