ମିଳିତଭାବେ ଏକ ଶକ୍ତିଶାଳୀ ରଣନୀତି ମାଧ୍ୟମରେ ସାର୍କ ସଦସ୍ୟ ରାଷ୍ଟ୍ର କରୋନା ମୁକାବିଲା କରିପାରିବେ : ମୋଦୀ

ନୂଆଦିଲ୍ଲୀ :  ମିଳିତ ପ୍ରସ୍ତୁତି, ମିଳିତ କାର୍ଯ୍ୟାନ୍ୱୟନ ଦ୍ୱାରା ହିଁ ସାର୍କ ଦେଶଗୁଡ଼ିକ କୋଭିଡ଼-୧୯ ପରିସ୍ଥିତିର ମୁକାବିଲାରେ ମିଳିତ ଭାବେ ସଫଳ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦକ୍ଷିଣ ଏସୀୟ ଅଞ୍ଚଳରେ କୋଭିଡ଼୍‍-୧୯କୁ ପ୍ରତିହତ କରିବାପାଇଁ ମିଳିତଭାବେ ଏକ ଶକ୍ତିଶାଳୀ ରଣନୀତି ପ୍ରସ୍ତୁତ କରିବାପାଇଁ ସବୁ ସାର୍କ ରାଷ୍ଟ୍ରଗୁଡ଼ିକର ନେତାମାନଙ୍କ ସହ ଭିଡ଼ିଓ କନ୍‍ଫରେନ୍‍ସିଂ ଆଲୋଚନାରେ ନିଜର ପ୍ରାରମ୍ଭିକ ମତାମତ ଦେଇ ଶ୍ରୀ ମୋଦି କହିଛନ୍ତି, ସମସ୍ତ ସର୍ବୋତ୍ତମ ପ୍ରୟାସ ସତ୍ତ୍ବେ ଆଗକୁ ପରିସ୍ଥିତି କିଭଳି ରୂପ ନେବ, ସେନେଇ ଅନିଶ୍ଚିତତା ଥିବାବେଳେ ସବୁ ରାଷ୍ଟ୍ର ପରିସ୍ଥିତି ସମ୍ପର୍କରେ ନିଜ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି, ସାର୍କ ଅଞ୍ଚଳରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୧୫୦ରୁ କମ୍‍ ଥିବାବେଳେ ବିଶ୍ୱ ଜନସଂଖ୍ୟାର ୫ ଭାଗରୁ ୧ ଭାଗ ଲୋକ ଏହି ଅଞ୍ଚଳରେ ରହୁଥିବା ଦୃଷ୍ଟିରୁ ପରିସ୍ଥିତିକୁ ନେଇ ସଜାଗ ରହିବା
ଆମ୍ଭମାନଙ୍କର କର୍ତ୍ତବ୍ୟ। ଏହି ଭୂତାଣୁର ପରିବ୍ୟାପ୍ତିକୁ ପ୍ରତିହତ କରିବା ଦିଗରେ ଭାରତର ଅଭିଜ୍ଞତାର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଭୟଭୀତ ନ ହୋଇ ପ୍ରସ୍ତୁତ ରୁହ’ ମୂଳମନ୍ତ୍ର ଆମ ଦେଶକୁ ଏଦିଗରେ ଆଗେଇବାରେ ପ୍ରେରଣା ଯୋଗାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି :

-ଜାନୁଆରୀ ମଧ୍ୟଭାଗରୁ ଆମେ ଭାରତ ଆସୁଥିବା ଲୋକଙ୍କର ସ୍କ୍ରିନିଂ ଆରମ୍ଭ କରିଦେଇଥିଲୁ

-ଆମେ ବିଭିନ୍ନ ଦେଶରୁ ୧୪୦୦ ଲୋକଙ୍କୁ ସ୍ଥାନାନ୍ତର କରି ଆଣିଛୁ

-ବର୍ତ୍ତମାନ ସୁଦ୍ଧା ଆମ ଅଞ୍ଚଳରେ ୧୫୦ରୁ କମ୍ ମାମଲା ଚିହ୍ନଟ ହୋଇଛି, କିନ୍ତୁ ଆମକୁ ସତର୍କ ରହିବା ଆବଶ୍ୟକ

