ଭେଣ୍ଟିଲେଟର ଆବଶ୍ୟକତା : ଭାରତକୁ ସହଯୋଗ କରିବ ଚୀନ

ନୂଆଦିଲ୍ଲୀ : କରୋନା ଯୁଦ୍ଧରେ ସବୁଠୁ ବଡ଼ ଆବଶ୍ୟକତା ହେଉଛି ଭେଣ୍ଟିଲେଟର । ସାରା ବିଶ୍ବରେ ଏବେ ଭେଣ୍ଟିଲେଟରର ଘୋର ଅଭାବ। ଏଥିଲାଗି ଭାରତ ସରକାର ବିଭିନ୍ନ କମ୍ପାନୀକୁ ଭେଣ୍ଟିଲେଟର ନିର୍ମାଣ ନିମନ୍ତେ ପରାମର୍ଶ ଦେଇଛନ୍ତି। ଏପରି ସ୍ଥିତିରେ ଭାରତ ଚାହିଁଲେ ଭେଣ୍ଟିଲେଟର ପ୍ରସ୍ତୁତି ନିମନ୍ତେ ସହଯୋଗ କରିବା ବୋଲି ପ୍ରସ୍ତାବ ଦେଇଛି ଚୀନ୍ ।
ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭେଣ୍ଟିଲେଟର ପ୍ରସ୍ତୁତି ନିମନ୍ତେ ଭାରତ, ଆମେରିକା ପରି ଦେଶଗୁଡ଼ିକ ନିଜର ପୁରା ସାମର୍ଥ୍ୟ ଲଗାଇ ଦେଇଛନ୍ତି । ମାତ୍ର ଭେଣ୍ଟିଲେଟର ନିର୍ମାଣ ନିମନ୍ତେ ଆବଶ୍ୟକ ଆନୁଷଙ୍ଗିକ ଯନ୍ତ୍ରପାତିର ଅଭାବ ଏ କ୍ଷେତ୍ରରେ ସବୁଠାରୁ ବଡ଼ ପ୍ରତିବନ୍ଧକ ସୃଷ୍ଟି କରିଛି। ଏହାବ୍ୟତୀତ ବିମାନ ଚଳାଚଳ ବନ୍ଦ ଯୋଗୁଁ ଏହାର ଆମଦାନୀ ହୋଇପାରୁ ନାହିଁ । ଚୀନରେ ମଧ୍ୟ ସମାନ ସ୍ଥିତି । ଏହା ସତ୍ତ୍ବେ ଚୀନ ସମେତ ଅନ୍ୟାନ୍ୟ ଦେଶ ସହ ଯନ୍ତ୍ରାଂଶ ଆମଦାନୀ ନିମନ୍ତେ ଯୋଗାଯୋଗ ଜାରି ରଖିଛି ଭାରତ । ଗୋଟିଏ ଭେଣ୍ଟିଲେଟର ନିର୍ମାଣ ନିମନ୍ତେ ପ୍ରାୟ ୧ ହଜାରରୁ ଉର୍ଧ୍ବ ପ୍ରକାରର ଯନ୍ତ୍ରାଂଶ ଆବଶ୍ୟକ ହୋଇଥାଏ।
ଏହି ସ୍ଥିତିରେ ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ହୁଆଂ ଚୁନୟିଂଙ୍ଗ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ କରୋନା ବିରୋଧରେ ଦୃଢ଼ ସଂଘର୍ଷ ଜାରି ରଖିଛି। ଏ କ୍ଷେତ୍ରରେ ଭାରତକୁ ସବୁ ପ୍ରକାର ସହଯୋଗ କରିବାକୁ ଚୀନ ପ୍ରସ୍ତୁତ ।

Comments are closed.