ଅଗଷ୍ଟରେ ଗାଡି ବିକ୍ରି ୭% କମିଲା

ଦୁଇଚକିଆ ୨୮.୭୧%, ବାଣିଜ୍ୟିକ ଯାନ ୫୭.୩୯% ଖସିଲା

ନୂଆଦିଲ୍ଲୀ: ଚଳିତବର୍ଷ ଅଗଷ୍ଟରେ ଦେଶରେ ଯାତ୍ରୀବାହୀ ଯାନ ବିକ୍ରିରେ ମୋଟାମୋଟି ଭାବେ ୭% ହ୍ରାସ ଘଟିଛି। କରୋନା ମହାମାରୀ ପ୍ରଭାବରେ ସମ୍ପ୍ରତି ଦେଶରେ ଅଟୋମୋବାଇଲ କ୍ଷେତ୍ରରେ ବିକ୍ରି ବିଶେଷ ଭାବେ ପ୍ରଭାବିତ ହୋଇଛି। ଗତବର୍ଷ ସମାନ ମାସ ତୁଳନାରେ ଚଳିତବର୍ଷ ଅଗଷ୍ଟରେ ଯାତ୍ରୀବାହୀ ଯାନ ବିକ୍ରିରେ ୭.୧୨% ହ୍ରାସ ଘଟି ୧,୭୮,୫୧୩ ୟୁନିଟ୍‌ରେ ପହଞ୍ଚିଛି। ଫେଡେରେଶନ ଅଫ୍‌ ଅଟୋ​ମୋବାଇଲ ଡିଲର୍ସ ଆସୋସିଏସନ୍‌ (ଫାଡା)ର କହିବାନୁଯାୟୀ, ​‌​ଦେଶରେ ରହିଥିବା ୧୪୫୦ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ ମଧ୍ୟରୁ ୧୨୪୨ଟି କାର୍ୟ୍ୟାଳୟ ନିକଟରୁ ମିଳିଥିବା ତଥ୍ୟାନୁଯାୟୀ, ୨୦୧୯ ଅଗଷ୍ଟରେ ଯାତ୍ରୀବାହୀ ଯାନ ବିକ୍ରି ୧,୯୨,୧୮୯ ୟୁନିଟ୍‌ ରହିଥିଲା। ଚଳିତବର୍ଷ ଅଗଷ୍ଟରେ ଦୁଇଚକିଆ ଯାନ ବିକ୍ରିରେ ୨୮.୭୧% ହ୍ରାସ ଘଟି ୮,୯୮,୭୭୫ ୟୁନିଟ୍‌ ରହିଥିଲା। ଗତବର୍ଷ ଏହି ସମୟରେ ୧୨,୬୦,୭୨୨ ୟୁନିଟ୍‌ ଦୁଇଚକିଆ ଯାନ ବିକ୍ରି ହୋଇଥିଲା । ତେବେ ଅଗଷ୍ଟରେ ବାଣିଜ୍ୟିକ ଯାନ ବିକ୍ରିରେ ସର୍ବାଧିକ ହ୍ରାସ ପରିଲକ୍ଷିତ ହୋଇଥିବା ଜଣାଯାଇଛି। ଚଳିତବର୍ଷ ଅଗଷ୍ଟରେ ବାଣିଜ୍ୟିକ ଯାନ ବିକ୍ରିରେ ୫୭.୩୯% ହ୍ରାସ ହୋଇ ୨୬,୫୩୬ ୟୁନିଟ୍‌ ରହିଥିବାବେଳେ ଗତ ବର୍ଷ ଏହି ସମୟରେ ଏହା ୬୨,୨୭୦ ୟୁନିଟ୍‌ ରହିଥିଲା। ଅନ୍ୟପକ୍ଷରେ ତିନି ଚକିଆ ଯାନ ବିକ୍ରି ମଧ୍ୟ ଏଥିରୁ ବାଦ୍‌ ପଡିନାହିାଁ ଅଗଷ୍ଟରେ ତିନି ଚକିଆ ଯାନ ବିକ୍ରିରେ ମଧ୍ୟ ୬୯.୫୧% ହ୍ରାସ ଘଟି ୧୬,୮୫୭ ୟୁନିଟ୍‌ ରହିଥିଲା। ୨୦୧୯ ଅଗଷ୍ଟରେ ୫୫,୨୯୩ ୟୁନିଟ୍‌ ତିନି ଚକିଆ ଯାନ ବିକ୍ରି ହୋଇଥିଲା।

Comments are closed.