୧୦ ଲକ୍ଷ ଟଙ୍କିଆ ନୋଟ ଛାପିଲା ଭେନେଜୁଏଲା

କାରାକସ: ଦୁର୍ବଳ ଆର୍ଥିକସ୍ଥିତିରୁ ବର୍ତ୍ତିବା ପାଇଁ ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା ନୂଆ ନୋଟ ୧୦ ଲକ୍ଷ ବଲିଭର (ଭେନେଜୁଏଲାର ମୁଦ୍ରା) ପ୍ରଚଳନ କରିଛି। ଏହା ପୂର୍ବରୁ ବିଶ୍ବର କୌଣସି ଦେଶ ଏତେ ବଡ଼ ସଂଖ୍ୟକ ନୋଟ୍‌ ପ୍ରଚଳନ କରି ନାହାନ୍ତି। ଭାରତର ୨ ହଜାର ଟଙ୍କାର ନୋଟ ହେଉଛି ସର୍ବବୃହତ୍‌। ଏବେ ଭେନେଜୁଏଲାର ମୁଦ୍ରାସ୍ଥିତି ହାର ଏତେ ବୃଦ୍ଧି ପାଇଛି ଯେ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ଏପରି ବଡ଼ ମୂଲ୍ୟର ନୋଟ ଛାପିବାକୁ ବାଧ୍ୟ ହୋଇଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଅନୁଯାୟୀ ୧୦ ଲକ୍ଷ ବଲିଭରର ମୂଲ୍ୟ ଅଧା ଆମେରିକୀୟ ଡଲାର ଓ ଏହା ଭାରତର ୩୬ ଟଙ୍କା ସହ ସମାନ। ଏକଦା ପେଟ୍ରୋଲିୟମ ଜାତ ସାମଗ୍ରୀ ରପ୍ତାନି କରି ବିତ୍ତଶାଳୀ ହୋଇଥିବା ଏହି ଦେଶ ଏବେ ଘୋର ଆର୍ଥିକ ଦୁର୍ଗତିର ସମ୍ମୁଖୀନ। ସେଠାକାର ଦେଶବାସୀ ଏବେ ଖାଇବାକୁ ପାଉନାହାନ୍ତି। ସମସ୍ତଙ୍କ ଘରେ ବିଡ଼ାବିଡ଼ା ନୋଟ ଥିଲେ ହେଁ ଖାଦ୍ୟ ସାମଗ୍ରୀର ଅଭାବ ଦେଖାଦେଇଛି। ଦାରିଦ୍ର୍ୟ ଓ ଅନାହାର ଚରମ ସୀମାରେ ପହଞ୍ଚିଛି। ପରିସ୍ଥିତି ଏପରି ହୋଇଛି ଯେ ସେଠାକାର ବାସିନ୍ଦା ବ୍ୟାଗ୍‌ ଓ ପଲିଥିନ୍‌ରେ ନୋଟ୍‌ ନେଇ ସାମଗ୍ରୀ କିଣିବାକୁ ବଜାର ଯାଉଛନ୍ତି।

ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଆଗାମୀ ସପ୍ତାହରେ ଦେଶରେ ୨ ଓ ୫ ଲକ୍ଷ ବଳିଭର ନୋଟ ଛପାଯିବ ବୋଲି ସରକାରଙ୍କ ନିୟନ୍ତ୍ରଣାଧୀନ କେନ୍ଦ୍ରୀୟ ବ୍ୟାଙ୍କ କହିଛି। ପୂର୍ବରୁ ଭେନେଜୁଏଲାରେ ୧୦, ୨୦ ଓ ୫୦ ହଜାର ବଲିଭର ନୋଟ ପ୍ରଚଳିତ ହୋଇ ଆସୁଥିଲା। ଭାରତୀୟ ମୁଦ୍ରା ଏକ ଟଙ୍କା ଭେନେଜୁଏଲାର ୨୫,୫୮୫ ବଳିଭର ସହ ସମାନ। ଏତେ ବଡ଼ ନୋଟ ଛାପିବା ପାଇଁ ଭେନେଜୁଏଲା ସରକାର ଇଟାଲୀର ଏକ କମ୍ପାନୀରୁ ୭୧ ଟନ ସୁରକ୍ଷା କାଗଜ ଆମଦାନୀ କରିଥିଲେ। ଭେନେଜୁଏଲାର ବର୍ତ୍ତମାନ ବଜାର ମୂଲ୍ୟ ଅନୁଯାୟୀ, ଦେଶର ସବୁଠାରୁ ବଡ଼ ନୋଟ ୧୦ ଲକ୍ଷ ବଲିଭର ମୂଲ୍ୟରେ ମାତ୍ର ଅଧ କିଲୋ ଚାଉଳ ଅଥବା ଦୁଇ କିଲୋ ଆଳୁ କିଣାଯାଇ ପାରିବ। ମହାମାରୀ କରୋନା ଓ ପେଟ୍ରୋଲଜାତ ସାମଗ୍ରୀରୁ ଆୟ ହୋଇଥିବା ଅର୍ଥ ଶେଷ ହୋଇ ଯିବାରୁ ସେଠାରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ସେଠାକାର ସରକାର ଗଚ୍ଛିତ ଥିବା ସୁନା ବିକି ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ କରୁଛନ୍ତି।

