କଳାବ୍ୟାଜ ପିନ୍ଧି ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ

ଗତ ୧୫ବର୍ଷ ଧରି ଡାକ୍ତରଙ୍କ ଭଳି ସମାନ ମର୍ଯ୍ୟାଦା ପାଇବାରୁ ବଞ୍ଚିତ ପ୍ରାଣୀଚକିତ୍ସକ

ବଡ଼ମ୍ବା : କୃଷିପ୍ରଧାନ ରାଜ୍ୟରେ ପ୍ରାଣୀଚିକିତ୍ସକଙ୍କ ଦାୟିତ୍ୱ ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧିପାଇଛି। ନିରବ ପଶୁ ଏବଂ ପକ୍ଷୀଙ୍କ କଷ୍ଟ ବୁଝିପାରି ଚିକିତ୍ସାସେବା ଯୋଗାଇ ଆସୁଥିବା ଏହି ଚିକିତ୍ସକମାନଙ୍କୁ କିନ୍ତୁ ବହୁ ବର୍ଷଧରି ଦାବି ସତ୍ୱେ ଡାକ୍ତରଙ୍କ ଭଳି ସମାନ ପଦମର୍ଯ୍ୟଦା ରାଜ୍ୟସରକାର ଦେଉନଥିବା ଅଭିଯୋଗ ହେଉଛି। ଏହି ଚକିତ୍ସକମାନଙ୍କୁ କନିଷ୍ଠ ପ୍ରଥମ ଶ୍ରେଣୀ ବର୍ଗରେ ରାଜ୍ୟ ସରକାର ପ୍ରାରମ୍ଭିକ ନିଯୁକ୍ତି ଦେବାକୁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ପ୍ରାଣିଚକିତ୍ସା ସେବା ସଂଘର ଆହ୍ୱାନକ୍ରମେ ରାଜ୍ୟବ୍ୟାପି ପ୍ରାଣୀ ଚିକିତ୍ସକମାନେ ଗତ ୨୫ତାରିଖରୁ କଳାବ୍ୟାଜ ପରିଧାନ ପୂର୍ବକ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାଯାଇଛି। ଏପରିକି ଏହି ନିର୍ଣ୍ଣାୟକ ଆନ୍ଦୋଳନରେ ଦାବିପୁରଣ ଦିଗରେ ସରକାର ଟାଳଟୁଳ ନୀତି ଅବଲମ୍ବନ କଲେ ଆଗାମୀ ମେ’ ମାସ ୨୫ ତାରିଖରୁ ପ୍ରାଣୀଚିକିତ୍ସକମାନେ ସମୁହ ଇସ୍ତଫା ଦେବେ ବୋଲି ସଂଘ ତରଫରୁ ଚରମ ଚେତାବନୀ ଦିଆଯାଇଥିବା ପ୍ରକାଶ। ଆନ୍ଦୋଳନରତ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ କହିବା ମୁତାବକ ପ୍ରାଣୀ ଚିକିତ୍ସାକେନ୍ଦ୍ର ମାନଙ୍କରେ ବର୍ତ୍ତମାନ ୩୦ପ୍ରତିଶତ ମାନବ ସମ୍ବଳ ହ୍ରାସ କରାଯାଇଥିବା ବେଳେ ଡିଜିଟାଲ ସେବା ଯୋଗୁ ସେମାନଙ୍କ ଉପରେ ୩ଶହ ପ୍ରତିଶତ କାର୍ଯ୍ୟଭାର ବଢ଼ିଛି। ଏପରିକି ବନ୍ୟା,ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ସମେତ ମହାମାରୀ କରୋନା ସମୟରେ ଜୀବନକୁ ବାଜି ଲଗାଇ ସେମାନେ ଗାଁ ଗହଳିକୁ ଯାଇ ନିରବଛିନ୍ନ ଭାବେ ପଶୁଚିକିତ୍ସା ସେବା ଯୋଗାଇ ଆସୁଥିଲେ ସୁଦ୍ଧା କ୍ଷୋଭର ବିଷୟ ଯେ ସେମାନଙ୍କୁ କରୋନାଯୋଦ୍ଧା ମାନ୍ୟତା ମଧ୍ୟ ଦିଆଯାଇ ନାହିଁ। ଏହା ଅନ୍ୟତମ ବିଡ଼ମ୍ବନାର ବିଷୟ ବୋଲି ଆନ୍ଦୋଳନରତ ପ୍ରାଣୀଚକିତ୍ସକମାନେ କହିଥିଲେ। ସୂଚନାନୁଯାଇ ଅନ୍ୟ ରାଜ୍ୟମାନଙ୍କରେ ପ୍ରାଣୀଚିକିତ୍ସକମାନଙ୍କୁ ଡାକ୍ତରଙ୍କ ଭଳି ସମାନ ପଦ ମର୍ଯ୍ୟାଦା ଦିଆଯାଉଛି ଏବଂ ଆମ ରାଜ୍ୟରେ ମଧ୍ୟ ପ୍ରାୟ ୨୦୦୮ମସିହା ପର୍ଯ୍ୟନ୍ତ ଏହି ସମ୍ମାନ ମିଳୁଥିଲା। ତେବେ କାହିଁକି ଏହା ପରବର୍ତ୍ତି ସମୟରେ ହଟାଇନିଆଯାଇଛି ବୋଲି ଆନ୍ଦୋଳନକାରୀମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଆନ୍ଦୋଳନରତ ବଡ଼ମ୍ବା ବ୍ଲକ ପ୍ରାଣୀଚକିତ୍ସାଧିକାରୀ ଡାଃ.ମଧୂସୁଦନ ଦାସ, ଅତିରିକ୍ତ ଚିକିତ୍ସାଧିକାରୀ ଡାଃ.ନିହାରରଞ୍ଜନ ମିଶ୍ର, ବ୍ଲକ ଅନ୍ତର୍ଗତ ଗୋପପୁର ପ୍ରାଣୀଚିକିତ୍ସାଧିକାରୀ ଡାଃ.ସଞ୍ଜୟ କୁମାର ମହାପାତ୍ର, ମାଣିଆବନ୍ଧ ପ୍ରାଣୀଚକିତ୍ସାଧିକାରୀ ଡାଃ.ପ୍ରକାଶଚନ୍ଦ୍ର ପଣ୍ଡିତ୍‍ ପ୍ରମୁଖ ଗଣମାଧ୍ୟମକୁ ସୂଚନାଦେବାକୁ ଯାଇ କହିଛନ୍ତି ଯେ ଏବେ ସେମାନେ କଳାବ୍ୟାଜ ପରିଧାନ ପୂର୍ବକ ଗତ ୨୫ ତାରିଖରୁ ସମସ୍ତ ଡିଜିଟାଲ ସେବା ବର୍ଜନ କରିଛନ୍ତି। ସେହିଭଳି ଦାବିପୁରଣ ଦିଗରେ ବିଳମ୍ବ ହେଲେ ଆଗାମୀ ପହିଲାରୁ କଲମଛାଡ଼ ପୂର୍ବକ କେବଳ ଡାକ୍ତରଖାନା ପରିସରରେ ସେବା ଯୋଗାଇଦେବେ ଏବଂ ୧୫ ତାରିଖରୁ ଆନ୍ଦୋଳନକୁ ତିବ୍ର କରିବାକୁ ଯାଇ ସମୁହ ଛୁଟିରେ ଯିବେ ବୋଲି ସଂଘ ତରଫରୁ ନିଷ୍ପତି ହୋଇଥିବା ପ୍ରକାଶ।

Comments are closed.