ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ୬.୫ କୋଟି; ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଭୁବନେଶ୍ବର ସାଧାରଣ ଜନସ୍ବାସ୍ଥ୍ୟ ଡିଭିଜନ-୨ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରନାଥ ପ୍ରଧାନଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ସେଲ୍ ପକ୍ଷରୁ ଚଢାଉ ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ପକ୍ଷରୁ ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇଥିଲା। ଏହି ୱାରେଣ୍ଟ ବଳରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ନୟାପଲ୍ଲୀ, ବାଲିଅନ୍ତା ଥାନା କଞ୍ଚିଲୋ ନୂଆଗାଁରେ ଥିବା ଆପାର୍ଟମେଣ୍ଟ, ନହରକଣ୍ଟାରେ ଥିବା କୋଠା, ବାଲିଅନ୍ତା ଥାନା କୁରୁଣ୍ଟି ଓ ବ୍ରହ୍ମପୁର ବୈଦ୍ୟନାଥପୁର ଅଯୋଧ୍ୟାନଗରରେ ଥିବା ସମ୍ପର୍କୀୟଙ୍କ ବାସଭବନ ଉପରେ ଏକ ସଙ୍ଗେ ଚଢାଉ କରାଯାଇଥିଲା।

ଶ୍ରୀ ପ୍ରଧାନଙ୍କ ୬ କୋଟି ୫୩ଲକ୍ଷ ୮୬ ହଜାର ୭୧୦ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଆକଳନ କରାଯାଇଛି। ଚଢାଉ ସମୟରେ ଶ୍ରୀ ପ୍ରଧାନଙ୍କ ବାଲିପାଟଣାରେ ୪୮ କୋଠରୀ ବିଶିଷ୍ଟ ଘର, ଭୁବନେଶ୍ବରରେ ଦୁଇଟି ଦୁଇମହଲା କୋଠା, ନହରକଣ୍ଚାରେ ଗୋଟିଏ କୋଠା, ଭୁବନେଶ୍ବର, ବୁଗୁଡା ଓ ଗଞ୍ଜାମରେ ୮ଟି ପ୍ଲଟ, ଦୁଇଟି କାର, ଗୋଟିଏ ବାଇକ, ବିଭିନ୍ନ ବ୍ୟାଙ୍କ ଓ ବୀମା କମ୍ପାନୀରେ ଜମା, ସୁନା ଓ ରୂପା ଅଳଙ୍କାର, ଘରବାଡି ନିର୍ମାଣ ସାମଗ୍ରୀ ଓ ନଗଦ ଟଙ୍କା ଥିବା ଜଣାପଡିଛି। ଏଥିସହ ତାଙ୍କର ତିନୋଟି ପଞ୍ଜିକୃତ କମ୍ପାନୀ ରହିଛି ଯାହାର ନିର୍ଦେଶକ ଶ୍ରୀ ପ୍ରଧାନଙ୍କ ପୁଅ ଅଛନ୍ତି। ଏଥିମଧ୍ୟରୁ ଦୁଇଟି ରିଅଲ ଇଷ୍ଟେଟ ଓ ନିର୍ମାଣ କାମ କରୁଥିବା ବେଳେ ଅନ୍ୟଟି ଖାଦ୍ୟ ପ୍ରକ୍ରିୟାକରଣ ଓ ସଂରକ୍ଷଣ କମ୍ପାନୀ ବୋଲି ଜଣାପଡିଛି। ଏଥିସହ ତାଙ୍କ ପୁଅ ଏକ କୃଷିଭିତ୍ତିକ କମ୍ପାନୀର ପାର୍ଟନର ମଧ୍ୟ ଅଛନ୍ତି।

Comments
Loading...