-କରୋନା ଭୂତାଣୁ ସଂକ୍ରମଣର ବ୍ୟାପକତାକୁ ରୋକିବା ଏକ ବଡ଼ ଆହ୍ବାନ, ତେବେ ଏ ​କ୍ଷେତ୍ରରେ‌ ଭାରତର ଅନୁଭବକୁ ସମସ୍ତେ ଗ୍ରହଣ କରିବା ଆବଶ୍ୟକ  

-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାର୍କ ରାଷ୍ଟ୍ର ସମୂହ ଏକ ସୁଦୃଢ ରଣନୀତି ପ୍ରସ୍ତୁତ କରିବେ, ଯାହା ସାରା ବିଶ୍ବ ପାଇଁ ଏକ ଉଦାହରଣ ପାଲଟିବ 

ଶ୍ରୀ ମୋଦୀ କହିଛନ୍ତି, ଭାରତ ଏହି ସମସ୍ୟାକୁ ହେୟଜ୍ଞାନ ନ କରି ସତର୍କ ରହିବା ସହିତ ଆତଙ୍କିତ ନ ହେବାରେ ବିଶ୍ୱାସ ରଖିଛି। ସେ କହିଛନ୍ତି, ଭାରତକୁ ଆସୁଥିବା ବିଦେଶୀ ନାଗରିକମାନଙ୍କର ଗତ ଜାନୁୟାରୀ ମଧ୍ୟଭାଗରୁ ଯାଞ୍ଚ୍‍ ପ୍ରକ୍ରିୟା ଆରମ୍ଭ
କରାଯାଇଛି ଏବଂ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଗୋଟିଏ ପରେ ଗୋଟିଏ ପାଦ ଏ ଦିଗରେ ଆଗକୁ ବଢ଼ାଇ ଆତଙ୍କିତ ମନୋଭାବକୁ ଏଡ଼ାଇ ଦିଆଯାଇପାରିଛି। ଟେଲିଭିଜନ୍‍ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଜାରି ରହିଥିବା ସଚେତନତା ଅଭିଯାନକୁ ଶ୍ରୀ ମୋଦୀ ଉଲ୍ଲେଖ କରିବା ସହିତ ବିପଦପୂର୍ଣ୍ଣ ପରିସ୍ଥିତିରେ ରହିଥିବା ଲୋକମାନଙ୍କ ନିକଟରେ ପହଞ୍ଚିବାପାଇଁ ବିଶେଷଭାବେ ପ୍ରୟାସ କରାଯାଇଛି ବୋଲି କହିଛନ୍ତି।

