ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ହେବ ସୁରେନ୍ଦ୍ର ସାଏ ଚେୟାର୍‌

ଖିଣ୍ଡାରେ ବୀର ସୁରେନ୍ଦ୍ର ସାଏଙ୍କ ୧୩୮ତମ ଶ୍ରାଦ୍ଧ ଦିବସ

ରେଙ୍ଗାଲି: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସୁରେନ୍ଦ୍ର ସାଏଙ୍କ ନାମରେ ଏକ ଚେୟାର୍‌ ପ୍ରତିଷ୍ଠା କରାଯିବ। ବୀର ସୁରେନ୍ଦ୍ର ସାଏଙ୍କ ୧୩୮ତମ ଶ୍ରାଦ୍ଧ ଦିବସରେ ସମ୍ବଲପୁର ଜିଲା ଖିଣ୍ଡାଠାରେ ଅନୁଷ୍ଠିତ ଏକ ସଭାରେ ଅତିଥି ଭାବେ ଯୋଗଦେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲ ଏହି ଘୋଷଣା କରିଛନ୍ତି। ଏହାସହିତ ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାରରେ ସ୍ୱାଧୀନତା ଆନ୍ଦୋଳନ ତଥା ଦେଶ ଗଠନରେ ଅବଦାନ ଥିବା ମହାପୁରୁଷ ମାନଙ୍କ ଫଟୋଚିତ୍ର ସ୍ଥାନିତ କରାଯିବ ଏବଂ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ୟୁନିଟ୍‌ ଖିଣ୍ଡା ଅଞ୍ଚଳକୁ ଆସି ବିଭିନ୍ନ ସେବା କାର୍ୟ୍ୟ କରିବ ବୋଲି ମଧ୍ୟ ପ୍ରଫେସର ମିତ୍ତଲ କହିଥିଲେ।
ରବିବାର ଖିଣ୍ଡା ଛକରେ ବୀର ସୁରେନ୍ଦ୍ର ସାଏ ସଚେତନ ନାଗରିକ ସଙ୍ଗଠନ ପକ୍ଷରୁ ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ସଭା ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ଦୁର୍ଗାପ୍ରସାଦ ସାହୁଙ୍କ ଅଧ୍ୟକ୍ଷତା ଏବଂ ଗବେଷକ ଡ. ଗୌରୀଦାସ ପ୍ରଧାନଙ୍କ ସଂଯୋଜନାରେ ପରିଚାଳିତ ଉତ୍ସବରେ ଲୋକକବି ପଦ୍ମଶ୍ରୀ ହଲଧର ନାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଏହି ଅବସରରେ ସୁରେନ୍ଦ୍ର ସାଏଙ୍କୁ ଅସିରଗଡ଼ ଜେଲ୍‌ରେ ନିର୍ୟାତନା, ତାଙ୍କ ଶେଷ ଜୀବନ, ଆରାଧ୍ୟ ଦେବୀ ମା’ ସମଲେଇଙ୍କୁ ଦର୍ଶନ ଉପରେ ଆଧାରିତ ସ୍ୱରଚିତ କବିତା ପାଠକରି ସମବେତ ଜନସାଧାରଣଙ୍କୁ ବିମୋହିତ କରିଥିଲେ। ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ସାଲିସବିହୀନ ସଂଗ୍ରାମ, ନିର୍ଭୀକତା, ବୀରତ୍ୱ, ତ୍ୟାଗ ଏବଂ ଦେଶପ୍ରେମ ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ। ସ୍ୱାଧୀନତା ପ୍ରାପ୍ତି ପାଇଁ ସାଲିସ ନକରି ଶକ୍ତିଶାଳୀ ବ୍ରିଟିଶ ସରକାରଙ୍କ ବିରୋଧରେ ନିର୍ଭିକତା ଏବଂ ବୀରତ୍ୱର ସହିତ ଲଢ଼େଇ କରିବା ବିଶ୍ୱ ଇତିହାସରେ ବିରଳ ବୋଲି ବକ୍ତାମା​‌େ​‌ନ ମତପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର ସାଏଙ୍କ ବଂଶଜ ଶଶିଭୂଷଣ ସାଏ, ଅବସରପ୍ରାପ୍ତ ଶିକ୍ଷାମଣ୍ଡଳାଧିଶ ଭକ୍ତପ୍ରସାଦ ନନ୍ଦ, ସୁରଜମଲ୍‌ କଲେଜ ଅଧ୍ୟକ୍ଷ ଡ. ମନୋଜ କୁମାର ପଣ୍ଡା, ଇ. କ୍ରିଷ୍ଣାମୋହନ, ପ୍ରଜ୍ଞା ପଟ୍ଟନାୟକ, ଜୁହାର ପରିବାରର ପ୍ରୀତିଶ ଦାସ, ବିଜେଡି ନେତା ଦେବେନ ପତି, କବି ପ୍ରଶାନ୍ତ ମେହେର, ସିନେମା ନିର୍ମାତା ବିଶ୍ୱନାଥ ରଥ, ଏନ୍‌ଏଲ୍‌ସି କମ୍ପାନୀ ମାନବ ସମ୍ବଳ ବିଭାଗ ମୁଖ୍ୟ ସୁବ୍ରତ ବିଶ୍ୱାଳ, ରେଙ୍ଗାଲି ବ୍ଳକ ଉପାଧ୍ୟକ୍ଷ ସତ୍ୟନରାୟଣ ଅଗ୍ରୱାଲା ପ୍ରମୁଖ ଅତିଥି ରୂପେ ମଞ୍ଚାସୀନ ଥିଲେ।


