ଏଣିକି କୋର୍ଟକୁ ଯିବେନି ଦୁର୍ଦାନ୍ତ ଅପରାଧୀ, ଭିଡିଓ କନଫରେନ୍ସିଂରେ କରାଯିବ ଜେରା

ନୟାଗଡ଼ ଓ ଅନୁଗୋଳରେ ସ୍ବତନ୍ତ୍ର ବ୍ୟବସ୍ଥା ଖୁବଶୀଘ୍ର:ଆଇନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସମୟରେ ଦୁର୍ଦାନ୍ତ ଅପରାଧୀଙ୍କୁ କୋର୍ଟ ନେବା ଆଣିବା ବେଳେ ଉପୁଜୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଭିଡିଓ କନଫରେନ୍ସିଂ ଜରିଆରେ ଏଣିକି ଶୁଣାଣି କରାଯିବ। ହାଇକୋର୍ଟଙ୍କ ନିର୍ଦେଶନାମା ପରେ ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ନୟାଗଡ଼ ଓ ଅନୁଗୋଳଠାରେ ଏହି ଭିତ୍ତିଭୂମି ସୁଦୃଢ଼ କରାଯିବାକୁ ରହିଛି। ଏହାପରେ ଅନ୍ୟ ଜିଲାଗୁଡିକରେ ପର୍ଯ୍ୟାୟକ୍ରମେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଦୁର୍ଦାନ୍ତ ଅପରାଧୀଙ୍କ ମାମଲାର ଶୁଣାଣି କରାଯିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ସୋମବାର ଲୋକସେବା ଭବନରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ହାଇକୋର୍ଟଙ୍କ ପକ୍ଷରୁ ଏଭଳି ଏକ ନିର୍ଦେଶନାମାକୁ ନେଇ ରାଜ୍ୟ ସରକାର ତତ୍ପର ଅଛନ୍ତି। ଏନେଇ ଗୃହ ବିଭାଗକୁ ତୁରନ୍ତ କାର୍ଯ୍ୟାନ୍ବୟନ କରିବାକୁ କୁହାଯାଇଛି। ଗୃହବିଭାଗ ପକ୍ଷରୁ ବିଭିନ୍ନ ଜିଲାରେ ଜମି ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଜିଲା ପ୍ରଶାସନ ଜମି ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟ ଶେଷ କରିବା କ୍ଷଣି ସେଠାରେ ଦୁର୍ଦାନ୍ତ ଅପରାଧୀଙ୍କ ଶୁଣାଣି ପ୍ରକ୍ରିୟା ପାଇଁ ଭିଡ଼ିଓ କନଫରେନ୍ସିଂ କକ୍ଷ କରାଯିବ। ଏହାଦ୍ବାରା ଖର୍ଚ୍ଚ କମିବା ସହିତ ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡାଯାଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

ହାଇକୋର୍ଟଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଏକ ନିର୍ଦେଶନାମା ଆସିଛି। ଏନେଇ ଆଇନ ବିଭାଗକୁ ତୁରନ୍ତ କାର୍ଯ୍ୟାନ୍ବୟନ ରିପୋର୍ଟ ଲୋଡାଯାଇଛି। ଦୁର୍ଦାନ୍ତ ଅପରାଧୀଙ୍କୁ କୋର୍ଟକୁ ନେବା ଆଣିବା ବେଳେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଭିଡ଼ିଓ କନଫରେନ୍ସିଂ ଏହାର ମାଧ୍ୟମ ପାଲଟିବ। ଯାହାଫଳରେ ଅପରାଧୀମାନେ ଖସି ପଳାଇବା କିମ୍ବା ମାମଲା ଶୁଣାଣି ବେଳେ କୌଣସି ଅଘଟଣ ଘଟିବାର ସମ୍ଭାବନାକୁ ଏଡାଯାଇ ପାରିବ ବୋଲି ଜଣାଯାଇଛି।

Comments are closed.