ଏହା ପ୍ରକୃତ ‘ଚକ୍‌ ଦେ ଇଣ୍ଡିଆ’

ଟୋକିଓ : ଟୋକିଓ ଅଲିମ୍ପିକ୍‌ସର କ୍ବାର୍ଟରଫାଇନାଲରେ ବିଶ୍ବର ୨ନଂ ଦଳ ତଥା ୩ ଥର ଅଲିମ୍ପିକ୍‌ ଚମ୍ପିଆନ୍‌ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ପରାସ୍ତକରି ଭାରତ ପ୍ରଥମଥର ସେମିଫାଇନାଲ ଖେଳିବାକୁ ଯାଉଛି। ଭାରତୀୟ ଦଳର ଏହି ବିଜୟରେ ସବୁଠାରୁ ଅଧିକ ଖୁସି ହୋଇଛନ୍ତି ପ୍ରଶିକ୍ଷକ ସୋଏର୍ଡ ମାରିଏନେ। ଭାରତ ଏହି ଐତିହାସିକ ବିଜୟ ପରେ ନେଦରଲାଣ୍ଡ୍‌ସର ମାରିଏନେ ଟ୍ବିଟରରେ ଲେଖିଛନ୍ତି- ଏହା ହିଁ ପ୍ରକୃତରେ ଚକ୍‌ ଦେ ଇଣ୍ଡିଆ।
ସୂଚନାଯୋଗ୍ୟ; ଶାହାରୁଖ୍ ଖାଁ ଅଭିନୀତ ବଲିଉଡ୍‌ ଚଳଚ୍ଚିତ୍ର ‘ଚକ୍‌ ଦେ ଇଣ୍ଡିଆ’ର କାହାଣୀ ସହ ଟୋକିଓ ଅଲିମ୍ପିକ୍‌ସ ଖେଳୁଥିବା ଭାରତୀୟ ମହିଳା ହକି ଦଳର କାହାଣୀ ପ୍ରାୟ ସମାନ। ଚଳଚ୍ଚିତ୍ରରେ ପ୍ରଶିକ୍ଷକ କବିର ଖାଁ ଏକ ଅନଭିଜ୍ଞ ଦଳର ନେତୃତ୍ବନେଇ ତାଙ୍କ ଲଢ଼ୁଆ ପ୍ରଦର୍ଶନ ପାଇଁ ଖେଳାଳିଙ୍କୁ ପ୍ରେରଣା ଯୋଗାଇଥିଲେ। ଫଳରେ ଭାରତ ଗୋଟିଏ ମଧ୍ୟ ମ୍ୟାଚ୍‌ ଜିତିପାରିବ ବୋଲି କେହି ଭାବିନଥିବା ବେଳେ ଏହା ଗୋଟିଏ ପରେ ଗୋଟିଏ ବିଶ୍ବର ଶ୍ରେଷ୍ଠ ଦଳଙ୍କୁ ପରାସ୍ତକରି ଚମ୍ପିଆନ୍ ହୋଇଥିଲା। ଟୋକିଓ ଅଲିମ୍ପିକ୍‌ସ ଖେଳୁଥିବା ଭାରତୀୟ ମହିଳା ହକି ଦଳର କାହାଣୀ ମଧ୍ୟ ଏହାପରି। ଏହି ଅଲିମ୍ପିକ୍‌ସ ପୂର୍ବରୁ କେହି ଭାରତୀୟ ମହିଳା ହକି ଦଳ କ୍ବାର୍ଟରଫାଇନାଲ ଖେଳିବ ବୋଲି ଭାବିନଥିବା ବେଳେ ଏହା ସେମିଫାଇନାଲ ଖେଳିବାକୁ ଯାଉଛି। ମାରିଏନେ ପୁଣି କହିଛନ୍ତି, ମୋ ହୃତ୍‌ପିଣ୍ଡ ଏବେ ମଧ୍ୟ କାମକରୁଛି। ଗତ ୩ଟିଯାକ ମ୍ୟାଚ୍‌ରେ ଆମ ଦଳ ଭଲ ପ୍ରଦର୍ଶନ କରିଛି। ମ୍ୟାଚ୍‌ ପରେ ମ୍ୟାଚ୍‌ ଅାମେ ଯୋଜନା କରିଛୁ ଏବଂ ଏହାକୁ କାର୍ଯ୍ୟକାରୀ କରିଛୁ। ଆମେ ପ୍ରତି ମ୍ୟାଚ୍‌ରେ ଉନ୍ନତ ପ୍ରଦର୍ଶନ କରିବାକୁ ପ୍ରୟାସ କରିଛୁ ଏବଂ ଏଥିରେ ସଫଳ ହୋଇଛୁ। ତଥାପି ମୁଁ କହିବି ଯେ ଆମର ରକ୍ଷାପନ୍ଥୀ ବହୁତ ଦୁର୍ବଳ ରହିଛି। ଏହି ଦିଗରେ ଆମକୁ ଉନ୍ନତି କରିବାକୁ ପଡ଼ିବ। ମ୍ୟାଚ୍‌ ଖେଳିବା ମାନସିକତା ଉପରେ ନିର୍ଭର କରିଥାଏ। ମୁଁ ମୋ ଖେଳାଳିଙ୍କୁ କହିଛି ଯେ ଆମକୁ କିଛି ହରାଇବାର ନାହିଁ; ତେଣୁ ଖୋଲିକରି ଖେଳ। ଅଷ୍ଟ୍ରେଲିଆ ବିପକ୍ଷରେ ଆମ ଖେଳାଳି ଏପରି ଖେଳିଥିଲେ। ଏହି ବିଜୟ ସ୍ବପ୍ନ ସାକାର ହେବା ପରି। ପ୍ରକୃତରେ ଏହା ‘ଚକ୍‌ ଦେ ଇଣ୍ଡିଆ’। ଆମର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ହାରଜିତ କଥା ନ ଭାବି ଶକ୍ତିଶାଳୀ ଆର୍ଜେଣ୍ଟିନା ବିପକ୍ଷରେ ଆମେ ସ୍ବାଭାବିକ ପ୍ରଦର୍ଶନ କରିବା।

କାନ୍ଦି ପକାଇଲେ ହକି ଭାଷ୍ୟକାର

ଭାରତୀୟମାନେ ହକିକୁ କେତେ ଭଲପାଆନ୍ତି; ଏହା ଏହିଥିରୁ ଜଣାପଡ଼ୁଛି। କ୍ରମାଗତ ୨ୟ ଦିନ ଟୋକିଓ ଅଲିମ୍ପିକ୍‌ସରେ ଭାରତୀୟ ହକି ଦଳର ମ୍ୟାଚ୍‌ ବେଳେ ଭାଷ୍ୟକାର ଖୁସିରେ କାନ୍ଦି ପକାଇଛନ୍ତି; ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅଲିମ୍ପିକ୍‌ସରେ ଦୁଇ ହକି ଭାଷ୍ୟକାର ସୁନୀଲ ତନେଜା ଓ ସିଦ୍ଧାର୍ଥ ପାଣ୍ଡେ ଧାରା ବିବରଣୀ ପ୍ରଦାନ କରୁଥିବା ବେଳେ ଷ୍ଟୁଡିଓରେ କାନ୍ଦିବା ଭାରତୀୟ କ୍ରୀଡ଼ା ସମୁଦାରେ ବେଶ୍ ଭାବବିହ୍ବଳ ପରିବେଶ ସୃଷ୍ଟି କରିଥିଲା। ରବିବାର ଭାରତୀୟ ପୁରୁଷ ହକି ଦଳ ଗ୍ରେଟ୍‌ ବ୍ରିଟେନ୍‌କୁ ୩୧ ଗୋଲ୍‌ରେ ପରାସ୍ତକରି ଦୀର୍ଘ ୪୯ ବର୍ଷ ପରେ ଅଲିମ୍ପିକ୍‌ସର ସେମିଫାଇନାଲରେ ପ୍ରବେଶ କରିଥିଲା। ଏହି ମ୍ୟାଚ୍‌ର ଶେଷ ମିନିଟର ଖେଳ ଚାଲିଥିବା ବେଳେ ବରିଷ୍ଠ ଭାଷ୍ୟକାର ସୁନୀଲ ତନେଜା କାନ୍ଦିକାନ୍ଦି ଭାରତୀୟ ପୁରୁଷ ହକି ଦଳର ବିଜୟଗାଥା ବଖାଣିଥିଲେ। ତାଙ୍କ ସହ ଥିବା ଅନ୍ୟ ଭାଷ୍ୟକର ତଥା ବିଶିଷ୍ଟ ହକି ବିଶେଷଜ୍ଞ ସିଦ୍ଧାର୍ଥ ପାଣ୍ଡେ ମଧ୍ୟ ଭାବବିହ୍ବଳ ହୋଇଥିଲେ ହେଁ ତନେଜାଙ୍କୁ ବୁଝାଇବାର ପ୍ରୟାସ କରିଥିଲେ। ଶେଷରେ ସିଦ୍ଧାର୍ଥ ପାଣ୍ଡେ ମଧ୍ୟ କୋହ ରୋକି ପାରିନଥିଲେ। ଭାରତୀୟ ଦଳ ମ୍ୟାଚ୍ ଜିତି ସେମିଫାଇନାଲ ଖେଳିବା ନିଶ୍ଚିତ କରିବା ପରେ ଉତ୍ସବମୁଖର ହେଉଥିବା ବେଳେ ବାଷ୍ପରୁଦ୍ଧ କଣ୍ଠରେ ସୁନୀଲ ତନେଜା ଓ ସିଦ୍ଧାର୍ଥ ପାଣ୍ଡେ ଭାରତୀୟ ପୁରୁଷ ଦଳକୁ ପ୍ରଶଂସା କରିବାରେ ଲାଗିଥିଲେ। ପୁରୁଷ ଦଳର ଏହି ଐତିହାସିକ ବିଜୟ ପରେ ସୋମବାର ଭାରତୀୟ ମହିଳା ହକି ଦଳ ଶକ୍ତିଶାଳୀ ତଥା ବିଶ୍ବର ୨ନଂ ଦଳ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ପରାସ୍ତକରି ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ୍‌ରେ ଭାରତ ୧-୦ ଗୋଲ୍‌ରେ ଆଗୁଆ ଥିବା ବେଳେ ଶେଷ କ୍ବାର୍ଟରରେ ଅଷ୍ଟ୍ରେଲିଆ ଦଳ ପ୍ରବଳ ଚାପ ପକାଇ ଖେଳିବା ସହ ଗୋଲ୍‌ ସୁଝାଇବା ପ୍ରୟାସ କରିଥିଲା। ମ୍ୟାଚ୍‌ର ଶେଷ ମିନିଟ ଚାଲିଥିବା ବେଳେ ଦୁଇ ଭାଷ୍ୟକାର ସୁନୀଲ ତନେଜା ଓ ସିଦ୍ଧାର୍ଥ ପାଣ୍ଡେ ମ୍ୟାଚ୍‌ ଶେଷର ଅବଗଣନା ଆରମ୍ଭ କରିଥିଲେ। ଏହି ସମୟରେ ଦୁହେଁ ପୁଣିଥରେ ଭାବବିହ୍ବଳ ହୋଇଥିଲେ ଏବଂ କାନ୍ଦି ପକାଇଥିଲେ। ଏହି ୨ଟି ଭିଡିଓ ଏବେ ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.