ସଙ୍ଗଠନର କର୍ମକର୍ତ୍ତା ମୋତିଲାଲ୍‌ ତନ୍ତି ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭା ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ପରିବେଷଣ କରାଯିବା ପରେ ଖିଣ୍ଡାର ଜୟ ଜଗନ୍ନାଥ ଭଜନ ମଣ୍ଡଳୀ ପକ୍ଷରୁ ସୁରେନ୍ଦ୍ର ସାଏଙ୍କ ଜୀବନୀ ଉପରେ ଆଧାରିତ ସଙ୍ଗୀତ ପରିବେଷଣ କରାଯାଇଥିଲା। ସଙ୍ଗଠନର ସଭାପତି ଯଦୁମଣି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ କେଶବ ରୋହିଦାସ, କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ରାଉତ, ସଂଯୋଜକ କେଦାର ପ୍ରଧାନ, ଗୋବିନ୍ଦ ନେଟୀ ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ। ସଭାକାର୍ୟ୍ୟ ଆରମ୍ଭ ହେବା ପୂର୍ବରୁ ସକାଳ ୧୦ଟାରେ ସଙ୍ଗଠନ ପକ୍ଷରୁ ମଶାଲ ଶୋଭାଯାତ୍ରା ବାହାରି ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠରୁ ଖିଣ୍ଡା ଛକରେ ଥିବା ପ୍ରତିମୂର୍ତ୍ତିସ୍ଥଳକୁ ପହଞ୍ଚିଥିଲା। ସେଠାରେ ଉପସ୍ଥିତ ଥିବା ପଦ୍ମଶ୍ରୀ ହଲଧର ନାଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲ, ଭୂଷଣ ଷ୍ଟିଲ୍‌ର ଉପ-ସଭାପତି ଦିନେଶ ଯାଦବ, ଗୋପାଳ ଶର୍ମା, ଅଦାନୀ କମ୍ପାନୀ ଉପସଭାପତି ପ୍ରସନ୍ନ କୁମାର ପଣ୍ଡା ପ୍ରମୁଖ ମଶାଲ ଶୋଭାଯାତ୍ରୀଙ୍କୁ ସ୍ୱାଗତ କରିବା ସହ ସହିଦ ମଶାଲ ପ୍ରଜ୍ବଳନ କରିଥିଲେ।

Comments are closed.