ଗତ ଆଠ ବର୍ଷ ହେଲା ଦେଶରେ ଏପରି ସମସ୍ୟା ଲାଗି ରହିଛି। ଚଳିତ ବର୍ଷ ଶେଷ ବେଳକୁ ଦେଶର ଅର୍ଥବ୍ୟବସ୍ଥା ୨୦ ପ୍ରତିଶତ ହ୍ରାସ ପାଇପାରେ ବୋଲି ଆଇଏମଏଫ ଅନୁମାନ କରିଛି। ଘରେ ବିଡ଼ାଏବିଡ଼ାଏ ଟଙ୍କା ରଖିଥିଲେ ହେଁ ଦେଶର ପ୍ରାୟ ୭୦ ହଜାର ଜନସାଧାରଣ ଦୁଇ ଓଳି ମୁଠାଏ ଖାଇ ପାରୁ ନାହାନ୍ତି। ଭେନେଜୁୁଏଲାରେ ପ୍ରତି ୩ଜଣରେ ଜଣେ ବ୍ୟକ୍ତି ଦୈନିକ ଭୋକିଲା ରହୁଛନ୍ତି। ଦେଶର ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବାରୁ ଏପରି ସମସ୍ୟା ଦେଖା ଦେଇଛି। ଭୋକ ବିକଳରେ ଭେନେଜୁଏଲାବାସୀ ଦେଶ ଛାଡ଼ି ଅନ୍ୟ ଦେଶକୁ ପଳାୟନ କରୁୁଛନ୍ତି। ୨୦୧୩ରୁ ଜାନୁଆରୀ ୨୦୨୧ ମଧ୍ୟରେ ପ୍ରାୟ ୩୦ ଲକ୍ଷ ଜନସାଧାରଣ ଭେନେଜୁଏଲା ଛାଡ଼ି ପଡ଼ୋଶୀ ବ୍ରାଜିଲ, କମ୍ବୋଡ଼ିଆ ଓ ପେରୁ ଆଦି ଦେଶକୁ ପଳାୟନ କରିଛନ୍ତି। ବର୍ତ୍ତମାନ ସମୟରେ ଏମାନେ ହେଉଛନ୍ତି ବିଶ୍ବର ସର୍ବାଧିକ ପଳାୟନ କରୁଥିବା ଦେଶବାସୀ। ଏତେ ସଂଖ୍ୟକ ଜନସାଧାରଣଙ୍କ ବିସ୍ଥାପନ ବିଶ୍ବର ଅନ୍ୟ କେଉଁ ଦେଶରେ ଦେଖିବାକୁ ମିଳେ ନାହିଁ। ପରିସ୍ଥିତି ଏପରି ହୋଇଛି ଯେ ଭେନେଜୁୁଏଲାରୁ ଆସୁଥିବା ଶରଣାର୍ଥୀଙ୍କୁ ରୋକିବା ପାଇଁ ଉପରୋକ୍ତ ଦେଶଗୁଡ଼ିକ ସୀମାରେ ଯବାନଙ୍କୁ ମୁତୟନ କରିଛନ୍ତି।

ଏ ପର୍ୟ୍ୟନ୍ତ ଦେଶର ବାସ୍ତବ ମୁଖ୍ୟ (ରାଷ୍ଟ୍ରପତି) କିଏ ତାହା ବିଶ୍ବବାସୀ ଜାଣିପାରି ନାହାନ୍ତି। ୨୦୧୯ ନିର୍ବାଚନରେ ନିକୋଲାସ ମାଦୁରୋ ରାଷ୍ଟ୍ରପତି ପଦ ସମ୍ଭାଳି ଥିଲେ ା ମତଦାନ ପ୍ରକ୍ରିୟାକୁ ଗଡ଼ବଡ଼ କରିଥିବାରୁ ତାଙ୍କୁ କ୍ଷମତାରୁ ହଟାଇ ଦିଆଯାଇଥିଲା। ତେବେ କ୍ଷମତା ହସ୍ତାନ୍ତର ନକରି ସେ ବଳ ପ୍ରୟୋଗକରି ରାଷ୍ଟ୍ରପତି ଆସନ ଅକ୍ତିଆର କରିଛନ୍ତି। ଏପଟେ ମୁଖ୍ୟ ବିରୋଧୀ ଦଳ ନେତା ଖୁଆନ ଗୋଇଦୋ ନିଜକୁୁ ରାଷ୍ଟ୍ରପତି ଭାବେ କହି ବୁଲୁଛନ୍ତି। ତେଣୁ ବାସ୍ତବରେ ଉକ୍ତ ଦେଶର ଶାସକ କିଏ ତାହା ଏଯାଏ ବିଶ୍ବବାସୀ ଜାଣିପାରି ନାହାନ୍ତି। ରାଜନୈତିକ ଅସ୍ଥିରତା, କ୍ରମବର୍ଦ୍ଧିଷ୍ଣୁ ଦୁର୍ନୀତି, ଦୁର୍ବଳ ଅର୍ଥନୀତି ଯୋଗୁଁ ଏହି ଦେଶ ରସାତଳଗାମୀ ହେବାରେ ଲାଗିଛି।

Comments are closed.