ଅଙ୍ଗନବାଡ଼ି ଯେହେତୁ ଖୋଲିଲାଣି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୁବ୍‌ ଶୀଘ୍ର ଖୋଲାଯିବ: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଖୁବ୍‌ ଶୀଘ୍ର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ସମ୍ଭାବନା ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ଏସ୍‌ଓପି ପ୍ରସ୍ତୁତ କରାଯାଉଛି। ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଏସ୍‌ଆର୍‌ସି ମାର୍ଗଦର୍ଶିକା ଜାରି କରି ସାରିଛନ୍ତି। ତେବେ ଅଙ୍ଗନବାଡ଼ି ଯେହେତୁ ଖୋଲିଲାଣି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୁବ୍‌ ଶୀଘ୍ର ଖୋଲାଯିବ। ତେବେ କେବେଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ତାହା ସ୍ପଷ୍ଟ ହୋଇନାହିଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।


ଦୀର୍ଘ ମାସ ୧୦ ମାସ ପରେ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ଟିକା ଆସିବା ପରଠୁ ଏହାକୁ ନେଇ ଭୟ ଦୂର ହେବାରେ ଲାଗିଛି। ଫଳରେ ଦୀର୍ଘ ମାସ ଧରି ବନ୍ଦ ରହିଥିବା ଶିକ୍ଷା ବ୍ୟବସ୍ଥାକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି।
ଏଠାରେ ସୂଚନା ଯୋଗ୍ୟ ଯେ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ଫେବୃଆରୀ ୮ରୁ ଆରମ୍ଭ ହେବ। ଇତି ମଧ୍ୟରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ, କଲେଜଠାରୁ ଆରମ୍ଭ କରି ଦଶମ, ଦ୍ୱାଦଶ ଶ୍ରେଣୀ ଖୋଲି ସାରିଥିବା ବେଳେ ଅଙ୍ଗନବାଡି ପିଲା ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ର ମୁହାଁ ହେଲେଣି। ଏହାପରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। କେବେଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ସରସ୍ବତୀ ପୂଜା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୋଇପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

Comments are closed.