ଭିଜିଲାନ୍ସ ଭେଳିକି : ଚାର୍ଜସିଟ୍‌ ଦାଖଲରେ ବିଫଳ, ସ୍ଥଳ ବିଶେଷରେ ଅଭିଯୁକ୍ତଙ୍କୁ ପୁନଃନିଯୁକ୍ତି ଓ ପଦୋନ୍ନତି

କଟକ : ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲରେ ଥିବା ପୁଲିସ୍‌ ସିଗ୍‌ନାଲ ବିଭାଗର ପୂର୍ବତନ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସପି) ତ୍ରିନାଥ ମିଶ୍ରଙ୍କୁ ସୋମବାର ଜାମିନ ମିଳିଛି । ଏହି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ। ତେବେ ୬୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ ନ ହେବାରୁ ଏହି ଜାମିନ ମିଳିଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ମାମଲା ପରିଚାଳନା କରିଥିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇ ତାଙ୍କର ୯ କୋଟି ୫ ଲକ୍ଷ ୨୯ ହଜାର ୭୩ ଟଙ୍କାର ସମ୍ପତି ଠାବ କରାଯାଇଥିଲା।
ଏହି ଘଟଣା ପରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ(ଭିଜିଲାନ୍ସ)ର ପାରିବାପଣିଆକୁ ନେଇ ଆଲୋଚନା ଜୋର ଧରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ତଥା ଦୁର୍ନୀତି ମାମଲାରେ ଭିଜିଲାନ୍ସ ଧରୁଥିବା ବଡ଼ ବଡ଼ ଅଧିକାରୀଙ୍କ ବିରୋଧରେ ନିର୍ଦ୍ଧାରିତ ସମୟ ଭିତରେ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିପାରୁ ନଥିବାରୁ ଅଭିଯୁକ୍ତଙ୍କୁ ସହଜରେ ଜାମିନ ମିଳିଯାଉଛି। ପରବର୍ତ୍ତୀ ସମୟରେ ଏହି ମାମଲା ମଧ୍ୟ ମଉଳି ଯାଉଛି।

କେବଳ ଶ୍ରୀ ମିଶ୍ର ନୁହନ୍ତି, ଏମିତି ସଂଖ୍ୟାଧିକ ଉଦାହରଣ ରହିଛି ଭିଜିଲାନ୍ସ ଅଭିଯୁକ୍ତଙ୍କ ବିରୋଧରେ କାଗଜପତ୍ର ସଂଗ୍ରହ ନ କରିପାରିବାର। ନିକଟରେ ଓଡ଼ିଶା ରାଜ୍ୟ ପୁଲିସ ଗୃହ ଓ କଲ୍ୟାଣ ନିଗମ (ଓପିଏଚଡବ୍ଲ୍ୟସି) ପୂର୍ବତନ ଉପ ପ୍ରବନ୍ଧକ ପ୍ରତାପ କୁମାର ସାମଲଙ୍କ ବିରୋଧରେ ଆସିଥିଲା ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲା। ସେତେବେଳେ ୧୪ କୋଟି ୮୮ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଏପରିକି ତାଙ୍କର ଆୟ ଉତ୍ସର ୧୦୨୨ ପ୍ରତିଶତ ସମ୍ପତ୍ତି ବେଆଇନ ଭାବେ ଠୁଳ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଥିଲା। ଏହି