ଆରସିବି ପ୍ରଶିକ୍ଷକ ପଦରୁ ଭେଟୋରି ହଟିଲେ

0

ବେଙ୍ଗାଲୁରୁ : ଆଇପିଏଲ ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ମୁଖ୍ୟ ପ୍ରଶିକ୍ଷକ ପଦରୁ ଡାନିଏଲ ଭେଟୋରିଙ୍କୁ ଅବ୍ୟାହତି ଦିଆଯାଇଛି। ଭେଟୋରିଙ୍କ ବ୍ୟତୀତ ବ୍ୟାଟିଂ/ଫିଲ୍ଡିଂ ପ୍ରଶିକ୍ଷକ ଟ୍ରେଣ୍ଟ ଉଡ୍‍ହିଲ ଓ ବୋଲିଂ ପ୍ରଶିକ୍ଷକ ଆଣ୍ଡ୍ରୃ ମ୍ୟାକଡୋନାଲଡଙ୍କୁ ମଧ୍ୟ ସେମାନଙ୍କର ପଦରୁ ହଟାଇ ଦିଆଯାଇଛି। ତେବେ ବୋଲିଂ ପ୍ରୋତ୍ସାହନଦାତା (ମେଣ୍ଟର) ଭାବେ ଗତବର୍ଷ ଆରସିବିରେ ଯୋଗଦେଇଥିବା ଆଶିଷ ନେହେରାଙ୍କ ପଦ ସୁରକ୍ଷିତ ରହିଥିବା ଜଣାପଡିଛି। ଅଧିନାୟକ ବିରାଟ କୋହଲିଙ୍କ ପରାମର୍ଶକ୍ରମେ ଏହି ତିନିଜଣ ସପୋର୍ଟ ଷ୍ଟାଫ୍‍ଙ୍କୁ ବିଦା କରାଯାଇଥିବା ପ୍ରକାଶ। ଆସନ୍ତା ଏକ ସପ୍ତାହ ମଧ୍ୟରେ କୋହଲିଙ୍କ ସୁପାରିସ ଅନୁଯାୟୀ ନୂତନ ସପୋର୍ଟ ଷ୍ଟାଫ୍‍ଙ୍କୁ ନିଯୁକ୍ତି ଦିଆଯିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଗ୍ୟାରୀ କର୍ଷ୍ଟନଙ୍କୁ ନିଯୁକ୍ତି ଦିଆଯାଉ ବୋଲି କୋହଲି ଆନ୍ତରିକଭାବେ ଚାହୁଁଛନ୍ତି। ୨୦୧୧ରେ କର୍ଷ୍ଟନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକଭାବେ ଦାୟିତ୍ୱ ବହନ କରି ଦଳକୁ ବିଶ୍ୱକପ ଚମ୍ପିଆନ କରାଇଥିଲେ। କର୍ଷ୍ଟନଙ୍କୁ ଗତବର୍ଷ ଆରସିବି ପକ୍ଷରୁ ବ୍ୟାଟିଂ ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା। ଦଳରେ କୋହଲି ଓ ଡି’ଭିଲିୟର୍ସଙ୍କ ଭଳି ପ୍ରଭାବଶାଳୀ ବ୍ୟାଟସମ୍ୟାନ ଥାଇ ସୁଦ୍ଧା ଚଳିତବର୍ଷ ଆଇପିଏଲରେ ଆରସିବି ୧୪ଟି ଲିଗ୍‍ ମ୍ୟାଚରୁ କେବଳ ୬ଟିରେ ବିଜୟୀ ହେବାସହିତ ଟେବୁଲରେ ୬ଷ୍ଠ ସ୍ଥାନ ଅଧିକାର କରିଥିଲା। ଏହି ପରିପ୍ରେକ୍ଷୀରେ ଆଗାମୀ ଆଇପିଏଲ ପାଇଁ ସପୋର୍ଟ ଷ୍ଟାଫ୍‍ ପରିବର୍ତ୍ତନ କରିବାକୁ ଆରସିବିର ପ୍ରଶାସନିକ ମୁଖ୍ୟ ସଞ୍ଜୀବ ଚୁଡିୱାଲା ନିଷ୍ପତ୍ତି ନେଇଛନ୍ତି।

Leave A Reply