ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ନାଁ ‘ମୋଖା’ – ଜାଣନ୍ତୁ କାହିଁକି ହୋଇଛି ଏପରି ନାମ କରଣ

ଭୁବନେଶ୍ୱର – ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ନାଁ ମୋଖା ଦିଆଯାଇଛି । ମେ ୧୧ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ଧାରଣ କରିବାପରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସାମ୍ଭବ୍ୟ ବାତ୍ୟାକୁ ଦୃଷ୍ଟିରେ ଓଡ଼ିଶା ସହ ଭାରତରେ ପୂର୍ବ ଉପକୂଳରେ ଥିବା ରାଜ୍ୟମାନଙ୍କରେ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି ।

ତେବେ ଏହି ବାତ୍ୟାର ନାମ ମୋଖା ଦିଆଯାଇଛି । ଏହା ଏକ ୟୋମନୀ ନାମ । ୟେମନରେ ଥିବା ଗୋଟିଏ ସହରର ନାମ ମୋଖା । ଏହା ଲୋହିତ ସାଗର ଉପକୂଳରେ ଅବସ୍ଥିତ ।

ଆସନ୍ତା ୯ ତାରିଖ ପାଖାପାଖି ସୃଷ୍ଟି ହୋଇପାରେ ବାତ୍ୟା। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ପୂର୍ବ ଆକଳନ ଅନୁଯାୟୀ ୬ ତାରିଖ ପାଖାପାଖି ଘୂର୍ଣ୍ଣିବଳୟ। ୬ରେ ସୃଷ୍ଟ ଘୂର୍ଣ୍ଣିବଳୟ ୭ରେ ଲଘୁଚାପର ରୂପ ନେବ। ଲଘୁଚାପଟି କ୍ରମେ ଘନୀଭୂତ ହୋଇ ୮ରେ ଅବପାତ ରୂପ ନେବ। ଅବପାତର ରୂପ ନେଇ କ୍ରମେ ଏହା ଉତ୍ତର ଦିଗକୁ ଗତି କରିବ।

ଏହା ଅଧିକ ଘନୀଭୂତ ହୋଇ ୯ ସୁଦ୍ଧା ବାତ୍ୟା ରୂପ ନେଇପାରେ। ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ସ୍ପଷ୍ଟ ହୋଇ ନାହିଁ। ବାତ୍ୟାଟି କୁଆଡେ ଯିବ, କେତେ ତୀବ୍ରତା ରହିବ ଆକଳନ ହୋଇ ନାହିଁ। ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ। ବର୍ତ୍ତମାନ ଓଡିଶା ପାଇଁ କିଛି ସତର୍କ ସୂଚନା ନାହିଁ ବୋଲି ଆଇଏମଡି ଡିଜି କହିଛନ୍ତି।

ଓଡିଶା ଉପକୂଳ ପାଇଁ ବର୍ଷା, ପବନର ସତର୍କ ସୂଚନା ଜାରି କରାଯାଇ ନାହିଁ। ଓଡିଶା ପାଇଁ ସତର୍କ ସୂଚନା ନଥିବା ବେଳେ ଲୋକେ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି। ତେବେ ୭ରୁ ସମୁଦ୍ର ଅଶାନ୍ତ ରହିବ। ଫଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି, ସେମାନେ ୭ ସୁଦ୍ଧା ଚାଲି ଆସିବା ଉଚିତ୍‌‌।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ସ୍ବତନ୍ତ୍ର ରିଲିଫ ଆୟୁକ୍ତ (ଏସଆରସି) ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାତ୍ୟାପ୍ରବଣ ମେ ମାସ ପାଇଁ ପ୍ରସ୍ତୁତ ରହିବାକୁ ୧୧ଟି ବିଭାଗ ଓ ସବୁ ଜିଲାପାଳଙ୍କୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବାକୁ ଜିଲାପାଳମାନଙ୍କୁ କୁହାଯାଇଛି। ଉଦ୍ଧାର କାର୍ଯ୍ୟ ନିମନ୍ତେ ଏନ୍‌ଡିଆରଏଫ୍, ଓଡ୍ରାଫ୍ ପ୍ରସ୍ତୁତ ରହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିଥିବାବେଳେ ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ୨୦୧୯, ୨୦୨୦ ଓ ୨୦୨୧ ମସିହାରେ ମେ’ ମାସରେ ଫଣି, ଅମ୍ଫାନ ଓ ୟାସ ଭଳି ୩ ଟି ବାତ୍ୟା ହୋଇଥିଲା, ଯାହାକୁ ରାଜ୍ୟ ସରକାର ସଫଳ ଭାବେ ମୁକାବିଲା କରିଥିଲେ।

