ସ୍ଥାୟୀ ବାସିନ୍ଦା ହ୍ରାସ ପାଉଛନ୍ତି ଭେନିସ୍‌ରେ

ଇଉରୋପୀୟ ରାଷ୍ଟ୍ର ମଧ୍ୟରେ ଇଟାଲୀର ଭେନିସ୍‌ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ଲୋକପ୍ରିୟ। କରୋନା କାରଣରୁ ଏଠାରେ ପର୍ଯ୍ୟଟକଙ୍କ ହ୍ରାସ ପାଇଛି। ସ୍ଥିତି ନିୟନ୍ତ୍ରଣ ହେବା ପରେ ପୁଣି ପର୍ଯ୍ୟଟକଙ୍କ ମେଳି ସେଠାରେ ଲାଗିବ। ଭେନିସ୍‌ର ମୁଖ୍ୟ ଆକର୍ଷଣ ହେଉଛି ଦୁଇ ପାଖର କୋଠାଘର ମଝିରେ ପ୍ରବାହିତ ହେଉଥିବା ନଦୀ, ସେଥିରେ ପ୍ରତିଦିନ ଶହଶହ ସଂଖ୍ୟାରେ ଯାଉଥିବା ନୌକାର ଦୃଶ୍ୟ। ଭେନିସ୍‌ ପାଣିରେ ପ୍ରବାହିତ ହେଉଥିବା ଏଇ ବିଶେଷ ନୌକାର ନାମ ‘ଗୋଣ୍ଡୋଲା’ ଓ ନୌକାକୁ ଚଲାଉଥିବା ବ୍ୟକ୍ତିଙ୍କୁ ‘ଗୋଣ୍ଡୋଲିୟର୍’ କହନ୍ତି। ପାଖାପାଖି ୧୮୦୦ ଶତାବ୍ଦୀବେଳକୁ ଇଉରୋପର ଏହି ସହରର ନବୀକରଣ ହେବା ପରେ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା। ୧୯୮୦ ପରଠାରୁ ଭେନିସ୍‌ ବିଶ୍ବର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ଭାବେ ପରିଚିତ ହେଲା। ୧୧୮ଟି ଛୋଟଛୋଟ ଦ୍ବୀପ ସମାହାରରେ ନିର୍ମିତ ଏହି ସହରରେ ମୋଟ୍ ୪୦୦ ପୋଲ୍ ଓ ୧୭୦ଟି କେନାଲ୍ ରହିଛି। ପ୍ରତି ବର୍ଷ ୨କୋଟିରୁ ଅଧିକ ପର୍ଯ୍ୟଟକ ଭେିନସ୍‌ ସହରର ସୌନ୍ଦର୍ଯ୍ୟ ଦେଖିବାକୁ ଛୁଟି ଆସୁଥିବାବେଳେ ଏହା କାରଣରୁ ସହରରେ ସ୍ଥାୟୀ ବାସିନ୍ଦାଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ୧୯୮୦ବେଳକୁ ଭେନିସ୍‌ର ଜନସଂଖ୍ୟା ୧ଲକ୍ଷ ୨୦ହଜାର ଥିଲା, ସେଇ ଅନୁପାତରେ ଜନସଂଖ୍ୟା ବଢ଼ିବାର କଥା। ହେଲେ ୨୦୧୭ର ଗଣନା ଅନୁସାରେ, ସେଠାରେ ଏବେ ସ୍ଥାୟୀ ବାସିନ୍ଦାଙ୍କ ସଂଖ୍ୟା ମୋଟ୍ ୬୦ହଜାରକୁ ଖସିଆସିଛି। ଲୋକେ ପୁରୁଣା ଘର ବିକ୍ରି କରି ଇଟାଲୀର ଅନ୍ୟ ସହରକୁ ଯିବାର କାରଣ ହେଲା ଏଇ ପୁରୁଣା ସହରରେ ବିଦେଶୀଙ୍କ ଭିଡ଼ ବଢ଼ିବାରେ ଲାଗିଛି। ବର୍ଷକ ୧୨ମାସ ପର୍ଯ୍ୟଟକଙ୍କ ଭିଡ଼, ସହରର ଗଳିକନ୍ଦି, ନଦୀରେ ସବୁବେଳେ ପର୍ଯ୍ୟଟକଙ୍କ ଗହଳି। ଶାନ୍ତ ସହର ଭାବେ ପରିଚିତ ଥିବା ଭେନିସ୍‌ର ଏଭଳି ରୂପ ଦେଖିବା ପରେ ସ୍ଥାୟୀ ବାସିନ୍ଦା ବରଂ ଅନ୍ୟତ୍ର ଯାଇ ରହିବାକୁ ଉଚିତ୍ ମଣୁଛନ୍ତି।

Comments are closed.