ଦେଶକୁ ନୂଆ ଶିଖରରେ ପହଞ୍ଚାଇବ ମୋଦୀ ସରକାରଙ୍କ ନିର୍ଣ୍ଣାୟକ ନିଷ୍ପତ୍ତି : ଧର୍ମେନ୍ଦ୍ର

ପଶ୍ଚିମବଙ୍ଗ ଜନସମ୍ବାଦ ଭର୍ଚୁଆଲ ରାଲି

-ପଶ୍ଚିମବଙ୍ଗରେ ମୋଦୀଙ୍କ ପ୍ରତି ଲୋକପ୍ରିୟତା ବଢିଛି
-ଗରିବଙ୍କ କଲ୍ୟାଣ କରିବା ମୋଦୀ ସରକାରଙ୍କ ପ୍ରାଥମିକତା
-କୃଷି ଆଧାରିତ ବଜାରର ବ୍ୟବସ୍ଥା ପାଇଁ ୧ ଲକ୍ଷ କୋଟି ବ୍ୟୟବରାଦ
-ମୋଦୀ ସରକାରରେ ଦେଶର ସୀମା ସୁରକ୍ଷିତ
-ମୋଦୀଙ୍କ କଲ୍ୟାଣକାରୀ ଯୋଜନା ଘରେ ଘରେ ପହଁଚାଇବା ପାଇଁ ଆହ୍ୱାନ

 

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ନିର୍ଣ୍ଣାୟକ ନେତୃତ୍ୱ ଦେଶକୁ ନୂତନ ଶିଖରକୁ ନେବ ବୋଲି ପଶ୍ଚିମବଙ୍ଗ ଜନସମ୍ବାଦ ଭର୍ଚୁଆଲ ରାଲିରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ସାମିଲ ହୋଇ କହିଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସବକା ସାଥ୍‍, ସବକା ବିକାଶ ଓ ସବକା ବିଶ୍ୱାସର ମନ୍ତ୍ର ନେଇ ମୋଦୀ ସରକାର କାମ କରୁଛନ୍ତି। ଦେଶର ଗରିବ, ମହିଳା, ଯୁବକ, କୃଷକ ମୋଦିଙ୍କ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ହୋଇ ପାରିଛନ୍ତି। ଗରିବଙ୍କୁ ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଆବାସରେ ଘର, ଉଜ୍ଜଳା ଯୋଜନାରେ ଗ୍ୟାସ ପହଁଚାଯାଇଛି। ଗରିବଙ୍କ କଲ୍ୟାଣ କରିବା ମୋଦୀ ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି। ଏହି କାରଣରୁ ପଶ୍ଚିମବଙ୍ଗରେ ମୋଦୀଙ୍କ ଲୋକପ୍ରିୟତା ବଢିଛି ବୋଲି ସେ କହିଛନ୍ତି।
ଦେଶବାସୀଙ୍କୁ ପାଇଁ କରୋନା ଭଳି କଠିନ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ତିନିମାସ ପାଇଁ ମାଗଣାରେ ଜଣ  ପିଛା ମାସିକ ୫ କେଜି ଚାଉଳ, ପରିବାର ପିଛା ୧ କେଜି ଡାଲି, ଉଜ୍ଜଳା ଯୋଜନାରେ ଗ୍ୟାସ, ଜନଧନରେ ମହିଳାଙ୍କୁ ଟଙ୍କା, କୃଷକ ସମ୍ମାନ ନିଧିରେ ମାସକୁ ୨ ହଜାର ଟଙ୍କା ସମେତ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ଆର୍ଥିକ ସହାୟତା ଦିଆଯାଇଛି। ସେହିପରି ଦେଶରେ କୃଷି ଆଧାରିତ ବଜାରର ବ୍ୟବସ୍ଥା ପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
କୋରନା ଭଳି ଘଡିସନ୍ଧି ମୁହୂର୍ତ୍ତରେ ଚାଷ କର୍ଯ୍ୟକୁ ସ୍ୱୀକୃତି ଦିଆଯାଇଛି। ମୋଦୀ ସରକାରରେ ଦେଶର ସୀମା ସୁରକ୍ଷିତ ହୋଇଛି। ଶତ୍ରୁକୁ ପରାଜିତ କରିବା ପାଇଁ ସୈନିକମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ମୋଦୀଙ୍କ କଲ୍ୟାଣକାରୀ ଯୋଜନା ଘରେ ଘରେ ପହଁଚାଇବା ପାଇଁ ଆହ୍ୱାନ କରିଥିଲେ।

Comments are closed.