ଶାହାଙ୍କ ’ଭର୍ଚୁଆଲ’: ନିଶାଣରେ କଂଗ୍ରେସ, ନଜରରେ ଓଡ଼ିଶା

୫ ବର୍ଷ ଭିତରେ ମୋଦିଙ୍କ ଅମଳରେ ଓଡ଼ିଶାକୁ ମିଳିଛି ୫ ଲକ୍ଷ ୫୨ ହଜାର ୧୦୯ କୋଟି ଟଙ୍କା

ଭୁବନେଶ୍ବର:  କେନ୍ଦ୍ର ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ଶେଷରେ ବିଜେପିର ପୂର୍ବ ସଭାପତି ତଥା ଗୃହମନ୍ତ୍ରୀ ଅମିତ୍ ଶାହା କରିଛନ୍ତି ଓଡ଼ିଶା ପାଇଁ ‘‘ଜନ ସମ୍ବାଦ’’ । ଏହାକୁ ଭର୍ଚୁଆଲି ରାଲି ବି କୁହାଯାଉଛି । ଦିଲ୍ଲୀରେ ମୁଖ୍ୟାଳୟରୁ ପ୍ରସାରିତ ହୋଇଥିବା ଏହି ଡ଼ିଜିଟାଲ ସମାବେଶରେ ବିଜେପି ପ୍ରତି ଜଣାଇଥିବା ଜନ ସମର୍ଥନକୁ ମଧ୍ୟ ଶ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ଓଡ଼ିଶା ପ୍ରତି ନିଜ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଧୋବୀ ଘାଟରେ ଲୁଗାକୁ ସଫା କରିବା ପାଇଁ ପିଟିବା ପରି କଂଗ୍ରେସକୁ ନିସ୍ତୁକ ସମାଲୋଚନା କରିଛନ୍ତି; ମାତ୍ର ଓଡ଼ିଶା ସରକାରଙ୍କ ସମ୍ପର୍କରେ ଶବ୍ଦଟିଏ ଉଚ୍ଚାରଣ କରି ନାହାନ୍ତି । ନାଁ ନିନ୍ଦା କରିଛନ୍ତି, ନା ପ୍ରଶଂସା । ମାତ୍ର  ଓଡ଼ିଶାରେ ସଙ୍ଗଠନକୁ ଦୃଢ଼ କରିବାକୁ ଏହାକୁ ବିଜେପିର ଗଡ଼ରେ ପରିଣତ କରିବା ନିମନ୍ତେ ଆହ୍ବାନ ଦେଇ ଶ୍ରୀ ଶାହା ଓଡ଼ିଶା ପ୍ରତି ତାଙ୍କର ଆଭିମୁଖ୍ୟ ପ୍ରକାରାନ୍ତରେ ସ୍ପଷ୍ଟ କରି ଦେଇଛନ୍ତି ।

ଭର୍ଚୁଆଲ ରାଲିରେ ନିଜ ସରକାରର ପ୍ରଶଂସା ଶ୍ରୀ ଶାହା ଯେତିକି କରିଛନ୍ତି ସମାନୁପାତିକ ଭାବରେ କଂଗ୍ରେସକୁ ସମାଲୋଚନା କରିଛନ୍ତି । ସୋନିଆ-ମନମୋହନଙ୍କ ସରକାର ବେଳେ ଓଡ଼ିଶା ୭୯ ହଜାର ୪୮୬ କୋଟି ଟଙ୍କା ପାଇଥିଲା । କିନ୍ତୁ ମାତ୍ର ୫ ବର୍ଷ ଭିତରେ ମୋଦିଙ୍କ ଅମଳରେ ଓଡ଼ିଶାକୁ ୫ ଲକ୍ଷ ୫୨ ହଜାର ୧୦୯ କୋଟି ଟଙ୍କା ମିଳିଛି । ୧୩ତମ ଅର୍ଥ କମିଶନ ସୁପାରିସ ଅନୁସାରେ କଂଗ୍ରେସ ସରକାର ଓଡିଶାକୁ ୭୯ହଜାର ଟଙ୍କା ପ୍ରଦାନ କରିଥିଲେ । ମୋଦି ସରକାର ୧୪-୧୯ ବର୍ଷ ମଧ୍ୟରେ ୧୪ତମ ଅର୍ଥ କମିଶନ ସୁପାରିଶ ଅନୁସାରେ ୨ ଲକ୍ଷ ୧୧ ହଜାର ୫୧୦ କୋଟି ଅନୁଦାନ ଦେଇଛନ୍ତି । ଅନୁରୂପ ଭାବରେ କେନ୍ଦ୍ରୀୟ ଯୋଜନାରେ ୧ ଲକ୍ଷ ୩ ହଜାର କୋଟି, ପେଟ୍ରୋଲିୟମରେ ୧ ଲକ୍ଷ ୩୭ ହଜାର କୋଟି, ଖଣି ନିଲାମରେ ୭୧ ହଜାର କୋଟି, କାମ୍ପା ଫଣ୍ଡ ୫ ହଜାର ୯ ଶହ କୋଟି, ଡିଏମଏଫରେ ୧୦ ହଜାର କୋଟି, ଏସଡିଆରଏଫରେ ୪ ହଜାର ୭୮୩ କୋଟି, ଏମଜିନରେଗାରେ ୭୭୬୨ କୋଟିର କେନ୍ଦ୍ରୀୟ ପାଣ୍ଠି ସହାୟତା ଆଦିକୁ ମିଶାଇ ମୋଟ ୫ ଲକ୍ଷ ୫୨ ହଜାର ୧୦୯ କୋଟି ପ୍ରଦାନ କରିଛନ୍ତି । ସେମିତି  ଓଡିଶାର ଭିତିଭୂମି ବିକାଶ ପାଇଁ କେନ୍ଦ୍ରର ମୋଦି ସରକାର ଅର୍ଥର ଅଭାବ କରିନାହାନ୍ତି । ଦୀଘା-ଗୋପାଳପୁର ଉପକୂଳ ରାଜପଥ ପାଇଁ ୯୦୦୦ କୋଟି, କଟକ-ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ପାଇଁ ୪୫୦୦ କୋଟି, ଭାରତମାଳା ପରିଯୋଜନାରେ ଭୁବନେଶ୍ୱରରେ ୬୮ କିମି ରାସ୍ତା, ପାରାଦ୍ୱୀପ-ହରିଦାସପୁର ରେଳ ଲାଇନ ପାଇଁ ୧୮୯୯ କୋଟି, ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ଲାଇନ ପାଇଁ ୩୭୯୧ କୋଟି, ତାଳଚେର-ବିମଳାଗଡ ରେଳ ପ୍ରକଳ୍ପ ପାଇଁ ୧୯୨୮ କୋଟି, ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ ପାଇଁ ୧୨୦୩ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଛନ୍ତି । ସେହିପରି ପାରାଦ୍ୱୀପରେ ପେଟ କୋକ ଗ୍ୟାସିଫିକେସନ ପ୍ରକଳ୍ପ ପାଇଁ ୧୧,୩୦୦ କୋଟି, ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ୧୦୦ କୋଟିର କେନ୍ଦ୍ରୀୟ ଅନୁଦାନ ଦିଆଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି । ଗତ ୭୦ ବର୍ଷ ଭିତରେ କଂଗ୍ରେସ ଓଡ଼ିଶା ପାଇଁ  ଯାହା କରିନାହିଁ ସେତିକି କାମ ମୋଦି ସରକାର କେବଳ ୫ ବର୍ଷ ମଧ୍ୟରେ କରିଛି ବୋଲି ଉଲ୍ଲେଖ କରି ଶ୍ରୀ ଶାହା ରାଜ୍ୟବାସୀଙ୍କ ନିମନ୍ତେ ଏକ ଭିନ୍ନ ବାର୍ତା ଦେଇଛନ୍ତି । ଅନୁରୂପ ଭାବରେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ନିୟମିତ ସମାଲୋଚନା କରୁଥିବା କଂଗ୍ରେସ ଦଳ ଓ ଏହାର ପୂର୍ବତନ ସଭାପତି ରାହୁଳ ଗାନ୍ଧୀ ମଧ୍ୟ ଶାହାଙ୍କ ନିଶାଣରୁ ବାଦ ପଡ଼ି ନ ଥିଲେ । ସେ କହିଥିଲେ ରାହୁଲ ଗାନ୍ଧି ସବୁବେଳେ କୃଷକଙ୍କ କଥା କହୁଛନ୍ତି । କିନ୍ତୁ ତାଙ୍କ ଦଳର ୧୦ ବର୍ଷ ସରକାର ଅମଳରେ ଥରୁଟିଏ  ୬୦ ହଜାର କୋଟି ଟଙ୍କାର ଲୋନ୍ ଛାଡ କରିଥିଲେ । କିନ୍ତୁ ମୋଦି ସରକାର ପ୍ରତିବର୍ଷ ୭୨ ହଜାର କୋଟି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର କରୁଛନ୍ତି । କଂଗ୍ରେସ ଅମଳରେ ପ୍ରଧାନମନ୍ତ୍ରୀ କହୁଥିଲେ ,ଦିଲ୍ଲୀରୁ ଯାଉଥିବା ଏକ ଟଙ୍କାରୁ ୧୫ ପଇସା ଲୋକଙ୍କ ପାଖରେ ପହଞ୍ଚୁଛି,  କିନ୍ତୁ ଆମ ସରକାର ମଳରେ ଏକ ଟଙ୍କାରୁ ପୁରା ଏକ ଟଙ୍କା ଲୋକଙ୍କ ନିକଟରେ ପହଞ୍ଚୁଛି ।  ଜନଧନ ଆକାଉଣ୍ଟ ପାଇଁ ଏହା ସମ୍ଭବ ହୋଇ ପାରିଛି । କିନ୍ତୁ କଂଗ୍ରେସ ଜନଧନ ଆକାଉଣ୍ଟ ଖୋଲିବା ସମୟରେ ଆମକୁ ସମାଲୋଚନା କରୁଥିଲା ବୋଲି ଶ୍ରୀ ଶାହା କହିଥିଲେ ।