ଚଢଉ ପରେ ଶ୍ରୀ ସାମଲଙ୍କୁ ୯ ନଭେମ୍ବର ୨୦୨୧ରେ ଗିରଫ କରାଯିବା ସହ କାଳ ବିଳମ୍ବ ନକରି ରାଜ୍ୟ ସରକାର ଗିରଫଦାରୀର ୧୦ ଦିନ ପରେ ଅର୍ଥାତ୍‌ ୧୮ ନଭେମ୍ବରରେ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ମାତ୍ର ଚାର୍ଜସିଟ୍‌ ଦାଖଲ କରି ନପାରିବାରୁ ୧୧ ଜାନୁୟାରୀ ୨୦୨୨ରେ ଭିଜିଲାନ୍ସ ଅଦାଲତ ଅଭିଯୁକ୍ତ ଶ୍ରୀ ସାମଲଙ୍କୁ ଜାମିନ ପ୍ରଦାନ କରିଥିଲେ। କେବଳ ସେତିକି ନୁହେଁ; ମାମଲାର ଚୂଡାନ୍ତ ଶୁଣାଣି ନ ସରିବା ପର୍ଯ୍ୟନ୍ତ ତାଙ୍କୁ ଗିରଫ ନ କରିବା ଲାଗି ମଧ୍ୟ ଅଦାଲତ ନିର୍ଦେଶ ଦେଇଥିଲେ।

ସେହିଭଳି ୧୯୮୭ ବ୍ୟାଚ୍‌ ଭାରତୀୟ ବନ ବିଭାଗ ପ୍ରଶାସନିକ ଅଧିକାରୀ (ଆଇଏଫଏସ୍‌) ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ବିରୋଧରେ ସମ୍ପତ୍ତି ଠୁଳ ଓ ଠକେଇ ମାମଲାରେ ଭିଜିଲାନ୍ସ ୧୫୦ ଜଣ ଅଧିକାରୀଙ୍କୁ ନେଇ ଏକାଧିକ ଚଢଉ ତଥା ମାମଲା କରିଥିଲା। ୯ କୋଟି ୩୫ ଲକ୍ଷ ଟଙ୍କାର ବେଆଇନ ସମ୍ପତ୍ତି ଥିବା ଦର୍ଶାଇଥିଲା ଭିଜିଲାନ୍ସ। ୨୭ ନଭେମ୍ବର ୨୦୨୦ରେ ଉଭୟ ବାପ-ପୁଅଙ୍କୁ ଗିରଫ କରାଯାଇଥିଲା। ପରେ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଆଣି ରାଜ୍ୟ ସରକାର ଅଭୟଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ପ୍ରାୟ ଦୁଇମାସ ଜେଲରେ ରହିବା ପରେ ଭିଜିଲାନ୍ସ ଚାର୍ଜସିଟ୍‌ ଦାଖଲ କରି ନ ପାରିବାରୁ ୨୭ ଜାନୁୟାରୀ ୨୦୨୧ରେ ତାଙ୍କୁ ଜାମିନ ମିଳିଥିଲା।
ସେହିଭଳି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ଓଏସଆଇସିର ତତ୍କାଳୀନ ଅଧ୍ୟକ୍ଷ ପାର୍ଥସାରଥୀ ମିଶ୍ରଙ୍କ ଘଟଣା ଥିଲା ଅତ୍ୟନ୍ତ ରୋଚକ। ଯେଉଁ ଅଧିକାରୀଙ୍କୁ ସମ୍ପତ୍ତି ଠୁଳ ଅଭିଯୋଗରେ ୨୦୧୭ ଫେବୃଆରୀରେ ଭିଜିଲାନ୍ସ ଗିରଫ କରିଥିଲା, ୧୨୦ ଦିନରେ ବି ତାଙ୍କ ବିରୋଧରେ ଆବଶ୍ୟକ କାଗଜପତ୍ର ଦାଖଲ କରିପାରି ନଥିଲା। କୋର୍ଟରେ କାଗଜପତ୍ର ଦାଖଲ ନ କରିବାରୁ ତାଙ୍କୁ ଜାମିନ ମିଳିଥିଲା। ଘଟଣା ଏତିକିରେ ଶେଷ ହୋଇ ନଥିଲା। ରାଜ୍ୟ ସରକାର ପରେ ଶ୍ରୀ ମିଶ୍ରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବା ସହିତ ଏକ ଗୁରୁତ୍ୱପୂର୍ଣ୍ଣ ପଦରେ ତାଙ୍କୁ ଅବସ୍ଥାପିତ କରିଥିଲେ। ଏହା ଭିଜିଲାନ୍ସ ବିଭାଗକୁ ସାଧାରଣରେ ନିନ୍ଦିତ ତଥା ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।
