ବଢିବାରେ ଲାଗିଛି ପନିପରିବା ଦର ; ଚିନ୍ତାରେ କାର୍ତିକ ବ୍ରତଧାରୀ

ସାରନଗରୀ : ଧର୍ମ ମାସ ଭାବେ ପରିଚିତ କାର୍ତିକ ମାସ ଆରମ୍ଭ ହେଉଛି । ଧର୍ମ ମାସରେ ଅନେକ ବ୍ୟକ୍ତି ଆମିଷ ତ୍ୟାଗ କରିଥାନ୍ତି । କାର୍ତିକ ବ୍ରତର ଶୁଭାରମ୍ଭ ହୋଇଥାଏ । ତେବେ ପନିପରିବା ଚଢାଦରକୁ ନେଇ ଚିନ୍ତାରେ ଖାଉଟିଙ୍କ ସହ ହବିଷ୍ୟାଳି। ଅନ୍ୟପକ୍ଷେ, ବିଭିନ୍ନ ପରିବାର ଚଢାଦର ଓ କୋଭିଡ଼ କଟକଣା ମଧ୍ୟରେ କିଣାବିକା ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି ।  ଆଳୁ ଓ ଟମାଟୋ ଠାରୁ ଆରମ୍ଭ କରି ପ୍ରତ୍ୟେକ ପନିପରିବା ଚଢା ଦରରେ ବିକ୍ରି ହେବା ଆରମ୍ଭ ହୋଇଗଲାଣି । ଅହେତୁକ ଦରଦାମ ବୃଦ୍ଧି କାରଣରୁ ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡ଼ିଛି । ବର୍ତମାନ ଦକ୍ଷିଣ ରାଉରକେଲା ଅର୍ନ୍ତଗତ ସାରନଗରୀର ପରିବା ବଜାରରେ ବିନ୍ସର ମୂଲ୍ୟ ୭୦ରୁ ୮୦ ଟଙ୍କା ରହିଛି । ସେହିପରି ଆଳୁ କିଲୋ ୨୦ ଟଙ୍କା , ଦେଶୀ ଆଳୁ ୪୦ରୁ ୫୦ ଟଙ୍କା, କଖାରୁ କେଜି ୨୦ଟଙ୍କା ରହିଛି । କଂଚା ଲଙ୍କା କିଲୋ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସିମଳା ଲଙ୍କାର ଦାମ ୧୨୦ ଟଙ୍କା ରହିଛି । ଗାଜର କିଲୋ ୬୦ ଟଙ୍କା, କଂଚା କଦଳୀ ୪୦ ଟଙ୍କା, ଟମାଟର କିଲୋ ୬୦ ଟଙ୍କା, କଲରା ୩୦ ଟଙ୍କା, ପୋଟଳ ୬୦ ଟଙ୍କା, ବାଇଗଣ ୨୦ ଟଙ୍କା କିଲୋ ପ୍ରତି ବିକ୍ରି ହେଉଛି । ଲାଉ ଗୋଟିକୁ ୧୦ଟଙ୍କା, ଫୁଲକୋବି ଗୋଟା ୮୦ଟଙ୍କା, ବନ୍ଧା କୋବି କେଜି ପ୍ରତି ୩୦ ଟଙ୍କା, ଝୁଡ଼ଙ୍ଗ କିଲୋ ୩୦ ଟଙ୍କାରେ ବିକ୍ରି ହେଉଛି ବୋଲି ସାରନଗରୀ ଅଂଚଳର ପରିବା ବ୍ୟବସାୟୀ ଅମୂଲ୍ୟ ବେହେରା ପ୍ରକାଶ କରିଛନ୍ତି । ତେବେ କାର୍ତିକ ମାସରେ ବିଭିନ୍ନ ପ୍ରକାର ଶାଗର ଚାହିଦା ଅଧିକ ରହୁଥିବା ବେଳେ କୋଶିଳା ଶାଗ ବିଡ଼ା ପ୍ରତି ୧୫ ରୁ ୨୦ ଟଙ୍କାରେ ବିକ୍ରି ହେଉଛି । ବର୍ତମାନ କାର୍ତିକ ମାସ ଆରମ୍ଭରୁ ପରିବାର ଦରବୃଦ୍ଧି ଆରମ୍ଭ ହୋଇଥିବାରୁ, ପୁରା ମାସରେ ପରିବା ଖର୍ଚ୍ଚକୁ ନେଇ ଗୃହକର୍ତାଙ୍କ ଚିନ୍ତା ଏବେ ଠାରୁ ବଢିବାରେ ଲାଗିଛି ।

Comments are closed.