ତେବେ ଏହି ଅବସରରେ ସେ ଓଡ଼ିଶାକୁ ବିଜେପିର ଗଡ଼ରେ ପରିଣତ କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେବା ଆଉ ଏକ ଦିଗ ପ୍ରତି ଦିଶାନିର୍ଦେଶ କରିଛି ।  ଗୋଟିଏ ରାଜନୈତିକ ଦଳର ନେତାମାନେ ନିଜ କର୍ମୀଙ୍କୁ ସଙ୍ଗଠନ ଦୃଢ଼ କରିବାକୁ ପରାମର୍ଶ ଦେବାରେ କିଛି ଅସ୍ବାଭାବିକତା ନାହିଁ । ଗତ ସାଧାରଣ ଓ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ରାଜ୍ୟରେ ଶାସକ ବିଜେଡ଼ି ମଧ୍ୟରେ ତିକ୍ତ ସମ୍ପର୍କ ସୃଷ୍ଟି ହୋଇଥିଲେ ମଧ୍ୟ ପରବର୍ତୀ କାଳରେ ଏଥିରେ କିଛିଟା ମଧୁରତା ଆସିଛି । ଶାସକ ବିଜେଡ଼ି ସଂସଦରେ ବିଜେପି ନେତୃତ୍ବାଧୀନ ସରକାରର ବିଭିନ୍ନ ପ୍ରସଙ୍ଗକୁ ସ୍ବୀକାର ବା ସମର୍ଥନ କରିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରର ଅଧିକାରୀ ଓ ମନ୍ତ୍ରୀମାନେ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶାକୁ ପ୍ରଶଂସା କରିବାକୁ ଆଦୌ କାର୍ପଣ୍ୟ କରିନାହାନ୍ତି । ପ୍ରଧାନମନ୍ତ୍ରୀ ଅମ୍ପନ ପରିଚାଳନାରେ ରାଜ୍ୟର ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି । ଅନୁରୂପ ଭାବରେ ଦେଶ ଓ ଦେଶ ବାହାରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଉଚ୍ଚପ୍ରଶଂସା କରିବା ସହ ଉଦାହରଣ ଦେଉଥିବା ଦେଖାଯାଇଛି ।
ଏପରି ସ୍ଥିତିରେ ଶ୍ରୀ ଶାହା ଓଡ଼ିଶାରେ ଏବେ ମଧ୍ୟ ୪୨% ଲୋକଙ୍କ ଘରେ ପାଇପ ପାଣି ପହଞ୍ଚି ନାହିଁ ବୋଲି ଉଲ୍ଲେଖ କରି ଯେଉଁ ବାର୍ତା ଦେଇଛନ୍ତି ତାହା ଆଦୌ ଅବୋଧ୍ୟ ନୁହେଁ । ସେହିପରି ପାଇକ ସ୍ମାରକୀ ବିକାଶ ନିମନ୍ତେ ଅନୁଦାନ, ଘୋଷିତ ସ୍ବତନ୍ତ୍ର ପ୍ୟାକେଜରୁ ଓଡ଼ିଶାକୁ ମିଳିବାକୁ ଥିବା ଫାଇଦା, ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଲ ପାଇବା, ଓଡ଼ିଶାର ବିକାଶ ନିମନ୍ତେ ନିଆଯାଇଥିବା ପଦ​‌କ୍ଷେପ ଆଦି ସମ୍ପର୍କରେ ଉଲ୍ଲେଖ କରିବା ଏବଂ ଓଡ଼ିଶାକୁ ବିଜେପିର ଅଭେଦ୍ୟ ଗଡ଼ରେ ପରିଣତ କରିବାକୁ କର୍ମକର୍ତାଙ୍କୁ ଆହ୍ବାନ ଦେଇ ଶାହା ତାଙ୍କର ନିଶାଣ ଓ ନଜର ଯେ ଦୁଇଟି ଭିନ୍ନ ଭିନ୍ନ ଦିଗକୁ ଇଙ୍ଗିତ କରୁଛି ତାହାକୁ ଅତ୍ୟନ୍ତ ସୂକ୍ଷ୍ମ ଭାବରେ ସୂଚାଇ ଦେଇଥିବା ମନେ ହେଉଛି ।

Comments are closed.