ସେହିପରି ୨୦୧୬ ଅଗଷ୍ଟ ୯ରେ ବରିଷ୍ଠ କର୍କଟରୋଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ସେନାପତି ଏବଂ ତାଙ୍କ ପତ୍ନୀଙ୍କୁ ​‌େ​‌ଜବିଏସ୍‍ଏଲ୍‍(ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଲିମିଟେଡ) ଔଷଧ କମ୍ପାନୀ ଦ୍ୱାରା ପ୍ରସ୍ତୁତ କର୍କଟ ଔଷଧ ଲେଖି ଗରିବ କର୍କଟ ରୋଗୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଭିଜିଲାନ୍ସ ବାନ୍ଧି ଥିଲା। ଏଥିସହିତ ଜେବିଏସ୍‍ଏଲ୍‍ ସଂସ୍ଥାର ମାଲିକ ସୁଧାଂଶୁ ଦାସଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିଲା। ଜେଲରେ ୪ମାସ ରହିବା ପରେ ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କଲାନି କି ନିମ୍ନମାନର ଔଷଧ ଲେଖୁଥିବାର କୌଣସି ପ୍ରମାଣ ଯୋଗାଡ କରିପାରିଲାନି। ଫଳରେ ଉଭୟଙ୍କୁ ଅଦାଲତ ନିର୍ଦୋଷରେ ଖଲାସ କରିବା ସହ ଭିଜିଲାନ୍ସ ରୁଜୁ କରିଥିବା ମାମଲାକୁ ପ୍ରତ୍ୟାହାର କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ।
ସେହିପରି ୨୦୧୭ ନଭେମ୍ବରରେ ସରକାରୀ ପଦର ଅପବ୍ୟବହାର, ନିର୍ଦ୍ଦିଷ୍ଟ ଔଷଧ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ଓ ଗରିବ କର୍କଟରୋଗୀଙ୍କୁ ବିଭିନ୍ନ ଉପାୟରେ ଶୋଷଣ ଅଭିଯୋଗରେ ଭିଜିଲାନ୍ସ ବିଭାଗ କଟକ ବଡ଼ ଡାକ୍ତରଖାନା ରକ୍ତରୋଗ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ରବୀନ୍ଦ୍ର ଜେନା ଓ ସହକାରୀ ପ୍ରଫେସର ଡାକ୍ତର ସୁଧା ସେଠୀଙ୍କୁ ଗିରଫ କରିଥିଲା। ଡାକ୍ତର ସେନାପତିଙ୍କ ପରି ଡା. ଜେନା ଓ ଡା. ସେଠୀଙ୍କ ବିରୋଧରେ ମଧ୍ୟ ନିର୍ଦିଷ୍ଟ ସମୟ ଅବଧିରେ ପ୍ରମାଣ ଯୋଗାଡରେ ଭିଜିଲାନ୍ସ ବିଫଳ ରହିଥିଲା। ଯେଉଁଥିପାଇଁ ଅଦାଳତ ସେମାନଙ୍କୁ ମୁକ୍ତ କରିଥିଲେ। କେବଳ ଏହି କେତୋଟି ଦୃଷ୍ଟାନ୍ତ ନୁହେଁ, ଏମିତି ଖୋଜିଲେ ରାଶି ରାଶି ମାମଲା ନଜରକୁ ଆସିବ।
ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ନିର୍ଦ୍ଧାରିତ ୬୦ରୁ ୯୦ଦିନ ଭିତରେ ଅଦାଲତରେ ଅଭିଯୋଗଫର୍ଦ ଦାଖଲ କରିବାରେ ସକ୍ଷମ ହୋଇପାରୁନି। ଫଳରେ ଅଭିଯୁକ୍ତ ପାଇଁ ଆଇନରେ ଥିବା ବ୍ୟବସ୍ଥା ସେମାନଙ୍କୁ ସୁହାଉଛି। ଚାର୍ଜସିଟ୍‌ ଦାଖଲ ହୋଇପାରୁ ନଥିବାରୁ ଭିଜିଲାନ୍ସ ଅଦାଲତ ସଂଖ୍ୟାଧିକ ଅଭିଯୁକ୍ତଙ୍କୁ ସିଆରପିସିର ଧାରା ୧୬୭(୨) ଅଧିନରେ ଡିଫଲ୍‌ଟ ବେଲ୍‌ (ଜାମିନ) ପ୍ରଦାନ କରିବାକୁ ବାଧ୍ୟ ହେଉଛନ୍ତି।
ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ କୌଣସି ଅଭିଯୋଗ ଆସିଲେ ଭିଜିଲାନ୍ସ ଏସବୁ ବ୍ୟକ୍ତିବିଶେଷଙ୍କ ଘରେ ଚଢଉ ଲାଗି ଅଦାଲତରୁ ଆଗୁଆ ୱାରେଣ୍ଟ ତଥା ଅନୁମତି ଆଣିବାକୁ ସକ୍ଷମ ହେଉଛି। ଏପରିକି ବିଭିନ୍ନ ସ୍ଥାନରେ ଚଢଉ କରି କେତେ ସମ୍ପତ୍ତି ଠାବ ତଥା ଜବତ ହୋଇଛି ତାହାର ଟିକିନିଖି ତଥ୍ୟ ଗଣମାଧ୍ୟମକୁ ଦେଇ ସାଧାରଣରେ ନିଜ ପାରିବାପଣିଆକୁ ପ୍ରଦର୍ଶିତ କରାଉଛି। ବାହାବା ବି ସାଉଁଣ୍ଟୁଛି। ତଦନୁଯାୟୀ, ରାଜ୍ୟ ସରକାର ମଧ୍ୟ ସଂପୃକ୍ତ ଅଭିଯୁକ୍ତ ଅଧିକାରୀ ମାନଙ୍କୁ ନିଲମ୍ବନ ତଥା ଅନେକ କ୍ଷେତ୍ରରେ ଚାକିରିରୁ ବହିଷ୍କାର (ବାଧ୍ୟତାମୂଳକ ଅବସର) କରୁଛନ୍ତି।
ଦୁର୍ନୀତି ବିରୋଧରେ ଗୋଟିଏ ପଟେ ସରକାର ଶୂନ୍ୟ ସହନଶୀଳତା କଥା କହୁଥିବାବେଳେ ଅନ୍ୟପଟେ ଭିଜିଲାନ୍ସ ବିଭାଗ ନିର୍ଦ୍ଧାରିତ ସମୟରେ ଆରୋପପତ୍ର ଦାଖଲ କରି ନ ପାରିବା ଯୋଗୁଁ ପରବର୍ତ୍ତୀ ସମୟରେ ତଦନ୍ତ ମଧ୍ୟ ବାଟବଣା ହେଉଥିବା ଦେଖାଯାଉଛି। ଏମିତି ଦେଖିବାକୁ ଗଲେ, ଭିଜିଲାନ୍ସ ପକ୍ଷରୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଯେତିକି ଚଢଉ ଓ ଗିରଫଦାରି କରାଯାଉଛି, ତଦନୁଯାୟୀ ଅଦାଲତରେ ଚାର୍ଜସିଟ୍‌ ଦାଖଲ ହୋଇପାରୁନି। ଆଉ ଯେଉଁ କେତେକ ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲ ମଧ୍ୟ କରାଯାଉଛି, ସେହି ଅନୁଯାୟୀ, ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ଦଣ୍ଡବ୍ୟବସ୍ଥା କରାଇବାରେ ଅଦ୍ୟାବଧି ରାଜ୍ୟ ଭିଜିଲାନ୍ସ ବିଭାଗର ରେକର୍ଡ ସେତେଟା ଉତ୍ସାହପ୍ରଦ ନୁହେଁ। ଅତୀତରେ ପୂର୍ବତନ ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ରଙ୍କ ଘଟଣାରେ ଭିଜିଲାନ୍ସ ମୁଖ୍ୟଙ୍କୁ ହାଇକୋର୍ଟଙ୍କ ସେତେବେଳର କଟୁ ସମାଲୋଚନା ବିଭାଗୀୟ ବିଶ୍ବସନୀୟତାକୁ ବିତର୍କ ଭିତରକୁ ଠେଲିଦେଇଥିଲା।

Comments are closed.