‘ବନ୍ଦେ ଉତ୍କଳ ଜନନୀ’…ସଫଳ ହେଲା ‘ସମାଜ’ର ପ୍ରୟାସ

- ଏହି ସଙ୍ଗୀତ ଗାନର ମାନ୍ୟକ୍ରମ ସ୍ଥିରୀକୃତ

ସମାଜ ପୋର୍ଟାଲ ଡେସ୍କ: ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଓଡିଶାବାସୀଙ୍କ ବହୁ ଦିନର ଦାବିକୁ ସ୍ୱୀକୃତି ମିଳିଛି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଛି। ଏ ନେଇ ଦୈନିକ ସମ୍ବାଦପତ୍ର ‘ସମାଜ’, ‘ମିଳିନି ସ୍ୱୀକୃତି, ସରିନି ସଂଘର୍ଷ’ ସ୍ଥମ୍ଭରେ ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କର ମତାମତ ଉପସ୍ଥାପନ କରି ଏକ ଆନ୍ଦୋଳନ ସୃଷ୍ଟି କରିଥିଲା।

ବୈଠକ ପରେ ସଂସଦୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିସ୍ତୃତ ସୂଚନା ଦେଇ ଏ ସମ୍ପର୍କରେ ଜଣାଇବା ସହ ଏହି ରାଜ୍ୟ ସଂଗୀତ ଗାନ ସମୟରେ କେଉଁଭଳି ପଦକ୍ଷେପ ଗ୍ରହଣ କରାଯିବ। ସେ କହିଛନ୍ତି ଯେ ଓଡିଶା ପାଇଁ ଆଜି ଏକ ଐତିହାସିକ ଦିନ। ବନ୍ଦେ ଉତ୍କଳ ଜନନୀ କୀର୍ତ୍ତିମାଳିନୀ ଉତ୍କଳ ଜନନୀଙ୍କର ପବିତ୍ର ଆବାହନୀ ସଙ୍ଗୀତ। ଓଡିଆ ଜାତିର ଅସ୍ମିତା ଓ ସ୍ୱାଭିମାନର ସଙ୍ଗୀତ। ନୈସର୍ଗିକ ପ୍ରାକୃତିକ ଶୋଭା, ଅନନ୍ୟ କୀର୍ତ୍ତିରାଜି ଓ ଉତ୍କୃଷ୍ଟ କଳା ବିମଣ୍ଡିତ, ଉତ୍କଳ ଜନନୀଙ୍କର ଜୟଗାନ ଏହି ସଙ୍ଗୀତକୁ ଅମୃତମୟ କରିବା ସହ କୋଟି କୋଟି ଓଡିଆଙ୍କୁ ଜାତି ପ୍ରେମର ସୁଦୃଢ ବନ୍ଧନରେ ବାନ୍ଧି ରଖିବା ସହ ଓଡ଼ିଶାର ର୍ଗୌରବକୁ ବିଶ୍ଵବ୍ୟାପୀ କରିବା ପାଇଁ ପ୍ରେରଣା ଦେଇଆସିଛି। ଦେଶାତ୍ମବୋଧ ଓ ଜାତୀୟତାବୋଧ ହେଉଛି ଏହି ସଙ୍ଗୀତର ଅନ୍ତଃସ୍ୱର।

ସେ କହିଛନ୍ତି, କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଚଳିତ ବର୍ଷ ମେ’ ୩୦ ତାରିଖ ସନ୍ଧ୍ୟା ୫ଟା ୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ଦେଶ ବିଦେଶର କୋଣ ଅନୁକୋଣରେ ରହୁଥିବା ଓଡିଆ ଭାଇଭଉଣୀମାନେ ଯେଭଳି ଏକ ତାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଜାତି ପ୍ରେମର ନିଦର୍ଶନ ଦେଖାଇଛନ୍ତି ତାହା ଅତୁଳନୀୟ।

ସେ କହିଛନ୍ତି ଯେ କାନ୍ତକବିଙ୍କର ଏହି କାଳଜୟୀ ରଚନା ‘ବନ୍ଦେ ଉତ୍କଳ ଜନନୀ’ ୧୯୧୨ ମସିହାରୁ ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଗାନ କରାଯାଇଆସୁଛି। ୧୯୩୬ ଏପ୍ରିଲ ପହିଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ସମୟରୁ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତ ଭାବରେ ପ୍ରତିଟି ଓଡିଆର ହୃଦୟରେ ଓ ଭାବନାରେ ରହି ଆସିଛି। ୧୯୯୪ ମସିହା ନଭେମ୍ବର ୭ ତାରିଖ ଦିନ ମହାନ ଜନନାୟକ ବିଜୁପଟ୍ଟନାୟକଙ୍କ ନେତୃତ୍ୱରେ ତଥା ବିଧାନସଭାର ତତ୍କାଳୀନ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ବିଧାନସଭାର ପ୍ରତି ଅଧିବେଶନର ଶେଷ ଦିବସରେ ଉଦଯାପନୀ ସଙ୍ଗୀତ ଭାବରେ ଗାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ତାହା ଏବେ ଯାଏଁ ପାଳିତ ହେଉଛି।

ସଂସଦୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ଏହି ଐତିହାସିକ ମୁହୂର୍ତ୍ତକୁ ଚିରସ୍ଥାୟୀ କରିବା ପାଇଁ ତଥା ସାଢେ ଚାରିକୋଟି ଓଡିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ କ୍ୟାବିନେଟ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅନବଦ୍ୟ ସୃଷ୍ଟି ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ଭାବରେ ସରକାରୀ ମାନୟତା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ସଙ୍ଗୀତ ଗାନର ମାନ୍ୟକ୍ରମ ମଧ୍ୟ ସ୍ଥିରୀକୃତ ହୋଇଛି।
୧- କାନ୍ତକବିଙ୍କ ରଚିତ ସମ୍ପୂର୍ଣ୍ଣ ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବରେ ଗ୍ରହଣ କରାଗଲା
୨- ଏହି ସଙ୍ଗୀତ ଗାୟନର ଅନୁମୋଦିତ ସ୍ୱର, ଶୈଳୀ ତଥା ରେକର୍ଡିଙ୍ଗ ଓଡିଶା ସରକାରଙ୍କର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯିବାକୁ ସ୍ଥିର କରାଗଲା
୩- ଏହାର ଗାୟନ ଅବଧି, ସ୍ୱର ତଥା ଶୈଳୀ ଉପରୋକ୍ତ ରେକର୍ଡିଙ୍ଗ ପ୍ରକାରର ନିର୍ଦ୍ଧାରିତ ହେଲା
୪- ରାଜ୍ୟ ସରକାରଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ବିଧାନସଭାର ଅଧିବେଶନ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ଭାବେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଏହି ସଙ୍ଗୀତର ବିନା ବାଦ୍ୟରେ ପ୍ରସ୍ତୁତ ଅନୁମୋଦିତ ସଂସ୍କରଣ ପରିବେଷଣ/ଗାନ କରାଯିବ


୫- ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟାନ୍ୟ ସଭାସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ପୃଷ୍ଠସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସଙ୍ଗତ ସହିତ ଏହାକୁ ପରିବେଷଣ କିମ୍ବା ଗାନ କରାଯିବ
୬- ଉଦଘାଟନୀ, ଉଦଯାପନୀ, ଓ ଉଦବୋଧନୀ ସଙ୍ଗୀତ ଭାବରେ ଏହା ଗାନ ସମୟରେ ଏହି ରାଜ୍ୟ ସଙ୍ଗୀତ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଉପସ୍ଥିତ ସମସ୍ତେ ସଙ୍ଗୀତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଣ୍ଡାୟମାନ ରହିବେ, ମାତ୍ର ବୟସ୍ମ, ଅସୁସ୍ଥ, ଭିନ୍ନକ୍ଷମ, ଗର୍ଭବତୀ ମହିଳା ଯେଉଁମାନେ ନିଜର ଅକ୍ଷମତା କାରଣରୁ ଦଣ୍ଡାୟମାନ ରହିବାରେ ଅସୁବିଧା ଅନୁଭବ କରୁଥିବେ ସେମାନେ ଏହି ସଙ୍ଗୀତ ପରିବେଷଣ/ଗାନ ସମୟରେ ନିଜ ସ୍ଥାନରେ ନମ୍ର ଭାବରେ ବସି ରହି ଏଥି ପ୍ରତି ସମ୍ମାନ ପ୍ରଦର୍ଶନ କରିବେ, ଶିଶୁମାନଙ୍କୁ ଦଣ୍ଡାୟମାନ ରହିବାରୁ ଅବ୍ୟାହତି ଦିଆଯାଇଛି
୭- ଏହି ସଙ୍ଗୀତ ପୁଲିସ ବ୍ୟାଣ୍ଡ, ବଂଶୀ, ସୀତାର ଭଳି ବିଭିନ୍ନ ବାଦ୍ୟଯନ୍ତ୍ର ମାଧ୍ୟମରେ ପରିବେଷଣ କରାଯାଇ ପାରିବ
୮- ଏହି ସଙ୍ଗୀତର ପ୍ରଚାର ପ୍ରସାର ତଥା ଅଭିବୃଦ୍ଧି ନିମନ୍ତେ ଏହାର ସୃଜନାତ୍ମକ ପରିବେଷଣ ଉପରେ କୌଣସି କଟକଣା ରହିବ ନାହିଁ
୯- ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ଏହି ସଙ୍ଗୀତକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାର୍ଗକୁ ନିର୍ଦ୍ଦେଶ ଦିଆଯାଇଛି

Comments are closed.