‘ଭାକ୍ସ’ ଅକ୍ସଫୋର୍ଡ ଇଂରାଜୀ ଅଭିଧାନର ‘୨୦୨୧ ବର୍ଷର ଶବ୍ଦ’ ଭାବରେ ଘୋଷିତ

ଅକ୍ସଫୋର୍ଡ: ଅକ୍ସଫୋର୍ଡ ଇଂରାଜୀ ଅଭିଧାନ ‘ଭାକ୍ସ’ (ଭିଏଏକ୍ସ) ଶବ୍ଦକୁ ୨୦୨୧ ବର୍ଷର ଶବ୍ଦ ଭାବରେ ମନୋନୀତ କରିଛି । ଭାକ୍ସ କହିଲେ ଉଭୟ ଟିକା (ଭାକ୍ସିନ) ଏବଂ ଟିକାକରଣ (ଭାକ୍ସିନେସନ)କୁ ବୁଝାଉଛି । ଏ କ୍ଷେତ୍ରରେ ଉଭୟ ‘ଭିଏଏକ୍ସ’ ଏବଂ ‘ଭିଏଏକ୍ସଏକ୍ସ’ ଗ୍ରହଣୀୟ ଶବ୍ଦ ହୋଇଥିବାବେଳେ ‘ଭିଏଏକ୍ସ’ ଶବ୍ଦଟି ଅଧିକ ଗ୍ରହଣୀୟ ହୋଇଛି । ଚଳିତ ବର୍ଷ କୋଭିଡ ମହାମାରୀରୁ ରକ୍ଷା ପାଇବାକୁ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ଏବଂ ଭାକ୍ସିନ ସମ୍ପର୍କିତ ଶବ୍ଦ ଅଧିକ ଥର ବ୍ୟବହାର କରାଯାଇଥିବାରୁ ‘ଭାକ୍ସ’କୁ ଅକ୍ସଫୋର୍ଡ ଇଂରାଜୀ ଅଭିଧାନ ପକ୍ଷରୁ ୨୦୨୧ ବର୍ଷର ଶବ୍ଦ ଭାବରେ ମନୋନୀତ କରାଯାଇଛି ।
ଅକ୍ସଫୋର୍ଡ ଇଂରାଜୀ ଅଭିଧାନର ଜଣେ ବରିଷ୍ଠ ସମ୍ପାଦକ ଫିଓନା ମ୍ୟାକଫେର୍ସନ କହିଛନ୍ତି ଯେ ଚଳିତ ବର୍ଷ ଏହି ଶବ୍ଦଟି ସବୁଠାରୁ ଅଧିକ ପ୍ରଭାବୀ ହୋଇଥିବାରୁ ନିଃସନ୍ଦେହରେ ଏହାକୁ ଚଳିତ ବର୍ଷର ଶବ୍ଦ ଭାବରେ ଘୋଷଣା କରାଯାଇଛି । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ‘ଭାକ୍ସ’ ଶବ୍ଦଟି ପୂର୍ବ ବର୍ଷ ଅପେକ୍ଷା ୭୨ଗୁଣ ଅଥିକ ଥର ଦେଖିବାକୁ ମିଳିଥିଲା । ୧୭୯୯ରେ ପ୍ରଥମ ଥର ପାଇଁ ଇଂରାଜୀରେ ଏହି ଶବ୍ଦଟିକୁ ଲିପିବଦ୍ଧ କରାଯାଇଥିଲା । ତେବେ ‘ଭାକ୍ସିନେଟ’ ଏବଂ ‘ଭାକ୍ସିନେସନ’ ଶବ୍ଦ ୧୮୦୦ରେ ଦେଖିବାକୁ ମିଳିଥିଲା । ‘ଭାକ୍ସ’ ଶବ୍ଦଟି ଲାଟିନ ଶବ୍ଦ ‘ଭାକ୍କା’ (ଭିଏସିସିଏ)ରୁ ଆସିଛି, ଯାହାର ଅର୍ଥ ହେଉଛି ଗାଈ । ସେହିଭଳି ମହାମାରୀ (ପାନଡେମିକ) ଶବ୍ଦର ବ୍ୟବହାର ମଧ୍ୟ ଚଳିତ ବର୍ଷ ୫୭,୦୦୦%ରୁ ଅଧିକ ଥର ବୃଦ୍ଧିପାଇଛି । ୨୦୨୦ରେ ଏହା ‘ଅନପ୍ରିସିଡେଣ୍ଡେଡ’ (ଅପ୍ରତ୍ୟାଶିତ) ଶବ୍ଦକୁ ସେହି ବର୍ଷର ଶବ୍ଦ ଭାବରେ ମନୋନୀତ କରିଥିଲା ।

Comments are closed.