ରୋଗ ନିରୂପଣ କ୍ଷମତାକୁ ମଧ୍ୟ ବୃଦ୍ଧି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଦେଶରେ ଗୋଟିଏ ପରୀକ୍ଷା କେନ୍ଦ୍ର ଥିବାବେଳେ ଗତ ଦୁଇ ମାସ ମଧ୍ୟରେ ଆଉ ୬୬ଟି ଏଭଳି ପରୀକ୍ଷାଗାର ଖୋଲାଯାଇ ଏହି ବିଶ୍ୱବ୍ୟାପୀ ମହାମାରୀର ମୁକାବିଲା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେ କହିଛନ୍ତି, ବିଭିନ୍ନ ଦେଶରେ ଥିବା ୧୪ ଶହ ଭାରତୀୟଙ୍କୁ ଏପର୍ଯ୍ୟନ୍ତ ଦେଶକୁ ଫେରାଇ ଅଣାଯାଇଛି। ବିଦେଶରେ ଥିବା ଭାରତୀୟମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ୍‍ ପାଇଁ ବିଭିନ୍ନ ଦେଶରେ ଭ୍ରାମ୍ୟମାଣ ଡାକ୍ତରୀ ଦଳକୁ ନିୟୋଜିତ କରାଯାଇଛି।
ଏହି ଅବସରରେ ନିଜର ଭାବନା ବ୍ୟକ୍ତ କରି ମାଳଦୀପର ରାଷ୍ଟ୍ରପତି ଇବ୍ରାହିମ୍‍ ମହମ୍ମଦ ସୋଲି କହିଛନ୍ତି, ଏହି ଭୂତାଣୁକୁ ନିୟନ୍ତ୍ରିତ କରିବାପାଇଁ ଅଭୂତପୂର୍ବ ଭାବରେ ସମ୍ମିଳିତ ପ୍ରତିକ୍ରିୟାର ଆବଶ୍ୟକତା ରହିଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତାବୟେ
ରାଜପକ୍ଷେ କହିଛନ୍ତି, ଶ୍ରୀଲଙ୍କାରେ ଏହି ଭୂତାଣୁକୁ ବ୍ୟାପିବାରୁ କିଭଳି ରୋକାଯାଇପାରିବ, ତାହା ଏବେ ସବୁଠାରୁ ବଡ଼ ଆହ୍ୱାନ ପାଲଟିଛି। ସେ କହିଛନ୍ତି, ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟକମାନଙ୍କର ଶ୍ରୀଲଙ୍କାରେ ପ୍ରବେଶକୁ ବାରଣ କରାଯାଇଛି। ଏହି ଭୂତାଣୁ ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଥିବାରୁ ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ଶ୍ରେଷ୍ଠ ନୀତି ଅନୁସରଣ କରିବା ଉପରେ ସମସ୍ତେ ନିଜ ନିଜର ବିଚାରଧାରା ବାଣ୍ଟିବା ଆବଶ୍ୟକ ବୋଲି ଶ୍ରୀ ରାଜପକ୍ଷେ କହିଛନ୍ତି। ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ୍‍ ଘନି କହିଛନ୍ତି, ବିଶ୍ୱବ୍ୟାପୀ ମହାମାରୀ କୋଭିଡ଼-୧୯ର ମୁକାବିଲା ଲାଗି ଏକ ମିଳିତ ସହଯୋଗ ବ୍ୟବସ୍ଥା ବିକଶିତ କରିବାର ଆବଶ୍ୟକତା ରହିଛି।

ଭିଡ଼ିଓ କନ୍‍ଫରେନ୍ସିଂରେ ସାମିଲ ହୋଇଥିବା ସାର୍କ ସଦସ୍ୟ ରାଷ୍ଟ୍ରର ପତିନିଧି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ପୃଥିବୀର ଅନ୍ୟତମ ଜନବହୁଳ ଦକ୍ଷିଣ ଏସିଆ ଏବଂ ସମଗ୍ର ବିଶ୍ୱରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଏହି ପଦକ୍ଷେପ ଏକ ଉଦାହରଣ ସୃଷ୍ଟି କରିବ ବୋଲି ଶ୍ରୀ ମୋଦୀ ଆଶା ପ୍ରକାଶ କରିଛନ୍ତି।

ଗତ ଶୁକ୍ରବାର ଦିନ ଶ୍ରୀ ମୋଦୀ ସାର୍କ ସଦସ୍ୟ ରାଷ୍ଟ୍ର ନେତୃବୃନ୍ଦଙ୍କ ସହ ଏଭଳି ଏକ ଆଲୋଚନା ଲାଗି ଇଚ୍ଛାବ୍ୟକ୍ତ କରିଥିଲେ। ଏ ସଂପର୍କରେ ଅନେକଗୁଡ଼ିଏ ଟ୍ୱିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ପ୍ରସ୍ତାବ ଦେଇଥିଲେ।

Comments are closed.