ପୌର ଅଧିକାରୀଙ୍କ ସମ୍ପତ୍ତି ୭୦ ଲକ୍ଷ

- ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ

ଦେବଗଡ: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଦେବଗଡ ପୌରପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଆଜି ଏକକାଳୀନ ଭିଜିଲାନ୍ସ ଚଢାଉ କରାଯାଇଥିଲା। ଆଜି ସକାଳେ ସମ୍ବଲପୁର ଭିଜିଲାନ୍ସ ଡି.ଏସ୍‍.ପି. ଦାଶରଥି ସେଠୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଭିଜିଲାନ୍ସ ଦଳ ଦେବଗଡ ଆସି ପୌରପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ସରକାରୀ ବାସଭବନ ଓ ଦେବଗଡ ପୌରପରିଷଦ କାର୍ଯ୍ୟାଳୟରେ ଅଚାନକ ଚଢାଉ କରି କାଗଜପତ୍ର ଯାଂଚ କରିଥିଲେ। ଅନୁରୂପ ଭାବେ ରାଉରକେଲା ଭିଜିଲାନ୍ସ ଡି.ଏସ୍‍.ପି. ବିରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ୨ଟି ଦଳ ଝାରସୁଗୁଡା ଜିଲାର ରାଜେପୁର କଟାପାଲି ସ୍ଥିତ (ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କ)ପୈତୃକ ବାସଭବନ ଓ ଝାରସୁଗୁଡା ସ୍ଥିତ ଜଗନ୍ନାଥ ନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରିଥିଲ।

ଯାଂଚ ସମୟରେ ୪ଟି ଯାକ ସ୍ଥାନରୁ ମୋଟ ୭୦ ଲକ୍ଷ ୬୪ ହଜାର ୧୨୯ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲେ। ଏଥି ମଧ୍ୟରୁ ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ୩୫ ଲକ୍ଷ ୮୬ ହଜାର ୬୦୩ ଟଙ୍କାର ଜମା,୨୮ ଲକ୍ଷ ୩୬ ହଜାର ୬୦୦ ଟଙ୍କା ମୂଳ୍ୟର ଏକ ଦ୍ୱି ମହଲା ବାସ ଗୃହ,ଏକଲକ୍ଷ ୩୪ ହଜାର ୨୨୪ ଟଙ୍କା ମୂଳ୍ୟର ୨ଟି ବାଇକ,୯୨ ହଜାର ୩୭୦ ଟଙ୍କା ନଗଦ ଅର୍ଥ , ୫୭ ହଜାର ୫୫୦ ଟଙ୍କା ମୂଲ୍ୟର ସୁନା ଓ ରୂପା ଗହଣା ଓ ୩ଲକ୍ଷ ୫୬ ହଜାର ୭୮୨ ଟଙ୍କାର ଅସବାବପତ୍ର ଠାବ କରିଥିବା ଭିଜିଲନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ବର୍ତ୍ତମାନ ମଧ୍ୟ ତତନ୍ତ ପ୍ରକ୍ରୀୟା ଜାରୀ ରହିଛି। ଦେବଗଡ ପୌରପରିଷଦ ନିର୍ବାହୀ ଅଧିକାରୀ ନୁଞ୍ଜବନ ପ୍ରଧାନଙ୍କ ବିରୁଦ୍ଧରେ ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ଏନେଇ ଭିଜିଲାନ୍ସ ବିଭାଗ ଏକ ମାମଲା ଋଜୁକରି ଆଜିର ଏହି ଚଢାଉ କରିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.