ନମ୍ବର ଜାଲିଆତି କରି ମାଲ ପରିବହନ : ୨ ହାଇଓା ଜବତ, ୩ ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲି :  ଟିକସ ଫାଙ୍କିବା ପାଇଁ ଜାଲିଆତି କରି ଗୋଟିଏ ରେଜିଷ୍ଟ୍ରେସନ୍‍ ନମ୍ବରରେ ଦୁଇଟି ହାଇଓା ଗାଡିରେ କଳ କାରଖାନା ରୁ ଅଇରନ୍‍ ବୋଲ୍ଟ ଏବଂ ସ୍ଲା୍‍ଗ୍‍ ଆଦି ସାମଗ୍ରୀ ପରିବହନ କରୁଥିବା ଅଭିଯୋଗ ରେ ଠେଲକୁଲି ପୁଲିସ ଜନୈକ ଗାଡି ମାଳିକ ଏବଂ ଦୁଇ ଜଣ ଡ୍ରାଇଭରଙ୍କୁ ଗିରିଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି। ଏସଂକ୍ରାନ୍ତ ରେ ଠେଲକୁଲି ଥାନାରେ ମାମଲା ରୁଜ୍ଜୁ ହୋଇଛି ବୋଲି ଥାନା ଆଇଆଇସି ପ୍ରକାଶ କୁମାର କର୍ଣ୍ଣ କହିଛନ୍ତି।
ଶ୍ରୀ କର୍ଣ୍ଣଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ଏସ୍‍.ଆଇ ଦ୍ରୋଣାଚାର୍ଯ୍ୟ ସାହୁ, ହାବିଲଦାର ସ୍‍.ଆଧା, କନେଷ୍ଟବଳ ଡି.ନାଥ ପ୍ରମୁଖ ଯାନବାହାନ ଯାଞ୍ଚ କରୁଥିବା ବେଳେ ଠେଲକୁଲିର ଗଜରାଜ ମୋଟର୍ସର ପାର୍କିଂ ସ୍ଥାନ ରେ ଓଆର୍‍-୧୫-ପି-୫୩୩୩ ନମ୍ବର ଥିବା ଦୁଇଟି ହାଇଓା ଛିଡା ହୋଇଥିବା ସୁଚନା ପାଇଥିଲେ। ଏହାପର ସେମାନେ ଗଜରାଜ୍‍ ମୋଟର୍ସର ପାର୍କିଂ ଜୋନରେ ପହଞ୍ଚି ସମାନ ନମ୍ବର ଥିବା ଦୁଇଟି ଟିପର୍‍ ପାଖକୁ ଯାଇ ଚାଳକ ଦ୍ୱୟଙ୍କୁ ପଚରା ଉଚୁରା କରିଥିଲେ। ଉଭୟ ଗାଡିର ମାଳିକ ଝାରସୁଗୁଡାର ବିକାଶ ଶର୍ମା ଅଟନ୍ତି। ସେ ଆମକୁ କାରଖନାରୁ ମାଲ ପରିବହନ ପାଇଁ  ପଠାଇଛନ୍ତି ବୋଲି ସେମାନେ କହିଥିଲେ। ଏହାପରେ ଏଏସ୍‍ ଆଇ ଦ୍ରୋଣାଚାର୍ଯ୍ୟ ସାହୁ ଆଇଆଇସି କର୍ଣ୍ଣଙ୍କୁ ଏସଂକ୍ରାନ୍ତରେ ସୂଚନା ଦେଇଥିଲେ। ଶ୍ରୀ କର୍ଣ୍ଣ ୱେବ୍‍ସାଇଟ୍‍ରେ ଉଭୟ ହାଇୱାର ଚେସିସ୍‍ ନମ୍ବର ଏବଂ ଇଞ୍ଜିନ୍‍ ନମ୍ବର ଯାଞ୍ଚ କରିବା ସମୟ ରେ ଓଡି-୨୩-ବି-୩୨୬୩ ନମ୍ବରର ଟିପର ଝାରସୁଗୁଡା, ପୁଲିସ ଲାଇନ୍‍ର ବିକାଶ ଶର୍ମାଙ୍କ ନାମ ରେ ରେଜିଷ୍ଟ୍ରେସନ୍‍ ହୋଇଥିବା ଜଣାପଡ଼ିଥିଲା। ଅନ୍ୟ ଟିପରର ଚେସିସ୍‍ ନମ୍ବର ଯାଞ୍ଚକଲା ବେଳେ ଉକ୍ତ ଟିପରର ନମ୍ବର ଓଆର୍‍-୧୫-ପି-୬୪୪୩ ଏବଂ ଏହାର ମାଳିକ ଠେଲକୁଲି ଥାନା ଅନ୍ତର୍ଗତ ଖିଣ୍ଡାର ଦଳକିକେମ୍ପର କୌସ୍ତୁଭ ରୋହିଦାସ ବୋଲି ଜଣାପଡ଼ିଥିଲା। ଗାଡି ଚାଳକ ସୁରେନ୍ଦ୍ର ଯାଦବ(୨୮) ଏବେ ଝାରସୁଗୁଡା ବଡମାଳରେ ରହୁଥିବା ବେଳେ ବିହାର ପ୍ରଦେଶ ଜାମୁଇ ଜିଲ୍ଲା ଲକ୍ଷିିପୁର ଥାନା ମାଘି ଗ୍ରାମର ବାସିନ୍ଦା। ଅନ୍ୟ ଗାଡିର ଚାଳକ ସତ୍ୟେନ୍ଦ୍ର ପାଶୱାନ(୨୯) ସମ୍ପ୍ରତି ଝାରସୁଗୁଡାର ସାହୁପଡାରେ ରହୁଥିବା ବେଳେ ଝାଡଖଣ୍ଡର ପାଲାମୁ ଜିଲ୍ଲା ହୁସନାବାଦ୍‍ ଥାନା ଅନ୍ତର୍ଗତ ସାନ୍ଧା ଗ୍ରାମର ବାସିନ୍ଦା ବୋଲି ପ୍ରକାଶ। ଉଭୟଙ୍କୁ ଏବଂ ଗାଡି ମାଳିକଙ୍କୁ ଥାନାକୁ ନେଇ ଜେରା କଲା ବେଳେ ସେମାନେ ଗାଡିର କାଗଜାତ ଜାଳିଆତି ବାବଦରେ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ।

ପୁଲିସ ଜେରା ସମୟରେ ଜାଳିଆତି ନମ୍ବର ଓଆର୍‍-୧୫-ପି-୫୩୩୩ ଥିବା ଦୁଇଟି ହାଇଓା ମଧ୍ୟରୁ ଗୋଟିଏ ଗାଡିର ଡ୍ରାଇଭର ସତ୍ୟେନ୍ଦ୍ର ପାଶୱାନ ଶ୍ୟାମ୍‍ ମେଟାଲିକ୍ସରୁ ଭୂଷଣ ଷ୍ଟିଲ୍‍ ପ୍ଳାଣ୍ଟକୁ ଆଇରନ୍‍ ବୋଲ୍ଟ ନେଇ ଆସିଥିବା ବୟାନ ଦେଇଥିଲା। ଅନ୍ୟ ହାଇୱାର ଡ୍ରାଇଭର ସୁରେନ୍ଦ୍ର ଯାଦବ ଭୂଷଣ ଷ୍ଟିଲ୍‍ରୁ ଆଇରନ୍‍ ସ୍ଲାଗ୍‍ ପରିବହନ କରୁଥିବା କହିଥିଲା। ଏହି ଜାଳିଆତିରେ ଗାଡି ମାଳିକ ବିକାଶ ଶର୍ମା, ଡ୍ରାଇଭର ସତ୍ୟେନ୍ଦ୍ର ପାଶୱାନ ଏବଂ ସୁରେନ୍ଦ୍ର ଯାଦବ ସଂପୃକ୍ତ ଥିବାରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି କର୍ଣ୍ଣ କହିଛନ୍ତି।

Comments are closed.