ସମ୍ଭାବ୍ୟ ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେଉଥିବା ୧୮ଟି ଜିଲା : ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନାଗିରି, କୋରାପୁଟ, ରାୟଗଡା ଓ କନ୍ଧମାଳର ଜିଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବା ସହ ସଜାଗ ରହିବା ପାଇଁ କୁହାଯାଇଛି। ଏହିସବୁ ଜିଲା ଗୁଡ଼ିକରେ ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ। ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଖାଦ୍ୟ, ପାନୀୟଜଳ, ଶୌଚାଳୟ ଓ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା କରାଯିବ। ଓଡ୍ରାଫ, ଏନଡିଆରଏଫ୍ ଏବଂ ଅଗ୍ନିଶମବାହିନୀ ଆଗୁଆ ବିପଦସଙ୍କୁଳ ସ୍ଥାନଗୁଡ଼ିକରେ ନିୟୋଜିତ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଶକ୍ତି ବିଭାଗ,ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ, ମତ୍ସ୍ୟ ଓ ପଶୁ ସମ୍ପଦ, ମହିଳା ଏବଂ ଶିଶୁ ବିକାଶ ,କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗକୁ ପ୍ରସ୍ତୁତ ରହିବା ଓ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

ବିଭିନ୍ନ ପାଣିପାଗ ମଡେଲ ଓ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ମେ’ ମାସରେ ଗ୍ରୀଷ୍ମକାଳୀନ ବାତ୍ୟା ପାଇଁ ପାଗ ଅନୁକୂଳ ରହିଥାଏ। ଗତ ୪/୫ ବର୍ଷ ହେଲା ଗ୍ରୀଷ୍ମ ସମୟରେ ବାତ୍ୟା ଦେଖାଯାଉଛି। ମେ’ ଦ୍ବିତୀୟ ସପ୍ତାହ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ସାଇକ୍ଲୋଜେନେସିସ୍ ବା ଅବପାତ ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି। ପରବର୍ତ୍ତୀ ସମୟରେ ଏହା ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ପଶ୍ଚିମବଙ୍ଗ, ବାଂଲାଦେଶ ଓ ମ୍ୟାମାଁର ଅଭିମୁଖେ ଅଗ୍ରସର ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି। ଆଉ କେତେକ ମଡେଲ ଆକଳନ କରିଛନ୍ତି ଯେ ବାତ୍ୟା ମେ ୯ରୁ ୧୧ ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ମେ’ ୧୧ରୁ ୧୫ ମଧ୍ୟରେ ବାଂଲାଦେଶ ଉପକୂଳରେ ମାଡ଼ ହୋଇପାରେ ଏବଂ ଏହି ସମୟରେ ପବନର ବେଗ ୧୫୦ରୁ ୧୮୦ କିମି ରହିପାରେ। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ବିଭିନ୍ନ ମଡେଲ ଅନୁମାନ ପରେ କହିଛନ୍ତି ଯେ, ଆସନ୍ତା ୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୮ ରାତି କିମ୍ବା ୯ ସକାଳ ସୁଦ୍ଧା ଲଘୁଚାପ ଓ ୧୦ ତାରିଖରେ ଏହା ବାତ୍ୟାରେ ପରିଣତ ହୋଇପାରେ। ବାତ୍ୟା ସୃ‌ଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ବିଷୟରେ ଜଣାପଡ଼ିବ।

Comments are closed.