ବରିଷ୍ଠ ନୌସେନା ଅଧିକାରୀ ଭାଇସ୍ ଆଡମିରାଲ୍ ଶ୍ରୀକାନ୍ତଙ୍କ କରୋନା ସଂକ୍ରମଣରେ ଦେହାନ୍ତ

କରୋନା ଭୁତାଣୁ ସଂକ୍ରମଣ ଯୋଗୁ ନୌସେନାର ବରିଷ୍ଠ ଅଧିକାରୀ ଭାଇସ୍ ଆଡମିରାଲ୍ ଶ୍ରୀକାନ୍ତଙ୍କ ମଙ୍ଗଳବାର ଦେହାନ୍ତ ଘଟିଛି। ଭାଇସ୍ ଆଡମିରାଲ୍ ଶ୍ରୀକାନ୍ତ ନୌସେନାର ବୁଡ଼ାଜାହାଜ ୱିଙ୍ଗର ବରିଷ୍ଠ ଅଧିକାରୀ ଥିଲେ ଏବଂ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବାର ଥିଲା। ସେ ନୌସେନାର ପ୍ରକଳ୍ପ ‘ସିବାର୍ଡ଼’ର ମହାନିର୍ଦ୍ଦେଶକ ମଧ୍ୟ ଥିଲେ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାଇସ୍ ଆଡମିରାଲ୍ ଶ୍ରୀକାନ୍ତଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଭାଇସ୍ ଆଡମିରାଲ୍ ଶ୍ରୀକାନ୍ତଙ୍କ ଅକାଳ ବିୟୋଗରେ ଅତ୍ୟନ୍ତ ଦୁଃଖିତ। ପ୍ରତିରକ୍ଷା ବିଭାଗ ଏବଂ ଭାରତୀୟ ନୌସେନା ସର୍ବଦା ତାଙ୍କର ଅବଦାନ ଏବଂ ଦେଶ ପାଇଁ ଉଲ୍ଲେଖନୀୟ ସେବାକୁ ମନେ ରଖିବ। ମନ୍ତ୍ରୀ ରାଜନାଥ ତାଙ୍କ ଶୋକସନ୍ତପ୍ତ ପରିବାର ଏବଂ ବନ୍ଧୁମାନଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।