ଭିଜିଲାନ୍ସ କବଜାରେ କୋଟିପତି ହିନ୍ଦୀ ଶିକ୍ଷକ; ସମ୍ପତି ୪.୯୩ କୋଟି ଟଙ୍କା

ବ୍ରହ୍ମପୁରରେ ୩ କୋଠା ଓ ୧୦ଟି ପ୍ଲଟ; ଭୁବନେଶ୍ଵର, ପୁରୀ, ଗୋପାଳପୁରରେ ଆପାର୍ଟମେଣ୍ଟ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଝଣ୍ଡାଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ବୁଧବାର ଚଢାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଏକସଙ୍ଗେ ବ୍ରହ୍ମପୁର ବୈକୁଣ୍ଠନଗରସ୍ଥିତ ବାସଭବନ, ବ୍ରହ୍ମନଗରରେ ଥିବା ପାଞ୍ଚମହଲା କୋଠା, ପୈତୃକ ଗ୍ରାମ, କାର୍ଯ୍ୟାଳୟ ଓ ଲକ୍ଷ୍ମୀପୁରରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚଢାଉ କରାଯାଇଥିଲା। ଶ୍ରୀ ସାହୁଙ୍କର ୪ କୋଟି ୯୩ଲକ୍ଷ ୯୭ହଜାର ୨୪୪ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଆକଳନ କରାଯାଇଛି। ଚଢାଉ ବେଳେ ଶ୍ରୀ ସାହୁଙ୍କ ବ୍ରହ୍ମପୁର ବ୍ରହ୍ମନଗରରେ ୫ମହଲା କୋଠା, ବୈକୁଣ୍ଠନଗରରେ ତିନି ମହଲା କୋଠା, ଲକ୍ଷ୍ମୀପୁରରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଏକ ମହଲା କୋଠା, ପୁରୀ ଓ ଭୁବନେଶ୍ବରରେ ଆପାର୍ଟମେଣ୍ଟ, ଗୋପାଳପୁରରେ ଫ୍ଲାଟ, ତିନୋଟି ବାଇକ, ଗଞ୍ଜାମ ନିମଖଣ୍ଡିରେ ଦୋକାନ ଗୃହ, ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ୧୦ଟି ପ୍ଲଟ, ବିଭିନ୍ନ ବ୍ୟାଙ୍କରେ ଜମା, ଜୀବନ ବୀମାରେ ନିବେଶ, ସୁନା ଅଳଙ୍କାର ଆଦି ଥିବା ଜଣାପଡିଥିଲା।

Comments are closed.