ପାକିସ୍ତାନକୁ ବିଶ୍ୱ ହିନ୍ଦୁ ପରିଷଦର କଡ଼ା ସମାଲୋଚନା

ନୂଆଦିଲ୍ଲୀ : ନାଗରିକତା ଆଇନ(ସଂଶୋଧନ) ପ୍ରସଙ୍ଗରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ତରଫରୁ ଜାରି ମନ୍ତବ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ କଡ଼ା ସମାଲୋଚନା କରିଛି। ବିଶ୍ୱହିନ୍ଦୁ ପରିଷଦର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ମିଲିନ୍ଦ ପାରାଣ୍ଡେ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ପାକିସ୍ଥାନର ମୁଣ୍ଡ ଖେଳାଇବା ଆବଶ୍ୟକତା ନାହିଁ। ଏହି ଆଇନ ଦ୍ୱାରା ଭାରତର ମୁସଲିମ ସମାଜ ପ୍ରଭାବିତ ହେବ ନାହିଁ ବରଂ ପାକିସ୍ତାନ, ଆଫଗାନିସ୍ତାନ, ବଙ୍ଗଳାଦେଶରୁ ଅତ୍ୟାଚାରିତ ହୋଇ ପଳାଇ ଆସୁଥିବା ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତା ମିଳିପାରିବ। ପାକିସ୍ତାନରେ ବସବାସ କରୁଥିବା ସଂଖ୍ୟାଲଘୁଙ୍କୁ ସେଠାକାର ସରକାର ପ୍ରଥମେ ସୁରକ୍ଷା ଦେବା ଆବଶ୍ୟକ। କରୋନା ମହାମାରୀ କାଳରେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଘର ଭାଙ୍ଗିବା, ମହିଳାଙ୍କ ଅପହରଣ, ଧର୍ମାନୁଷ୍ଠାନ ଭାଙ୍ଗିବା ଭଳି ଅମାନବୀୟ କାର୍ଯ୍ୟ ଦେଖିବାକୁ ମିଳୁଛି। ଏପରିକି ଧର୍ମ ଆଧାରରେ ଖାଦ୍ୟ ବଣ୍ଟନ କରାଯାଇ ସଂଖ୍ୟାଲଘୁଙ୍କୁ କ୍ଷୁଧାରେ ମରିବାକୁ ଛାଡ଼ି ଦିଆଯାଉଛି। ବିଗତ ୭୦ ବର୍ଷ ଧରି ପାକିସ୍ଥାନରେ ଜୋର ଜବରଦସ୍ତ ସଂଖ୍ୟାଲଘୁଙ୍କ ଧର୍ମାନ୍ତରୀକରଣ ସେଠାକାର ବାସ୍ତବ ଚିତ୍ରକୁ ପରିପ୍ରକାଶ କରୁଛି। ଏଭଳି ସ୍ଥିତିରେ ଭାରତକୁ ସମାଲୋଚନା କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ପାରାଣ୍ଡେ କହିଛନ୍ତି। ରାମ ଜନ୍ମଭୂମି ପ୍ରସଙ୍ଗରେ କହିଛନ୍ତି ଯେ ଆକ୍ରମଣକାରୀ ବାବର ନିର୍ଦେଶରେ ଅଯୋଧ୍ୟାର ରାମ ମନ୍ଦିରକୁ ଭାଙ୍ଗି ଦିଆ ଯାଇଥିଲା। ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ବିଚାର କରି ହିନ୍ଦୁ ସମାଜ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି। ଆତଙ୍କବାଦୀଙ୍କୁ ତାଲିମ ଦେଇ ନିର୍ଦ୍ଦୋଶ ନାଗରିକଙ୍କ ନରସଂହାର କରୁଥିବା ପାକିସ୍ତାନ କୌଣସି ପ୍ରସଙ୍ଗରେ ଭାରତକୁ ପ୍ରଶ୍ନ କରିବାର ଅଧିକାର ନାହିଁ ବୋଲି ଶ୍ରୀ ପାରାଣ୍ଡେ ଦର୍ଶାଇଛନ୍ତି।

Comments are closed.