ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ

ସୁରେଖାଙ୍କୁ ୭୫ ବର୍ଷ ବୟସ ହୋଇଥିଲା; ହୃଦଘାତରେ ପରଲୋକ ଘଟିଥିବା ସୂଚନା

ମୁମ୍ବଇ: ଏକ ଦୁଃଖଦ ଘଟଣାକ୍ରମରେ ବର୍ଷିଆନ ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ପରଲୋକ ଘଟିଛି । ହୃଦଘାତରେ ତାଙ୍କର ବିୟୋଗ ଘଟିଥିବା ଜଣାଯାଇଛି । ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସିକ୍ରିଙ୍କ ମ୍ୟାନେଜର ତାଙ୍କର ପରଲୋକ ଘଟିଥିବା ପ୍ରକାଶ କରିଛନ୍ତି । ‘ବାଳିକା ବଧୁ’ରେ କଲ୍ୟାଣୀ ଦେବୀ ଚରିତ୍ର ତାଙ୍କ ଦେଶରେ ଘରେ ଘରେ ପରିଚିତ କରାଇଥିଲା । ଦୀର୍ଘ ଚାରି ଦଶନ୍ଧି ଧରି ସେ ଅଭିନୟ ଜଗତ ସହିତ ଜଡିତ ଥିଲେ ।

ସୁରେଖା ୧୯୭୮ରେ ‘କିସା କୁର୍ସି କା’ ଚଳଚ୍ଚିତ୍ରରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ଅଗଣିତ ହିନ୍ଦି ଓ ମାଲୟାଲମ ଚଳଚ୍ଚିତ୍ରରେ ଚରିତ୍ର ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ତାହାସହିତ ଭାରତୀୟ ଧାରାବାହିକଗୁଡିକରେ ମଧ୍ୟ ସେ କାମ କରିଛନ୍ତି । ହିନ୍ଦି ଚଳଚ୍ଚିତ୍ର ଜଗତର ଏକ ପରିଚିତ ଚେହେରା ସୁରେଖା ୧୯୮୮ରେ ତାଙ୍କ ଅଭିନୀତ ‘ତମସ’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ଏହାପରେ ୧୯୯୫ରେ ଶ୍ୟାମ ବେନେଗଲଙ୍କ ‘ମାମ୍ମୋ’ରେ ଅଭିନୟ ପାଇଁ ତାଙ୍କୁ ଦ୍ୱିତୀୟ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ‘ନଜର’ ଅଭିନେତ୍ରୀ ୨୦୧୮ରେ ‘ବଧାଇ ହୋ’ ପାଇଁ ତୃତୀୟ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାରେ ସମ୍ମାନିତ ହୋଇଥିଲେ ।

ବେଶ କିଛିଦିନ ହେଲା ସୁରେକ୍ଷା ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଚିକିତ୍ସା କରାଯାଉଥିଲା । ତେବେ ଶୁକ୍ରବାର ସକାଳେ ହୃଦଘାତରେ ତାଙ୍କର ପରଲୋକ ଘଟିଛି । ତାଙ୍କ ନିକଟରେ ତାଙ୍କ ପରିବାର ସଦସ୍ୟ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ସୁରେଖାଙ୍କ ପ୍ରଥମ ସ୍ୱାମୀଙ୍କ ନିକଟରୁ ଜାତ ପୁତ୍ର ରାହୁଳ ସିକ୍ରି ମଧ୍ୟ ଉପସ୍ଥିିତ ଥିଲେ । ୨୦୦୯ ଅକ୍ଟୋବର ୨୦ରେ ସୁରେଖାଙ୍କ ସ୍ୱାମୀ ହେମନ୍ତ ରେଗେଙ୍କର ହୃଦକ୍ରିୟା ବନ୍ଦ ହୋଇଯିବାରୁ ପରଲୋକ ଘଟିଥିଲା । ବିଶିଷ୍ଟ ଅଭିନେତା ନସିରୁଦ୍ଦିନ ଶାହ ହେଉଛନ୍ତି ସୁରେଖାଙ୍କର ପୂର୍ବତନ ଭିଣୋଇ । କାରଣ ନସିରୁଦ୍ଦିନ ସୁରେଖାଙ୍କ ସାବତ ଭଉଣୀ ମନରା ସିକ୍ରିଙ୍କୁ ପ୍ରଥମ ବିବାହ କରିଥିଲେ । ସୁରେଖାଙ୍କ ଜନ୍ମ ଉତ୍ତର ପ୍ରଦେଶରେ ହୋଇଥିଲା ଏବଂ ତାଙ୍କ ବାଲ୍ୟ ଜୀବନର ଅଧିକାଂଶ ସମୟ ଆଲମୋରା ଏବଂ ନୈତିତାଲରେ ବିତିଥିଲା । ସେ ୧୯୭୧ରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ । ତାଙ୍କ ଅଭିନୀତ କିଛି ଶ୍ରେଷ୍ଠ ଚଳଚ୍ଚିତ୍ର ମଧ୍ୟରେ ସର୍ଫାରୋଶ, ଶିର କୋରମା, ସର୍ଦ୍ଦାରି ବେଗମ, ଦିଲ୍ଲଗି, ଅନାଦି ଅନନ୍ତ ଆଦି ଅନ୍ତର୍ଭୁକ୍ତ । ଶେଷଥର ପାଇଁ ତାଙ୍କୁ ଜୋୟା ଅଖତରଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଘୋଷ୍ଟ ଷ୍ଟୋରିଜ’ରେ ଦେଖିବାକୁ ମିଳିଥିଲା ।

Comments are closed.