ଦୁର୍ନୀତି ନିବାରଣ ସଚେତନତା ସପ୍ତାହ : “ସଚ୍ଚୋଟତା – ଏକ ଜୀବନଶୈଳୀ”

ଲାଞ୍ଚ ନେବେ ନାହିଁ ବୋଲି ଶପଥ ନେଲେ ରାଜ୍ୟ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ/ ଭୁବନେଶ୍ବର : କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଅକ୍ଟୋବର ୨୮ ସୋମବାର ଅର୍ଥାତ ଆଜିଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରୁଛି । ସର୍ବସାଧାରଣଙ୍କ ଅଂଶଗ୍ରହଣରେ ପ୍ରଶାସନରେ ସଚ୍ଚୋଟତା ଆଣିବା ଏହାର ମୂଳ ଲକ୍ଷ୍ୟ। ଦୁର୍ନୀତି ନିବାରଣ ସପ୍ତାହର ଶୀର୍ଷକ “ସଚ୍ଚୋଟତା – ଏକ ଜୀବନଶୈଳୀ” ରହିଛି । ଭିଜିଲାନ୍ସ କମିଶନ୍‍ କହିଛି, ଏହା ସମାଜର ସବୁ ବର୍ଗ ବିଶେଷକରି ଯୁବପିଢ଼ିକୁ ଏକ ସାଧୁ, ନିରପେକ୍ଷ ଓ ଦୁର୍ନୀତିମୁକ୍ତ ସମାଜ ଗଠନରେ ନୈତିକ ଆଚରଣ ଅବଲମ୍ବନ କରିବାପାଇଁ ପ୍ରେରିତ କରିବ। ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ସଙ୍ଗଠନ ଏହି ଶୀର୍ଷକ ଅନୁସାରେ କାର୍ଯ୍ୟ କରିବାକୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍‍ ସେମାନଙ୍କୁ ନିବେଦନ କରିଛି।

ଅନ୍ୟପକ୍ଷରେ ଜୀବନରେ ଆଇନ୍‍ର ସମସ୍ତ ନୀତି ଓ ନିୟମକୁ ମାନି, କାହାଠାରୁ ଲାଞ୍ଚ ନେବିନାହିଁ କି ଦେବିନାହିଁ, ଲୋକଙ୍କପାଇଁ କାମ କରିବି ଓ ସ୍ୱଚ୍ଛତା ରକ୍ଷା କରିବି, ନିଜର ବ୍ୟବହାରରେ ସାଧୁତା ରକ୍ଷା କରିବି, କୌଣସି ଦୁର୍ନୀତି ବିଷୟରେ ଅବଗତ ହେଲେ ତୁରନ୍ତ ସେହି ସଂସ୍ଥାକୁ ଖବର ଦେବି ବୋଲି ରାଜ୍ୟ ସରକାରୀ କର୍ମଚାରୀ ସୋମବାର ଶପଥ ନେଇଛନ୍ତି । ଭୁବନେଶ୍ୱରସ୍ଥିତ
ଓଡ଼ିଶା ଲୋକସେବା ଭବନ(ସଚ୍ଚିବାଳୟ)ରେ ବିଭିନ୍ନ ବିଭାଗର ସଚିବଙ୍କଠାରୁ ଆରମ୍ଭ କରି ଅଧସ୍ତନ କର୍ମଚାରୀ ପର୍ଯ୍ୟନ୍ତ ଏଭଳି ଶପଥପାଠ କରିଛନ୍ତି । କାହାଠାରୁ ଲାଞ୍ଚ ନେବେନି କିମ୍ବା କାହାକୁ ଲାଞ୍ଚ ଦେବେନି ବୋଲି ଶପଥ ନେଇଛନ୍ତି।
ରାଜ୍ୟରେ ଦୁର୍ନୀତିକୁ ଦୂର କରିବାକୁ ଓ କାର୍ଯ୍ୟରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତୀତା ରକ୍ଷା କରିବାକୁ ରାଜ୍ୟ ସରକାର ୫- ଟି ଉପରେ ଗୁରୁତ୍ୱ ଦେଉଥିବାବେଳେ ସରକାରଙ୍କ ସମସ୍ତ ବିଭାଗର କର୍ମଚାରୀ ଏହି ନିୟମକୁ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ମଧ୍ୟ ରହିଛି। ସୂଚନା ଯୋଗ୍ୟ ରବିବାର ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିମୁକ୍ତ ହେବାକୁ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। କୌଣସି ସରକାରୀ କର୍ମଚାରୀ ଦୁର୍ନୀତି କରୁଥିଲେ ତାଙ୍କୁ ଛଡାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ।

Comments are closed.