ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତର ଗୁରୁତ୍ୱପୂର୍ଣ୍ଣ ରାୟ : ଲାଞ୍ଚୁଆ କନିଷ୍ଠ କିରାଣିଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଭିଜିଲାନ୍ସ ଅଦାଲତର ସ୍ୱତନ୍ତ୍ର ଜଜ୍‍ ଅଶ୍ୱିନୀ କୁମାର ନାଏକ ୨୦୦୭ ମସିହାରେ ହୋଇଥିବା ଏକ ଲାଞ୍ଚ ନେବା ମାମଲାର ଶୁଣାଣି କରି ଅଭିଯୁକ୍ତ କନିଷ୍ଠ କିରାଣିଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଥିବା ବେଳେ ୫ହଜାର ଟଙ୍କା ତଣ୍ଡ ଗଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ​​‌ମୋକଦ୍ଦମାର ବିବରଣୀରୁ ପ୍ରକାଶ, ସୁନ୍ଦରଗଡ଼ ସ୍ଥିତ ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କନିଷ୍ଠ କିରାଣି ତଥା ଏକାଉଣ୍ଟାଟ ସାରଙ୍ଗଧର ପ୍ରଧାନ ୨୦୦୭ ଅଗଷ୍ଟ ୧ ତାରିଖ ଦିନ ଅଭିଯୋଗକାରୀ ନରହରି ଭୋଇଙ୍କ ବାପା ବେଣୁଧର ଭୋଇଙ୍କ ଚୂଡ଼ାନ୍ତ ପେନସନ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ୱାରା ଧରାପଡ଼ି ଦୁର୍ନୀତି ନିବାରଣର ବିଭିନ୍ନ ଦଫାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ପରେ ବିଭାଗ ପକ୍ଷରୁ ଭିଜିଲାନ୍ସ ଅଦାଲତରେ ଅଭିଯୁକ୍ତ କିରାଣି ପ୍ରଧାନଙ୍କ ବିରୁଧରେ ଅଭିଯୋଗପତ୍ର ଦାଖଲ ହୋଇଥିଲା। ଦୀର୍ଘଦିନର ଶୁଣାଣି ପରେ ସୁନ୍ଦରଗଡ଼ ଭିଜିଲାନ୍ସ ଅଦାଲତର ସ୍ୱତନ୍ତ୍ର ଜଜ୍‍ ଶ୍ରୀ ନାଏକ ଏହି ମାମଲାରେ କିରାଣି ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରି ବିଭିନ୍ନ ଦଫାରେ ଯଥାକ୍ରମେ ଏକ ବର୍ଷ ସଶ୍ରମ କାରଦଣ୍ଡ, ୫ହଜାର ଟଙ୍କା ତଣ୍ଡ ଓ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ, ୫ହଜାର ଟଙ୍କା ତଣ୍ଡ ଗଣିବା ପାଇଁ ନିର୍ଦ୍ଦେଶ ଦେବା ସହ ଏହି ଦଣ୍ଡବିଧାନ ଏକାସାଙ୍ଗେ କାର୍ଯ୍ୟକାରୀ କରାଯିବା ସହ ତଣ୍ଡ ଅନାଦେୟ ୩ମାସ ଅଧିକ କାରାଦଣ୍ଡ ଭୋଗିବା ପାଇଁ ଅଦାଲତ ନିଜ ରାୟରେ ସ୍ପଷ୍ଟ କରିଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଧର୍ମେଶ କୁମାର ପଟେଲ ମକୋଦ୍ଦମା ପରିଚାଳନା କରିଥିଲେ।

Comments are closed.